ପ୍ରାଦେଶିକ ପ୍ରଧାନ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଭୁବନେଶ୍ବର: ଭାରତୀୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ଓଡ଼ିଶା ଦ୍ବାରା ଆୟୋଜିତ ଦୁଇଦିନିଆ ପ୍ରାଦେଶିକ ପ୍ରଧାନ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି। ନୂଆପଲ୍ଲୀସ୍ଥିତ କସ୍ତୁରବା ଶିକ୍ଷାଶ୍ରମ ବିଦ୍ୟାମନ୍ଦିରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ୧୭ଟି ଜିଲ୍ଲାର ପ୍ରଧାନ ଆଚାର୍ଯ୍ୟ ଯୋଗ ଦେଇଥିଲେ। ଉଦ୍‌ଯାପନୀ ଉତ୍ସବରେ ପ୍ରଜ୍ଞା ଯୋଗକେନ୍ଦ୍ରର ଯୋଗାଚାର୍ଯ୍ୟ ବିଶ୍ବରଞ୍ଜନ ରଥ, ଶିକ୍ଷାବିତ୍ ସୁରେଶ କୁମାର ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ସାମ୍ପ୍ରତିକ ସମାଜରେ ଯୋଗ ଓ ଆଧ୍ୟାତ୍ମିକ ଶିକ୍ଷାକୁ ବିଦ୍ୟାଳୟରେ ଏକ ପିରିୟଡ୍‌ ରୂପେ ରଖାଯାଉ ବୋଲି ମତ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ଶିଶୁମାନଙ୍କର ବୌଦ୍ଧିକ ବିକାଶ ପାଇଁ ଏକ ବୌଦ୍ଧିକ ପୁସ୍ତକ ଅତିଥିମାନଙ୍କ ଦ୍ବାରା ଜନ୍ମୋଚିତ ହୋଇଥିଲା। ପ୍ରାନ୍ତ ପ୍ରଶିକ୍ଷଣ ଅଧିକାରୀ ଆଦିତ୍ୟ କୁମାର ଆଚାର୍ଯ୍ୟ, ପ୍ରାନ୍ତ ଶାରୀରିକ ପ୍ରମୁଖ ଜୟନ୍ତୀ କାଣ୍ଡି, ପଶ୍ଚିମ ସମଭାଗର ବିଭାଗ ନିରୀକ୍ଷକ ଦିଗାମ୍ବର ମାଝୀ ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଓଡ଼ିଶାରେ ଚାଲିଥିବା ବିଦ୍ୟାମନ୍ଦିରଗୁଡ଼ିକୁ ଆଦର୍ଶ ବିଦ୍ୟାଳୟରେ ପରିଣତ କରିବାରେ ପ୍ରଧାନ ଆଚାର୍ଯ୍ୟମାନଙ୍କର ଯଥେଷ୍ଟ ଭୂମିକା ରହିଛି ବୋଲି ପ୍ରତିଷ୍ଠାନର ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ କହିଥିଲେ। ସଂଗଠନ ସମ୍ପାଦକ ଦୁର୍ଗା ପ୍ରସାଦ ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର