ଭୁବନେଶ୍ୱର: ଦୀର୍ଘ ଦିନ ପରେ ଆଜି ବିଏମ୍ସିରେ ଆରମ୍ଭ ହୋଇଛି ଜନଅଭିଯୋଗ ଶୁଣାଣି। କମିସନର ବିଜୟ ଅମୃତା କୁଲାଙ୍ଗେ ଜନସାଧାରଣଙ୍କ ଅଭିଯୋଗ ଶୁଣିଛନ୍ତି। ଅନ୍ୟ ଉପବିଭାଗ ଦାୟିତ୍ବରେ ଥିବା ଅଧିକାରୀମାନେ ଭର୍ଚୁଆଲ୍ରେ ଉପସ୍ଥିତ ରହି ଶୁଣାଣିରେ ସାମିଲ ହୋଇଥିଲେ। ଆଜି ପ୍ରଥମ ଦିନରେ ୧୬ଟି ଅଭିଯୋଗର ଶୁଣାଣି ହୋଇଥିଲା। ବିଶେଷକରି ଅନ୍ଲାଇନ୍ ବ୍ୟବସ୍ଥା ହେବା ପରେ ଦୀର୍ଘ ଦିନ ହେବ ନିୟମିତ ଭତ୍ତା ମିଳୁନଥିବା, ବସ୍ତିରେ ବାସ କରୁଥିବା କେତେକ ମୂଳ ବାସିନ୍ଦାଙ୍କୁ ରାଜୀବ ଆବାସ ଯୋଜନା(ରେ)ରେ ସାମିଲ ନ କରିବା, ସଫେଇ କର୍ମଚାରୀଙ୍କୁ ସରକାର ଘୋଷଣା ମୁତାବକ ଠିକାଦାର ମଜୁରି ନ ଦେବା, ଦୀର୍ଘ ଦିନ ହେବ ରାସ୍ତା, ନଳା ଓ ସ୍ବେରେଜ୍ ସିଷ୍ଟମ୍ ନଥିବା ଭଳି ଅଭିଯୋଗ ନେଇ ଲୋକମାନେ କମିସନରଙ୍କ ଦ୍ବାରସ୍ଥ ହୋଇଥିଲେ। ୧୦ରୁ ମଧ୍ୟାହ୍ନ ୧୨ଟା ଯାଏଁ କମିସନର ତାଙ୍କ କାର୍ଯ୍ୟାଳୟରେ ବସି ଅଭିଯୋଗ ଶୁଣିଥିଲେ।
ତିନି ବର୍ଷ କାଳ ନିର୍ବାଚିତ ଜନପ୍ରତିନିଧି ନଥିବାରୁ ନଗର ଶାସନ ଡୋର ଅଧିକାରୀମାନଙ୍କ ହାତରେ ରହିଥିଲା। ଅଧିକାରୀମାନେ ଲୋକମାନଙ୍କୁ ପାଖରେ ପୂରାଇ ଦେଉନଥିଲେ। ଅଭିଯୋଗ କରିବା ପାଇଁ ଅନ୍ଲାଇନ୍ରେ ବ୍ୟବସ୍ଥା ରହିଥିଲେ ମଧ୍ୟ କେହି କାହାକଥା ଶୁଣୁନଥିଲେ। ଏଣୁ ଅଭିଯୋଗ ତୁଳନାରେ ସମାଧାନ କମ୍ ହେଉଥିଲା। ଦୀର୍ଘ ଦିନ ପରେ କମିସନର ବସି ଲୋକମାନଙ୍କର ଅଭିଯୋଗ ସିଧାସଳଖ ଶୁଣିଥିବାରୁ ସମସ୍ତ ଅଭିଯୋଗକାରୀ ଖୁସି ବ୍ୟକ୍ତ କରିଥିଲେ। ଏହି ପ୍ରକ୍ରିୟା ନିୟମିତ ଚାଲିବା ଆଶା ପ୍ରକାଶ କରିଥିଲେ। ତେବେ ଏହି ଅଭିଯୋଗ ଶୁଣାଣି ପ୍ରକ୍ରିୟାରେ ରହିଥିବା ଅନେକ ତ୍ରୁଟି ବିଚ୍ୟୁତି ଅସନ୍ତୋଷ ସୃଷ୍ଟି କରିଥିଲା।
ରୢାମ୍ପ ନାହିଁ:ବିଏମ୍ସିରେ ଆଜି ହୋଇଥିବା ଜନ ଅଭିଯୋଗ ଶୁଣାଣିରେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା। ସେମାନେ ଯେମିତି ସମସ୍ୟାର ସମ୍ମୁଖୀନ ନ ହେବେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଥିଲା। ବିଏମ୍ସି ଅଫିସ୍ରେ କମିସନରଙ୍କ ଚାମ୍ବର ପ୍ରଥମ ମହଲାରେ ରହିଥିଲା। ଆଜି ସେ ଏହି ଚାମ୍ବରରେ ବସି ଜନ ଅଭିଯୋଗ ଶୁଣାଣି କରୁଥିଲେ। ଏଠାରେ ପହଞ୍ଚିବାକୁ ହେଲେ ୨୬ଟି ପାହାଚ ଚଢ଼ିବାକୁ ପଡ଼ୁଥିଲା। ଦିବ୍ୟାଙ୍ଗମାନେ ଦୁଇ ହାତରେ ଦୁଇ ଆଶା ବାଡ଼ି ଧରି ଏହି ୨୬ ପାହାଚ ଚଢ଼ି କମିସନରଙ୍କ ନିକଟରେ ପହଞ୍ଚିଥିଲେ। ବରିଷ୍ଠ ନାଗରିକ ପ୍ରଥମ ମହଲାରେ ପହଞ୍ଚିବା ପରେ ତଳେ ବସି ପଡ଼ି ବିଶ୍ରାମ ନେଇଥିଲେ। ସତ୍ୟନଗରରୁ ଆସିଥିବା ଦିବ୍ୟାଙ୍ଗ କ୍ଷେତ୍ରମୋହନ ବେହେରା କହିଛନ୍ତି, ବହୁଦିନ ହେବ ଭତ୍ତା ମିଳୁନି। ଗୋଟାଏ ଗୋଡ଼ରେ ୨୬ ପାହାଚ ଚଢ଼ି ଓହ୍ଲାଇବା କାଠିକର ପାଠ ହେଉଛି। ତଳ ମହଲାରେ ଶୁଣାଣି ହେଲେ ଦିବ୍ୟାଙ୍ଗମାନେ କଷ୍ଟ ପାଆନ୍ତେନି।
ବାରଣ୍ଡାରେ ବରିଷ୍ଠ: ଜନଅଭିଯୋଗ ଶୁଣାଣିକୁ ଅଭିଯୋଗ ନେଇ ଆସୁଥିବା ଲୋକଙ୍କ ପାଇଁ ବସିବାକୁ ଜାଗା ନାହିଁ। ବରିଷ୍ଠ ନାଗରିକମାନଙ୍କୁ ଗୁରୁତ୍ବ ଦିଆଯାଉଥିବା ବିଏମ୍ସି କହୁଥିଲେ ମଧ୍ୟ ଆଜି ବରିଷ୍ଠ ନାଗରିକମାନେ କମିସନରଙ୍କ ଚାମ୍ବର ବାହାର ବାରଣ୍ଡାରେ ବସିଥିବା ଦେଖିବାକୁ ମିଳିଛି। ଏମାନଙ୍କ ବସିବା ପାଇଁ ଜାଗା ନଥିଲା। ୨୬ ପାହାଚ ଚଢ଼ି ଆସିବା ପରେ ଥକି ଯାଇ ଏମାନେ ବାରଣ୍ଡାରେ ବସିବାକୁ ବାଧ୍ୟ ହୋଇଥିଲେ। ପାନୀୟ ଜଳ ବ୍ୟବସ୍ଥା ମଧ୍ୟ ନଥିଲା। ପାଇଖାନା ବା ପରିସ୍ରାଗାର କଥା ପଚାରୁଛି କିଏ? ଏଭଳି ଅବ୍ୟବସ୍ଥାକୁ ନେଇ ବରିଷ୍ଠ ନାଗରିକମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ।
ପଞ୍ଜୀକରଣ ହେଉନି ଅଭିଯୋଗ: ଅଭିଯୋଗ ଶୁଣାଣି ଏସ୍ଓପି ମୁତାବକ, ଅଭିଯୋଗପତ୍ର ଗୁଡ଼ିକ ଗୋଟିଏ ଜାଗାରେ ପଞ୍ଜୀକୃତ ହେବ। ପ୍ରତି ଅଭିଯୋଗ ପତ୍ର ପାଇଁ ଗୋଟିଏ ପଞ୍ଜୀକରଣ ନମ୍ବର ରହିବ। ଏହି ନମ୍ବର ସମ୍ବଳିତ ଏକ ରସିଦ୍ ଅଭିଯୋଗକାରୀକୁ ମିଳିବ। ଏହି ରସିଦ୍ ଆଧାରରେ ଅଭିଯୋଗକାରୀ ସମ୍ପୃକ୍ତ ବିଭାଗରୁ ଅଭିଯୋଗର କଣ ସମାଧାନ ହେଲା ଜାଣିପାରିବ। କିନ୍ତୁ ଏଠାରେ ଅଭିଯୋଗ ପଞ୍ଜୀକରଣ ହେଉ ନାହିଁ କିମ୍ବା କୌଣସି ଅଭିଯୋଗକାରୀକୁ ପଞ୍ଜୀକରଣ ନମ୍ବର ମିଳୁନାହିଁ। ଏହି ସବୁ ସମସ୍ୟାର ସମାଧାନ ନକଲେ ଏହି ଅଭିଯୋଗ ଶୁଣାଣି ପ୍ରହସନ ହୋଇଯିବ ବୋଲି ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଆଶଙ୍କା ପ୍ରକଟ କରିଛନ୍ତି।