ସାରା ଓଡ଼ିଶାରେ ବିଜେପିର ଜୟଜୟକାର ଶୁଭିଲା। ଭୁବନେଶ୍ବର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଦ୍ବିତୀୟ ଥର ପାଇଁ ବିଜୟୀ ହୋଇଛନ୍ତି। ତଥାପି ରାଜଧାନୀର ତିନି ବିଧାନସଭା ଆସନ- ଉତ୍ତର, ମଧ୍ୟ ଓ ଏକାମ୍ର ସହିତ ଜୟଦେବ ଓ ଜଟଣୀରେ ବିଜେଡି ଭଲ ପ୍ରଦର୍ଶନ କରିଛି। ଅତନ୍ତଃ ପୂର୍ବଥରଠାରୁ ଖରାପ କରିନାହିଁ। କିନ୍ତୁ ରାଜ୍ୟ ଫଳାଫଳକୁ ନେଇ ରାଜଧାନୀରେ ବିଜେପି ବିଜୟର ମାହୋଲ୍ ରହିଛି। ନିର୍ବାଚନର ଫଳଫଳ ଘୋଷଣା ପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟାରେ ସ୍ପଷ୍ଟ ପ୍ରତିଫଳିତ ହୋଇଛି।
ଲୋକଙ୍କ ପାଖରେ ପହଞ୍ଚିଛି ବିଜେପି
ବିଜେପି ଲୋକଙ୍କ ପାଖରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗ୍ଦର୍ଶନ ଓ ପ୍ରଚାର ପ୍ରଭାବ ପକାଇଛି। ଲୋକମାନେ ଭୋଟ୍ କାହାକୁ ଦେବେ ସେନେଇ ନିର୍ବାଚନ ପୂର୍ବରୁ ଚୁପଚାପ୍ ଥିଲେ। ହେଲେ ନିର୍ବାଚନରେ ତା’ର ପ୍ରତିଫଳନ ଦେଖିବାକୁ ମିଳିଲା। ଗଣତନ୍ତ୍ରରେ ପରିବର୍ତ୍ତନ ଶୁଭ ସଂକେତ। ସରକାର ପରିବର୍ତ୍ତନ ହେବା ପରେ ବିଜେପି ଲୋକଙ୍କ ସହ ରହିଲେ ଆଗକୁ ଆହୁରି ଆଗେଇବେ।
ଲକ୍ଷ୍ମୀଧର ଦାଶ, ବରିଷ୍ଠ ଆଇନଜୀବୀ
କମ୍ ବ୍ୟବଧାନରେ ଜିତିବା ଦୁଃଖଦାୟକ
ଉତ୍ତର ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ ବିଜୟୀ ହୋଇଛନ୍ତି। ମାତ୍ର ଭୋଟ ବ୍ୟବଧାନ କମ ରହିଥିବାରୁ ଏହା ଅତ୍ୟନ୍ତ ଦୁଃଖଦାୟକ। ରାଜ୍ୟରେ ବିଜେପି ସରକାର ଗଢ଼ିବାକୁ ଯାଉଥିଲା ବେଳେ ବିଜୟୀ ବିଜେଡି ପ୍ରାର୍ଥୀ ବିରୋଧୀ ଦଳରେ ରହିବେ। ତେଣୁ ଅଞ୍ଚଳ ପାଇଁ କୌଣସି ଉନ୍ନୟନମୂଳକ କାର୍ଯ୍ୟ କରିବା ଏକ ପ୍ରକାର କଷ୍ଟକର ହୋଇପାରେ।
ଶ୍ୟାମସୁନ୍ଦର ସୁବୁଦ୍ଧି, ପଟିଆ
ସରକାର ସହଯୋଗ କରିବେ ବୋଲି ଆଶା
ଭୁବନେଶ୍ବର ଉତ୍ତରରେ ବିଜେଡି ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ ବିଜୟୀ ହେବା ଏକ ଶୁଭ ସମାଚାର। ମାତ୍ର ବିଜେପି ସରକାର ଗଠନ ହେଲେ ସେ ବିରୋଧୀ ଦଳରେ ରହି ଆଗାମୀ ଦିନରେ ଅଞ୍ଚଳ ପାଇଁ କ’ଣ କରିବେ ତାହା ପ୍ରଶ୍ନବାଚୀ ହୋଇଛି। ତେଣୁ ଅଞ୍ଚଳର ବିକାଶ ଆମକୁ ରାଜ୍ୟ ସରକାର ସହଯୋଗ କରିବେ ବୋଲି ଆଶା।
ନରେନ୍ଦ୍ର କୁମାର ଦାଶ, ଗାଡ଼କଣ
ମନ ମଉଳି ଗଲା
ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ ବିଜୟୀ ହୋଇ ଆସିବା ଭଲ। କିନ୍ତୁ ରାଜ୍ୟରେ ବିଜେପି ସରକାର କରିବା କଥା ଶୁଣି ମନ ମଉଳି ଗଲା। ଜିତିଥିବା ପ୍ରାର୍ଥୀଙ୍କ ଗତି ଆଗାମୀ ଦିନରେ କେଉଁ ଆଡ଼କୁ ହେବ ଭାବି ଆମ ଅଞ୍ଚଳର ଭୋଟରମାନେ ଚିନ୍ତାରେ। ରାଜନୀତିରେ ଯାହାହେଉ ମାତ୍ର ଆମ ଅଞ୍ଚଳର ଉନ୍ନତି ପାଇଁ ସୁଶାନ୍ତ ବାବୁ ଆଗାମୀ ଦିନରେ କାର୍ଯ୍ୟ କରିବେ ବୋଲି ଆଶା।
ଜୟକୃଷ୍ଣ ପଣ୍ଡା, ଢାୱା
ବିଜେପିର ବହୁଦିନର ସ୍ବପ୍ନ ପୂରଣ ହେଲା
ବିଜେପିର ବହୁଦିନର ପରିଶ୍ରମ ଓ ସ୍ବପ୍ନ ଆଜି ପୂରଣ ହେଲା। ଓଡ଼ିଆ ଅସ୍ମିତା, ରତ୍ନଭଣ୍ଡାର ପ୍ରସଙ୍ଗ ଆଦି ମତଦାନରେ ପ୍ରତିଫଳିତ ହେଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଚାର ଲୋକଙ୍କ ହୃଦୟକୁ ଛୁଇଁଲା।
କିଶୋର ବେହେରା, ପୁରୁଣା ଭୁବନେଶ୍ୱର
ଉନ୍ନତିମୂଳକ କାର୍ଯ୍ୟ କରିବେ ବୋଲି ଆଶା
ଜଟଣୀବାସୀ ପୂର୍ବରୁ ବିଭୂତି ବଳବନ୍ତରାୟଙ୍କ ଉପରେ ବିଶ୍ୱାସ ପ୍ରକଟ କରିସାରିଥିଲେ। ଆଜି ତା’ର ଫଳ ପ୍ରକାଶ ପାଇଛି। ଆଶା କରୁଛୁ ଶ୍ରୀ ବଳବନ୍ତରାୟ ଜଟଣୀରେ ଆହୁରି ଅଧିକ ଉନ୍ନତିମୂଳକ କାର୍ଯ୍ୟ କରନ୍ତୁ। ବିଶେଷ କରି ଜଟଣୀବାସୀଙ୍କ ମୁଖ୍ୟ ସମସ୍ୟା ଉପରେ ଅଧିକ ଗୁରୁତ୍ୱ ଦେବେ। ଅନ୍ୟପଟେ ରାଜ୍ୟବାସୀ ପରିବର୍ତ୍ତନ ଚାହୁଥିଲେ, ପରିବର୍ତ୍ତନ କଲେ। ବିଜେପି ସରକାର ରାଜ୍ୟକୁ ଆହୁରି ଅଧିକ ଉନ୍ନତି କରିବ ବୋଲି ଆଶା
ରଶ୍ମିରଞ୍ଜନ ଛୋଟରାୟ, ଖୁଦପୁର, ଜଟଣୀ
ଲୋକେ ପରିବର୍ତ୍ତନ କରିବାକୁ ପଛଘୁଞ୍ଚା ଦେବେ ନାହିଁ
ଜଟଣୀରେ ବିଭୂତି ବଳବନ୍ତରାୟ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି, ଏହା ସ୍ବାଗତଯୋଗ୍ୟ। କିନ୍ତୁ ଜଟଣୀବାସୀଙ୍କର ବର୍ଷ ବର୍ଷ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ବିଧାୟକଙ୍କ ପ୍ରଥମ କର୍ତ୍ତବ୍ୟ। ନହେଲେ ଲୋକେ ପରିବର୍ତ୍ତନ କରିବାକୁ ପଛଘୁଞ୍ଚା ଦେବେନାହିଁ। ଅନ୍ୟପଟେ ସରକାର ପରିବର୍ତ୍ତନ ଓ ମଜଭୁତ ବିରୋଧୀ ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର। ଅପରାଜିତା ଷଡ଼ଙ୍ଗୀ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବେ ବୋଲି ଆଶା ରଖିଛୁ।
ଲକ୍ଷ୍ମୀଧର ମହାନ୍ତି, କୁଦିଆରି, ଜଟଣୀ
ଲୋକଙ୍କ ସେବା କରିବା ପ୍ରଥମ କର୍ତ୍ତବ୍ୟ ହେଉ
ପ୍ରଥମ ଥର ଚଳିତ ନିର୍ବାଚନରେ ମୁଁ ମତଦାନ କରିଛି। ଜଟଣୀରେ ବିଭୂତି ବଳବନ୍ତରାୟ ନିର୍ବାଚନରେ ବିଜୟୀ ହୋଇଛନ୍ତି। ଏହା ଆମ ନିର୍ବାଚନମଣ୍ଡଳୀ ପାଇଁ ଭଲ। କିନ୍ତୁ ଲୋକପ୍ରତିନିଧି ଭାବେ ସେ ଲୋକଙ୍କ ସେବା କରିବା ପ୍ରଥମ କର୍ତ୍ତବ୍ୟ। ଯିଏବି ସରକାର କରୁ ସାଧାରଣ ଜନତା ହେଲେ ସର୍ବେସର୍ବା, ତାଙ୍କ ସେବା ପ୍ରଥମ କର୍ତ୍ତବ୍ୟ। ଲୋକେ ଚାହିଲେ ବୋଲି ପରିବର୍ତ୍ତନ କରିକି ଦେଖାଇଦେଲେ, ତେଣୁ ଲୋକଙ୍କ ପାଇଁ କାମ କଲେ ଭଲ ନହେଲେ ପୁଣି ବଦଳାଇ ଦେବେ।
ସୌମ୍ୟଜିତ ବେହେରା, ଜଟଣୀ
ପରିବର୍ତ୍ତନର ବାର୍ତ୍ତା ସ୍ପଷ୍ଟ
ଚଳିତ ନିର୍ବାଚନରେ ପରିବର୍ତ୍ତନର ବାର୍ତ୍ତା ଖୁବ୍ ସ୍ପଷ୍ଟ। ସାଧାରଣ ଭୋଟର ସ୍ପଷ୍ଟ ଭାବରେ ସରକାର ବିରୋଧରେ ଜନାଦେଶ ଦେଇଛନ୍ତି। ଶାସକ ଦଳର ଅତ୍ୟଧିକ ଆତ୍ମବିଶ୍ବାସ, ବିଜେପିର ଯୋଜନାବଦ୍ଧ ରଣକୌଶଳ ଓ ଦୁଇ ପ୍ରମୁଖ ଦଳ ମଧ୍ୟରେ ବୁଝାମଣାର ଉଦ୍ୟମ ପରେ ପ୍ରତିଦ୍ବନ୍ଦ୍ବିତା ହିଁ ବିଜେଡିର ବିଫଳତା ପାଇଁ ଦାୟୀ। ସରକାର ବିରୋଧୀ ଲୋକଙ୍କ ମତ, ବିଜେପିର ଯୋଜନା ଅନେକାଂଶରେ ଲୋକଙ୍କ ପାଖରେ ପହଞ୍ଚିଛି। ଭିତରେ ଏଭଳି ବଡ଼ ବ୍ୟବଧାନ ଜଣାଉଛି ଯେ, ମଧ୍ୟବିତ୍ତ ପରିବାର ବିଜେଡିଠାରୁ ନିଜର ଭରସା ହରାଇଛନ୍ତି। ମଧ୍ୟବିତ୍ତ ପରିବାରର ମହିଳା ଓ ଯୁବପିଢ଼ି ବିଜେଡି ଠାରୁ ବିଜେପିକୁ ରାଜ୍ୟ ଶାସନ କରିବାକୁ ଅଧିକ ଯୋଗ୍ୟ ଭାବିଛନ୍ତି। ଏଥିରେ କଂଗ୍ରେସ ପୂର୍ବ ଅପେକ୍ଷା ଅଧିକ ଲାଭବାନ ହେଇଛି।
ମାନସ ବେହେରା, ରାଜନୈତିକ ସମୀକ୍ଷକ
ପ୍ରତିଶ୍ରୁତି ପୂରଣ କରିବେ ବୋଲି ଆଶା
ବିଳମ୍ବରେ ହେଲେ ମଧ୍ୟ ଓଡ଼ିଶାରେ ଧାରା ବଦଳିଛି। ଏହା ହେଉଛି ଓଡ଼ିଆ ଅସ୍ମିତା ସହ ଖେଳିବାର ପରିଣାମ। ଭଲ କଥା ହେଲା ରାଜ୍ୟର ଶାସନ ଡୋର ବିଜେପି ରୂପରେ ଏକ ଜାତୀୟ ଦଳ ହାତକୁ ଯାଇଛି। ଏଣୁ ଓଡ଼ିଶାରେ ବିକାଶର ଗତି ନିଶ୍ଚିତ ଭାବେ ବଢ଼ିବ ବୋଲି ଆମେ ଆଶା କରିପାରିବା। ଏହି ଐତିହାସିକ ବିଜୟ ପାଇଁ ବିଜେପିକୁ ଅଭିନନ୍ଦନ। ତେବେ କ୍ଷମତାର ବିକେନ୍ଦ୍ରୀକରଣ କରି ବିଭିନ୍ନ ସ୍ତରରେ ଥିବା ଦୁର୍ନୀତିକୁ ଦୂର କରିବାକୁ ଆଗାମୀ ସରକାରକୁ ଅନୁରୋଧ କରିବି। ରତ୍ନଭଣ୍ଡାର ଖୋଲିବା ଭଳି ଦେଇଥିବା ବିଭିନ୍ନ ପ୍ରତିଶ୍ରୁତିକୁ ପୂରଣ କରିବାକୁ ବିଜେପି ସରକାର ପ୍ରାଥମିକତା ଦେବେ ବୋଲି ଆଶା ଓ ବିଶ୍ବାସ।
ଭାଗ୍ୟଲକ୍ଷ୍ମୀ ରାଉତ, ଗୃହିଣୀ, ଚନ୍ଦ୍ରଶେଖରପୁର
ନୂଆ ସରକାରକୁ ଶୁଭେଚ୍ଛା
ଓଡ଼ିଶା ରାଜନୀତିରେ ଏଭଳି ବିରାଟ ପରିବର୍ତ୍ତନ ହୋଇଥିବାରୁ ମୁଁ ବହୁତ ଖୁସି। ନୂଆ ସରକାରଙ୍କୁ ଶୁଭେଚ୍ଛା ଜଣାଉଛି। ଓଡ଼ିଶାର ସାମଗ୍ରିକ ବିକାଶ କ୍ଷେତ୍ରରେ ଏହି ସରକାର କାର୍ଯ୍ୟ କରିବେ ବୋଲି ଆଶା ରଖୁଛି। ଧନୀ-ଦରିଦ୍ର ମଧ୍ୟରେ ପ୍ରଭେଦ ଦୂର କରିବା ସହ ଅପହଞ୍ଚ ଇଲାକାକୁ ମୁଖ୍ୟ ସ୍ରୋତରେ ସାମିଲ କରି ଏହି ସରକାର ଆଗକୁ ବଢ଼ନ୍ତୁ। ଚାଷୀମାନଙ୍କୁ ସେମାନଙ୍କର ନ୍ୟାଯ୍ୟ ଦାବି ପ୍ରଦାନ ଲାଗି ନୂଆ ସରକାର ଚେଷ୍ଟା କରିବା ଉଚିତ।
ଶୈଳବାଳା ରଥ, ପୂର୍ବତନ ଶିକ୍ଷୟିତ୍ରୀ, ଖଣ୍ଡପଡ଼ା, ନୟାଗଡ଼
ଓଡ଼ିଆ ହୋଇଯାଉଥିଲେ କୋଢ଼ିଆ
ନବୀନ ପଟ୍ଟନାୟକ ତାଙ୍କ ପ୍ରଥମ ୧୦ ବର୍ଷ ଭଲ କରିଥିଲେ। ସ୍ବଚ୍ଛ ଶାସନ ଦେଇଥିଲେ। ପରେ ସବୁ ଗଡ଼ବଡ଼ ଆରମ୍ଭ ହୋଇଥିଲା। ନବୀନ ଅନ୍ୟକୁ ଥଳି ବଢ଼ାଇ ଦେବା ଭୁଲ ନିଷ୍ପତ୍ତି ଥିଲା। ଓଡ଼ିଶାର ସ୍ବାଭିମାନକୁ ନେଇ ମନ ଦୁଃଖ ହେଉଥିଲା। ଓଡ଼ିଶାର ଲୋକମାନେ ମାଗଣା ଯୋଜନା କାରଣରୁ କୋଢ଼ିଆ ବି ହୋଇଯାଉଥିଲେ। ନୂଆ ସରକାର ନିଶ୍ଚିତ କିଛି ଭଲ କରିବେ ବୋଲି ମୋର ଦୃଢ଼ ଆଶା।
ଚପଳା ସ୍ବାଇଁ, ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ, ମାର୍ଥାପୁର
ନୂଆ ସରକାର ହେବା ଖୁସିର କଥା
ଏତେ ବର୍ଷ ପରେ ନୂଆ ସରକାର ଗଠନ ହେବା ଖୁବ୍ ଖୁସିର କଥା। କିଛି ପରିବର୍ତ୍ତନ ହେବ ବୋଲି ଆଶା ମଧ୍ୟ ଅଛି। ଏମିତି ଅନେକ ସ୍ଥାନ ଅଛି ଯେଉଁଠି ଆମ୍ବୁଲାନ୍ସ ମଧ୍ୟ ଯାଇପାରୁନି। ତେଣୁ ତା’ର ସ୍ଥାୟୀ ସମାଧାନ ଯଥାଶୀଘ୍ର କରିବେ ବୋଲି ଆଶାବାଦୀ ଅଛୁ।
ସୁଶ୍ରୀ ସଙ୍ଗୀତା ରଥ, ଗୃହିଣୀ, ଭୁବନେଶ୍ବର
ନୂଆ ସରକାର ବିକାଶର ଧାରାକୁ ଆଗକୁ ନେଉ
ଅଣଦେଖା ଓ କୋଣଠେସା ପ୍ରକୃତି ପାଇଁ ଆଜି ବିଜୁ ଜନତା ଦଳ ଶାସନରୁ ବଞ୍ଚିତ ହେଲା। ୨୪ ବର୍ଷ ଧରି ଅପ୍ରତିଦ୍ୱନ୍ଦ୍ବୀ ଭାବେ ଶାସନ କରିଥିବା ନବୀନ ପଟ୍ଟନାୟକ କେବେ ଭାବିନଥିବେ ଯେ ତାଙ୍କ କର୍ମୀମାନେ ସବୁବେଳେ ଓଡ଼ିଶାବାସୀଙ୍କୁ ହେୟଜ୍ଞାନ କରୁଛନ୍ତି। ଆଶା ରହିବ ନୂଆ ସରକାର ଏହି ପରିବର୍ତ୍ତନର ଧାରାକୁ ଅବ୍ୟାହତ ରଖିବା ସହିତ ରାଜ୍ୟର ବିକାଶ ଧାରାକୁ ଆଗେଇ ନେବ।
ଶୁଭାଙ୍ଗି ମଧୁସ୍ମିତା ବସ୍ତିଆ, ଛାତ୍ରୀ
ବ୍ୟବସାୟୀଙ୍କ ସୁବିଧା ପ୍ରତି ଧ୍ୟାନ ଦିଅନ୍ତୁ
ଦୀର୍ଘ ୨୪ ବର୍ଷର ଶାସନର ଅନ୍ତ ଘଟିଛି। ଏତେ ବର୍ଷର ଶାସନକୁ ଗତ ୫ ବର୍ଷ ନଷ୍ଟ କରିଦେଲା। ଦଳର ଜଣେ ବ୍ୟକ୍ତିଙ୍କ ପ୍ରଭାବ ଏହି ପରାଜୟର କାରଣ ସାଜିଲା। ଆଗାମୀ ସରକାର ଲୋକମାନଙ୍କର ହିତ ସାଧନ କରିବା ସହିତ ବ୍ୟବସାୟୀଙ୍କ ସୁବିଧା ଓ ସୁଯୋଗ ପ୍ରତି ଧ୍ୟାନ ଦିଅନ୍ତୁ ଏହା ହିଁ କାମନା।
ପ୍ରଦ୍ୟୁମ୍ନ କୁମାର ଜେନା, ସଭାପତି, ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ
ପୂର୍ବ ଦାବି ପୂରଣ ହେଉ
ବିଜେଡିର ପରାଜୟ ହେବ ଆଶା ନଥିଲା। କିନ୍ତୁ ଲୋକଙ୍କ ମତ ସର୍ବାଗ୍ରେ। ଲୋକ ପ୍ରଥମ କରି ପରିବର୍ତ୍ତନର ସ୍ୱର ଉତ୍ତୋଳନ କରିଛନ୍ତି। ବ୍ୟବସାୟୀଙ୍କ ଦାବି ପୂରଣ ହେଉ। ଏହା ହିଁ ଆଶା।
ବଦ୍ରି ନାରାୟଣ ମିଶ୍ର, ସାଧାରଣ ସମ୍ପାଦକ, ଭୌମନଗର ହାଟ ବ୍ୟବସାୟୀ ସଂଘ
ନିର୍ବାଚନ ଫଳ ଯୁବପିଢ଼ିଙ୍କ ପାଇଁ ଉତ୍ସାହ ଭରି ଦେଇଛି
ଏକାମ୍ର ନିର୍ବାଚନମଣ୍ଡଳୀରେ ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ବିଜୟୀ ହୋଇଛନ୍ତି। ଯାହା ଆଶା ଥିଲା ତାହାହିଁ ହୋଇଛି। ରାଜ୍ୟରେ ବିଜେପି ସରକାର ଗଢ଼ିବାକୁ ଯାଉଥିଲା ବେଳେ ଅପରାଜିତାଙ୍କ ବିଜୟ ଆମ ଯୁବପିଢ଼ିଙ୍କ ପାଇଁ ଅନେକ ଉତ୍ସାହ ଭରି ଦେଇଛି। ବାବୁ ସିଂ ଓ ଅପରାଜିତା ଉଭୟ ମିଶି ଅଞ୍ଚଳ ପାଇଁ ଅନେକ ଭଲ କାମ କରିବେ ବୋଲି ଆଶା।
ଆଦିତ୍ୟ ଆଦର୍ଶ ରଥ, ଛାତ୍ର
ଅନେକ କିଛି ଆଶା ରହିଛି
ମୁଁ ମୋ ଭୋଟ ବିଜେପିକୁ ହିଁ ଦେଇଥିଲି। ରାଜ୍ୟରେ ବିଜେପି ସରକାର ଆସିଲା। ବାବୁ ସିଂଙ୍କୁ ସୁଯୋଗ ଦେଇ ତାଙ୍କଠାରୁ ଅନେକ କିଛି ଆଶା ରହିଛି। ସେ ଶାସନକୁ ଆସିବା ପରେ ଭଲ କାମ ଅକ୍ରିବେ ବୋଲି ଆଶା।
ମୌସୁମୀ ରଥ, ଯୁବ ଭୋଟର
ଅଞ୍ଚଳର ଉନ୍ନତି ପାଇଁ କାମ କରନ୍ତୁ
ଅଶୋକ ଚନ୍ଦ୍ର ପଣ୍ଡା ଅନେକ ଥର ସୁଯୋଗ ପାଇ ଅଞ୍ଚଳ ପାଇଁ ବହୁତ କିଛି କରିଛନ୍ତି। ହେଲେ ବାବୁ ସିଂଙ୍କୁ ଏଥର ସୁଯୋଗ ଦେଇଛୁ। ଆଶା ସେ ତାଙ୍କଠାରୁ ଅନେକ ଭଲ କାମ କରିବେ। ହେଲେ ଆଗାମୀ ଦିନରେ କେଉଁ ଦିଗକୁ ରାଜନୀତି ପାଣିପାଗ ଯିବ ସେ ନେଇ ଭୋଟରମାନେ ଚିନ୍ତାରେ। ରାଜନୀତିରେ ଯାହାହେଉ ମାତ୍ର ଆମ ଅଞ୍ଚଳର ଉନ୍ନତି ପାଇଁ କାମ କଲେ ଭଲ।
ଆୟୁଷ ନାୟକ
ବିଜୁବାବୁଙ୍କ ସମ୍ମାନ ଗଲା
ନବୀନ ପଟ୍ଟନାୟକ ଗତ ନିର୍ବାଚନରେ ନିଜ ବୁଦ୍ଧିରେ ନ ଚାଲି ପାଣ୍ଡିଆନଙ୍କ ବୁଦ୍ଧିରେ ଯାଇ ନିଜର ସର୍ବସ୍ୱ ହାନୀ କଲେ। କେବଳ ନିଜର ନୁହେଁ ଓଡ଼ିଶାର ଅସ୍ମିତାକୁ ମଧ୍ୟ ହତ୍ୟାକରି ନିଜର ସମ୍ମାନ ଓ ଯଶ ହରାଇଲେ। ଏପରିକି ଯେଉଁ ସମ୍ମାନ ବିଜୁବାବୁଙ୍କର ଥିଲା ତାହା ଉପରେ ମଧ୍ୟ କଳଙ୍କ ଲଗାଇଲେ।
ସିନ୍ଧୁବାଳା ପୁରୋହିତ, ମହିଳା ସାମାଜିକକର୍ମୀ
କୁପଥଗାମୀର ଫଳ ଭୋଗିବାକୁ ପଡ଼ିଲା
ନବୀନବାବୁ ଓଡ଼ିଶାର ଜଣେ ସ୍ୱଛ ରାଜନୈତିକ ବ୍ୟକ୍ତିଭାବେ ବେଶ ପରିଚିତ। କିନ୍ତୁ ଯେତେବେଳେ ସେ ଜଣେ ତାମିଲିୟାନ ଚାକିରିଆଙ୍କ ଦ୍ୱାରା ପ୍ରଭାବିତ ହୋଇ ବିପଥଗାମୀ ହୋଇଗଲେ। ଏପରିକି ଆମର ଇଷ୍ଟଦେବ ଶ୍ରୀ ଜଗନ୍ନାଥଙ୍କୁ ଭିକ୍ଷା ମାଗିବାଠାରୁ ଆରମ୍ଭ କରି ଉଷୁନା ଚାଉଳ ଦେବାର ପ୍ରୟାସ କଲେ। ତାହାକୁ ଓଡ଼ିଶାବାସୀ ସହ୍ୟ କରି ପାରିଲେ ନାହିଁ। ବିଭିନ୍ନ ସଭାସ୍ଥଳକୁ ନିଜେ ନଯାଇ ପାଣ୍ଡିଆନ ଯାଉଥିବାରୁ ତାଙ୍କୁ କେହି ପସନ୍ଦ କଲେନି। ଯାହାର ଫଳ ଦେଖିବାକୁ ମିଳିଲା।
ରାମକୃଷ୍ଣ ପଟ୍ଟନାୟକ, ରାଜନୈତିକ ସମୀକ୍ଷକ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/voteing.jpg)