ପୁସ୍ତକ ମହୋତ୍ସବ ‘ଅକ୍ଷର’ : ଜ୍ଞାନ, ମନୋରଂଜନର ସର୍ବଶ୍ରେଷ୍ଠ ବିକଳ୍ପ ପୁସ୍ତକ

ଭୁବନେଶ୍ବର : ପୁସ୍ତକ ସୃଜନଶୀଳତା ଓ ବୌଦ୍ଧିକତାର ବାହକ ହୋଇ ଆମ କଳ୍ପନା ଶକ୍ତିକୁ ଜାଗରୂକ କରିଥାଏ। ଜ୍ଞାନ ଅର୍ଜନ ଓ ମନୋରଂଜନର ଅନ୍ୟ କୌଣସି ମାଧ୍ୟମ ପୁସ୍ତକ ସହ ସମକକ୍ଷ ନୁହେଁ ବୋଲି କହିଛନ୍ତି ପ୍ରସିଦ୍ଧ ବଙ୍ଗଳା ସାହିତ୍ୟିକା ବାଣୀ ବସୁ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ରାଜ୍ୟ ପୁସ୍ତକ ମ‌ହୋତ୍ସବ ‘ଅକ୍ଷର’ର ସଭା ମଞ୍ଚରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି।

ବିଶିଷ୍ଟ କଥାକାର ତଥା ପ୍ରାକ୍ତନ ପ୍ରଶାସକ ତରୁଣକାନ୍ତି ମିଶ୍ର କହିଲେ, ଆଧୁନିକ ଜ୍ଞାନକୌଶଳ ଯୋଗୁଁ ପୁସ୍ତକ ବଞ୍ଚିବା ନେଇ ଯେଉଁ ସଂଶୟ ଦେଖା ଦେଉଥିଲା, ତାହା ଦୂର ହୋଇଛି। ଆମେରିକାରେ ଏବେ ବି ପ୍ରତି ସେକେଣ୍ଡ୍‌ରେ ୫୫ଟି ବହି ବିକ୍ରି ହେଉଛି। ଇ-ବୁକ୍‌, ଫେସ୍‌ବୁକ୍‌ ଓ ଛପା ବହି ମଧ୍ୟରେ ସମ୍ପର୍କ‌ କ୍ରମେ ସୁଦୃଢ଼ ହେବ। ଏହା ପୁସ୍ତକ ଚର୍ଚ୍ଚାର ବୃହତ୍ତର ବିକାଶରେ ସହାୟକ ହେବ ବୋଲି ସେ କହିଛନ୍ତି। ବିଭାଗୀୟ ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ ବକ୍ତବ୍ୟ ରଖିଥିଲେ। ବିଭାଗୀୟ ନିର୍ଦେଶକ ବିଜୟ କୁମାର ନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶା ସାହିତ୍ୟ ଏକାଡେମି ସଚିବ ଜୟନ୍ତୀ ରଥ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ପୀତବାସ ରାଉତରାୟଙ୍କ ରଚିତ ‘ପତ୍ନୀଙ୍କ ଧର୍ମଘଟ’ ମଞ୍ଜୁ ମୋଦୀଙ୍କ ରଚିତ ‘କଲ୍ୟାଣୀ’ ଏବଂ ପ୍ରଦୀପ ଦାସଙ୍କ ରଚିତ ‘ଚରୁ, ଚିବର ଓ ଚର୍ଯ୍ୟା’ ପୁସ୍ତକ ‌ଲୋକାର୍ପିତ ହୋଇଥିଲା। କଳା ସଂସ୍କୃତି ସଂଘର ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପଶ୍ଚିମବଙ୍ଗର ଶିବଦୁର୍ଗା ଛଉ ଏକାଡେମିର ଶିଳ୍ପୀମାନେ ଛଉ ନୃତ୍ୟ ପରିବେଷଣ କରିଥିଲେ। ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର