ପ୍ରତି ସୋମବାର ବିଏମ୍‌ସିରେ ଜନ ଅଭିଯୋଗ ଶୁଣାଣି

ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ଅଗ୍ରାଧିକାର, ଭର୍ଚୁଆଲ୍‌ରେ ଉପସ୍ଥିତ ରହିବେ ଅଧିକାରୀ

ଭୁବନେଶ୍ୱର : ଆସନ୍ତା ସୋମବାର ଠାରୁ ବିଏମ୍‌ସି ଜନଅଭିଯୋଗ ଶୁଣାଣି କରିବାକୁ ଯାଉଛି। ପ୍ରତ୍ୟେକ ସୋମବାର ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ବିଏମ୍‌ସି ମୁଖ୍ୟାଳୟରେ କମିସନର ଜନସାଧାରଣଙ୍କକର ଅଭିଯୋଗର ଶୁଣାଣି କରିବେ। ଏଥିରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ଅଗ୍ରାଧିକାର ଦିଆଯିବ। ଅନ୍ୟ ଉପବିଭାଗୀୟ ଅଧିକାରୀମାନେ ଭର୍ଚୁଆଲ୍‌ରେ ଉପସ୍ଥିତ ରହି ଅଭିଯୋଗ ଶୁଣିବା ସହ ରେକର୍ଡ କରିବେ। ଅଭିଯୋଗ ଆସିବାର ୪ଦିନ ଭିତରେ ସେଗୁଡ଼ିକର ସମାଧାନ କରିବେ। କ’ଣ ସମାଧାନ କଲେ ବା ସମାଧାନ କରିବାରେ କଣ ସମସ୍ୟା ରହିଲା ତାହାର ସମୀକ୍ଷା ପ୍ରତି ଶନିବାର ହେବ।

ଅଧିକାରୀମାନେ ଭର୍ଚୁଆଲ୍‌ରେ ଶୁଣାଣିରେ ଉପସ୍ଥିତ ରହିବା ପାଇଁ ସମସ୍ତ ବ୍ୟବସ୍ଥା ଆଇଟି ଉପବିଭାଗ କରିବ। କମିସନର, ଅଭିଯୋଗକାରୀ ଓ ନିଜ ନିଜ ଅଫିସ୍‌ରୁ ଅଧିକାରୀମାନେ ଜୁମ୍‌ କିମ୍ବା ଗୁଗୁଲ୍‌ ମିଟ୍‌ ଜରିଆରେ ଯେଭଳି ସଂଯୁକ୍ତ ରହିବେ ସେଭଳି ବ୍ୟବସ୍ଥା କରିବାକୁ କମିସନର ବିଜୟ ଅମୃତା କୁଲାଙ୍ଗେ ଆଇଟି ଉପବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ସୁଦ୍ଧା ଏହି ଭର୍ଚୁଆଲ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ କୁହାଯାଇଛି। ବିଏମ୍‌ସିରେ ପ୍ରଥମ ଥର ପାଇଁ ଏଭଳି ଏକ ଅତ୍ୟାଧୁନିକ ଶୁଣାଣି ବ୍ୟବସ୍ଥା ହେବାକୁ ଯାଉଛି।

ବର୍ଷବର୍ଷ ଧରି ନଗରଶାସନ ବ୍ୟବସ୍ଥାରୁ ଅଫିସରମାନେ ଜନସାଧାରଣଙ୍କୁ ଦୂରେଇ ରଖିଥିବାରୁ ଲୋକଙ୍କ ପାଖରେ ରହିଥିବା ଗଦା ଗଦା ଅଭିଯୋଗ ସବୁ ଆକ୍ରୋଶ ପାଲଟି ଯାଇଥିଲା। କେତେକ ଅଫିସର ସାଧାରଣ ଲୋକଙ୍କୁ ପାଖରେ ପୂରାଇ ଦେଇନଥିଲେ। କେତେକ କାମ ଆରମ୍ଭ କରୁ କରୁ ୪ ୬ ମାସରେ ବଦଳି ହୋଇ ଯାଇଥିଲେ। ନିର୍ବାଚିତ ଜନ ପ୍ରତିନିଧି ନଥିବାରୁ ଅଫିସରମାନେ ଏଭଳି ମନଇଚ୍ଛା କାମ ନେଇ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ତନାଘନା ହୋଇଥିଲା। ନୂଆ କମିସନର ପୁଣି ଥରେ ଏହି ଜନ ଅଭିଯୋଗ ଶୁଣାଣିକୁ ଆଧୁନିକ ଶୈଳୀରେ ଆରମ୍ଭ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ବିଭିନ୍ନ ମହଲରେ ଏହି ପଦକ୍ଷେପକୁ ସ୍ବାଗତ କରାଯାଇଛି।

ତେବେ ପୂର୍ବରୁ ମେୟର ସୁଲୋଚନା ଦାସ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ପ୍ରତି ସପ୍ତାହରେ କର୍ପୋରେଟରମାନେ ୱାର୍ଡ ଅଫିସ୍‌ରେ ବସି ଜନଅଭିଯୋଗ ଶୁଣାଣି କରିବେ। ପ୍ରତ୍ୟେକ ୱାର୍ଡ ଅଫିସ୍‌ରେ ଅଭିଯୋଗ ବାକ୍ସ ରହିବ। ୭ ଦିନ ଭିତରେ ଆସିଥିବା ଅଭିଯୋଗର ଶୁଣାଣି ହେବ। ପରବର୍ତ୍ତୀ ଶୁଣାଣି ପୂର୍ବରୁ ଅଧିକାରୀମାନଙ୍କ ଜରିଆରେ ଅଭିଯୋଗର ସମାଧାନ ହେବ। ପ୍ରତ୍ୟେକ ଶୁଣାଣିର ରିପୋର୍ଟ ପ୍ରସ୍ତୁତ ହେବ। ଏହି ପ୍ରକ୍ରିୟାକୁ ମେୟର ତଦାରଖ କରିବେ।

ସମ୍ବନ୍ଧିତ ଖବର