ଭୁବନେଶ୍ବର: ଭାରତୀୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ, ଓଡ଼ିଶାଙ୍କ ଦ୍ବାରା ପରିଚାଳିତ ଶିଶୁ ବିକାଶ ବିଦ୍ୟା ମନ୍ଦିରଗୁଡ଼ିକର ସମ୍ପାଦକମାନଙ୍କୁ ନେଇ ଏକ ପ୍ରାଦେଶିକ ସମ୍ପାଦକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାନର ଅଧକ୍ଷ ସୁଧାନିଧି ରାଉତଙ୍କ ଅଧକ୍ଷତରେ ଅନୁଷ୍ଠିତ ଏହି ବୈଠକରେ ବିଦ୍ୟା ବିକାଶର ଅଧକ୍ଷ ଜଗଦୀଶ ପଟ୍ଟନାୟକ, ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ତଥା ଉପଦେଷ୍ଟା ଡ. ବିଶ୍ବନାଥ ଧଳ ଓ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ତଥା ପ୍ରବାସୀ ଓଡ଼ିଆ ସଂସଦର ଅଧ୍ୟକ୍ଷ ଦୁର୍ଯ୍ୟୋଧନ କାଠୁଆ ଯୋଗଦେଇଥିଲେ।

Advertisment

ବୈଠକରେ ନୂତନ ଶିକ୍ଷାନୀତି, ସରକାରଙ୍କର ନୀତି ନିୟମ, ଗୁଣାତ୍ମକ ଶିକ୍ଷା, ୨୫ ପ୍ରତିଶତ ପିଲାମାନଙ୍କୁ ମାଗଣା ଶିକ୍ଷାଦାନ, ଯୋଗ ଶିକ୍ଷା, ଧନ୍ଦାମୂଳକ ଶିକ୍ଷା, ଇତ୍ୟାଦି ଉପରେ ଆଲୋଚନା ହୋଇଥିଲା। ମାତୃ ଭାଷାର ପ୍ରଚାର ଓ ପ୍ରସାର କରିବା ପାଇଁ ଓଡ଼ିଶା ବାହାରେ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଏକ କମିଟି ଗଠନ ହୋଇଥିଲା। ଆଗାମୀ ଶିକ୍ଷା ବର୍ଷରେ ଗୁଜରାଟ, ଛତିଶଗଡ଼, ଝାଡ଼ଖଣ୍ଡ ଓ ଓଡ଼ିଶାର ବିଛିନ୍ନାଞ୍ଚଳ ମାନଙ୍କରେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମଧ୍ୟ ଏକ ଯୋଜନା ପ୍ରସ୍ତୁତ ହୋଇଥିଲା। ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଉକ୍ତ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ପ୍ରତିଷ୍ଠାନରେ ନୂତନ ରୂପେ ଯୋଗଦେଇଥିବା କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ବରିଷ୍ଠ କାର୍ଯ୍ୟକର୍ତ୍ତା ରୂପେ ସଂଗଠନ ସମ୍ପାଦକ ଦୁର୍ଗା ପ୍ରସାଦ ମହାନ୍ତି, ଶ୍ରୀହର୍ଷ ମହାପାତ୍ର, କାଶୀନାଥ ସାହୁ, ବିଶ୍ବରଞ୍ଜନ ରଥ, ସୁଧାଂଶୁ ପଟ୍ଟନାୟକ, ସୁରେଶ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ଜ୍ୟୋତ୍ସ୍ନା ରାଉତ ଧନ୍ୟବାଦ ଦେଇଥିଲେ।