ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଓସେପା, ଆଇଆଇଆଇଟି ଭୁବନେଶ୍ୱରର ମିଳିତ ପ୍ରୟାସରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ସ୍ତରୀୟ ହାକାଥନ୍‌ ଆରମ୍ଭ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ରଘୁରାମ ଆୟାର ରାଜ୍ୟସ୍ତରୀୟ ହାକାଥନ୍‌ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟନ କରି ଉଚ୍ଚସ୍ତରୀୟ ଜ୍ଞାନ ଓ ବୁଦ୍ଧି କୌଶଳସମ୍ପନ୍ନ କାର୍ଯ୍ୟକ୍ରମ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇଆଇଆଇଟି ରେଜିଷ୍ଟାର୍‌ ଦେବାଶିଷ ଜେନା, ଡେଲ୍‌ର ବରିଷ୍ଠ ନିର୍ଦେଶକ ପ୍ରଦୀପ ମିଶ୍ର, ଆଇବିଏମ୍‌ର ଟେକ୍‌ନିକାଲ୍‌ ମ୍ୟାନେଜର ଚନ୍ଦ୍ରଶେଖର ମହନ୍ତ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ସନାତନ ପଣ୍ଡା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ନିଜସ୍ୱ ଦୃଷ୍ଟିଭଙ୍ଗୀରେ ଆଧୁନିକ ପ୍ରାଦ୍ୟୋଗିକି ସମାଧାନକୁ କିପରି ସର୍ବସାଧାରଣରେ ଉପସ୍ଥାପନ କରିପାରିବେ ସେନେଇ ପରାମର୍ଶ ଦେଇଥିଲେ। ଆଇଆଇଆଇଟି ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକ ଯୋଗଦେଇ ଛାତ୍ରଛାତ୍ରୀଙ୍କର ହାକାଥନ୍‌ ସମ୍ବନ୍ଧିତ ଜ୍ଞାନ ଓ ବିଭିନ୍ନ ପ୍ରସଙ୍ଗରେ ଅଂଶଗ୍ରହଣ ଓ ମତାମତ ପାଇଁ ଉତ୍ସାହ ପ୍ରଦାନ କରିଥିଲେ।

Advertisment

ଏହି ଅଭିନବ କାର୍ଯ୍ୟକ୍ରମରେ ସମସ୍ତ ପ୍ରତିଯୋଗୀ ନିଜର ପ୍ରାୟୋଗିକୀ ଓ ଅଣ-ପ୍ରାୟୋଗିକୀ କଳାକୌଶଳକୁ ବିଭିନ୍ନ କ୍ଷେତ୍ର ଯଥା ପୁନଃନବୀକରଣ ଶକ୍ତି, କମ୍ପୁଟର ଆଧାରିତ ଆତ୍ମସହାୟତା ଦଳ, ସାଇବର ସୁରକ୍ଷା ବଳୟ, କୃଷି, ସ୍ୱାସ୍ଥ୍ୟ, ଶକ୍ତି ତଥା ଅନ୍ୟାନ୍ୟ କ୍ଷେତ୍ରରେ ପ୍ରୟୋଗ କରିବେ ଓ ନିଜର ପ୍ରକଳ୍ପ ପ୍ରସ୍ତୁତ କରିବେ। ଏଥିରେ ନିଯୁକ୍ତ ସମସ୍ତ ଯାନ୍ତ୍ରିକ ସରଞ୍ଜାମ ଓ ଜ୍ଞାନକୌଶଳର ଦିଗଦର୍ଶକ ଆଇଆଇଆଇଟି ଭୁବନେଶ୍ୱର ଦେବ। ଏଥିରେ ଉନ୍ନତ ସମାଧାନ ପ୍ରସ୍ତୁତକାରୀ ବିଜୟୀ ଦଳଙ୍କୁ ପୁରସ୍କୃତ କରାଯିବ। କିପରି ଏହି ପରିକଳ୍ପନାକୁ ପରବର୍ତ୍ତୀ ସମୟରେ ଉଦ୍ୟୋଗକୁ ରୂପାନ୍ତର କରାଯିବ, ସେନେଇ ସମସ୍ତ ସହାୟତା ଯୋଗାଇ ଦିଆଯିବ। ଏହାର ରାଜ୍ୟସ୍ତରୀୟ ପ୍ରତିଯୋଗିତା ଜାନୁଆରି ଶେଷ ସପ୍ତାହରେ ପାଳିତ ହେବ। ଆଇଆଇଆଇଟି ଦ୍ୱାରା ପ୍ରସ୍ତୁତ ୱେବସାଇଟ୍‌ www.odiapreniur.com ମାଧ୍ୟମରେ ଛାତ୍ରଛାତ୍ରୀ ହାକାଥନ୍‌ରେ ଅଂଶଗ୍ରହଣ କରିବା ପାଇଁ ଆଜିଠାରୁ ପଞ୍ଜିକରଣ ଆରମ୍ଭ ହୋଇଛି। ଆଜିର ଏହି ଦିନିକିଆ ପ୍ରଶିକ୍ଷଣ କର୍ମଶାଳାରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ), ଅତିରିକ୍ତ ଡିଇଓ, ଅଧ୍ୟାପକ, ଜିଲ୍ଲା ବିଜ୍ଞାନ ପ୍ରଶିକ୍ଷକ ଓ ଦୁଇ ଜଣ ଲେଖାଏ ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ।