ରନ୍ଧନ ଗ୍ୟାସ୍ ଦର ବୃଦ୍ଧିର ପ୍ରତିବାଦ: ରାଜଧାନୀରେ ଗର୍ଜିଲା ବିଜେଡି

କାଠ ଚୁଲିରେ ରୋଷେଇ କଲେ, କୋକେଇରେ ରନ୍ଧନ ଗ୍ୟାସ୍ ବୋହିଲେ

ଭୁବନେଶ୍ବର/ବାଲିଅନ୍ତା/ବାଲିପାଟଣା: ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ରାଜଧାନୀରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି। ଦଳର ଯୁବ, ଛାତ୍ର ଓ ମହିଳା ସଙ୍ଗଠନ ପକ୍ଷରୁ ଭୁବନେଶ୍ବର ଉତ୍ତର, ମଧ୍ୟ ଓ ଏକାମ୍ର ନିର୍ବଚନମଣ୍ଡଳୀ ସମେତ ଜୟଦେବ ନିର୍ବାଚନ ମଣ୍ଡଳୀର ବାଲିଅନ୍ତା, ବାଲିପାଟଣା ବ୍ଲକରେ ଗଣଧାରଣ ଓ ପ୍ରତିବାଦ ସଭା କରାଯାଇଛି। ଦଳୀୟ ବିଧାୟକଙ୍କ ସମେତ ବରିଷ୍ଠ ନେତାମାନେ ସାମିଲ ହୋଇ କେନ୍ଦ୍ର ସାଧାରଣଙ୍କ ଗରିବ ମାରଣନୀତିକୁ ସମାଲୋଚନା କରିଛନ୍ତି। ସେମାନେ କହିଛନ୍ତି ଯେ ରନ୍ଧନ ଗ୍ୟାସ୍‌ର ଦର ଅହେତୁକ ଭାବେ ବୃଦ୍ଧି ପାଉଛି। ସାଧାରଣ ଲୋକଙ୍କ ଚଳିବା କଷ୍ଟକର ହୋଇପଡ଼ିଛି। ୨୦୧୪ରେ ସିଲିଣ୍ଡର୍‌ ପିଛା ମୂଲ୍ୟ ୫୦୦ ଟଙ୍କା ଥିବା ବେଳେ ଏବେ ତାହା ହଜାରେ ଟପିଲାଣି। ଆକାଶ କଇଁଆ ଚିଲିକା ମାଛ ପରି ଗରିବଙ୍କୁ ଗ୍ୟାସ୍‌ରେ ରୋଷେଇ କରିବାକୁ ଉତ୍ସାହିତ କରି ଏବେ ମୂଲ୍ୟବୃଦ୍ଧି କରି ଚାଲିଛନ୍ତି। ଶୀଘ୍ର ମୂଲ୍ୟ ହ୍ରାସ କରା ନଗଲେ, ଆଗାମୀ ଦିନରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟା‌ପକ ଆନ୍ଦୋଳନ କରାଯିବ।

ଭୁବନେଶ୍ବର (ଉତ୍ତର) ବିଧାୟକ ସୁଶାନ୍ତ ରାଉତଙ୍କ ନେତୃତ୍ବରେ ଚନ୍ଦ୍ରଶେଖରପୁରସ୍ଥିତ ଆଇଓସିଏଲ୍ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଦଳର ରାଜ୍ୟ ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର, ପ୍ରସନ୍ନ ସାହୁ, ମିହିର ରାଉତ, ମୋନାଲିସା ସାହୁ ପ୍ରମୁଖ ସାମିଲ ହୋଇ କେନ୍ଦ୍ର ସରକାର ଗରିବ ମାରଣନୀତିକୁ ଦୃଢ଼ ନିନ୍ଦା କରିଥିଲେ। ମହିଳାମାନେ ସଭା ସ୍ଥଳରେ କାଠ ଚୁଲିରେ ରୋଷେଇ କରି ଅଭିନବ ଉପାୟରେ ପ୍ରତିବାଦ ଜଣାଇଥିଲେ।

ଅନୁରୂପ ଭାବେ ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନେତୃତ୍ୱରେ ଏଡିଏମ୍‌ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରାଯାଇଛି। ଦଳର ମହିଳା, ଯୁବ ଓ ଛାତ୍ର ନେତାମାନେ ରାଜୀବ ଭବନ ସମ୍ମୁଖ ପେଟ୍ରୋଲ ପମ୍ପ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ଏଡିଏମ୍‌ଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲେ। ଆନ୍ଦୋଳନକାରୀ ଅଭିନବ ଉପାୟରେ ଗ୍ୟାସ୍ ସିଲିଣ୍ଡରକୁ କୋକେଇରେ ବୋହି ନେଇଥିଲେ।
ଏକାମ୍ର ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ଭୁବନେଶ୍ୱର ବ୍ଲକ ସମ୍ମୁଖରେ ମହିଳାମାନେ ଚୁଲି ଜାଳି ପ୍ରତିବାଦ କରିଥିଲେ। ପୂର୍ବତନ କର୍ପୋରେଟର ମହାମାୟା ସ୍ୱାଇଁ, ବିରଞ୍ଚି ନାରାୟଣ ମହାସୂପକାର, ସମରେଶ ବେଉରିଆ, ଭଗବାନ ସାହୁ, ପ୍ରତାପ ଜେନା ପ୍ରମୁଖ କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ। ପରେ ନେତାମାନେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱର ବିଡିଓ ରମେଶ ସେଠୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।
ଜୟଦେବ ନିର୍ବାଚନମଣ୍ଡଳୀର ବାଲିଅନ୍ତା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଓ ଗଣଧାରଣା ଅନୁଷ୍ଠିତ ହୋଇଥିଲା। ଖୋର୍ଧା ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ଟଙ୍କପାଣି ବ୍ରିଜ ନିକଟରୁ ବାହାରି ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଫାଟକ ନିକଟରେ ପହଞ୍ଚିଥିଲା। ପରେ ବାଲିଅନ୍ତା ବ୍ଲକ ବିଜେଡି ସଭାପତି ପ୍ରଦୀପ୍ତ ଜେନାମଣିଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ସଭାରେ ଜୟଦେବ ବିଜେଡି ପର୍ଯ୍ୟବେକ୍ଷକ ଅମରେଶ ଜେନା, ସଂଖ୍ୟାଲଘୁ ରାଜ୍ୟ ସଂପାଦକ ମହମ୍ମଦ ଫାରୁକ, ଖୋର୍ଧା ମହିଳା ସଭାନେତ୍ରୀ ଗୀତାଞ୍ଜଳି ପାଟ୍ଟଶାଣୀ, ବାଲିଅନ୍ତା ବ୍ଲକ ଅଧ୍ୟକ୍ଷା ସୁଚିତ୍ରା ଜେନାମଣି ପ୍ରମୁଖ ଉପସ୍ଥିତ ଥିଲେ।

ବାଲିପାଟଣା ବିଜୁ ଯୁବ ଓ ଛାତ୍ର ଏବଂ ମହିଳା ଜନତା ଦଳ ପକ୍ଷରୁ ବ୍ଲକ ସମ୍ମୁଖରେ ପ୍ରତିବାଦ କରାଯାଇଛି। ‘ଆମ ସଂଗଠନ’ ସଭାପତି କମଳ ପାତ୍ରଙ୍କ ନେତୃତ୍ବରେ ବାଲିପାଟଣା ମେଲଣ ପଡ଼ିଆଠାରୁ ଏକ ଶୋଭାଯାତ୍ରା ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା। ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବାଲିପାଟଣା ବ୍ଲକ ବିଜେଡି ସଭାପତି କିଶୋର ଜେନା, ଯୁବ ବିଜେଡି ସଭାପତି ନିରଞ୍ଜନ ଜେନା, ଛାତ୍ର ବିଜେଡି ସଭାପତି ଜ୍ୟୋତି ରଞ୍ଜନ ନାୟକ, ପଦ୍ମିନୀ ଦାସ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର