କୁଆଡ଼େ ଗଲା ପୁଲିସ-ପବ୍ଲିକ ଭାବ ବିନିମୟ : ‌ଲୋକଙ୍କଠାରୁ ଦୂରେଇ ଗଲେ

ଭୁବନେଶ୍ବର : ଦୀର୍ଘ ଦିନ ଧରି କମିସନରେଟ୍‌ ପୁଲିସର ଲୋକପ୍ରିୟ କାର୍ଯ୍ୟକ୍ରମ ଭାବେ ଜଣାଶୁଣା ପୁଲିସ ପବ୍ଲିକ ଇଣ୍ଟରାକ୍ସନ ବା ଭାବ ବିନିମୟ ଠପ୍‌ ହୋଇଯାଇଛି। ପୂର୍ବରୁ ନିୟମିତ ଭାବେ ଚାଲୁ ରହିଥିବା ଏହି କାର୍ଯ୍ୟକ୍ରମ ଏବେ ପ୍ରାୟ ବର୍ଷକରୁ ଅଧିକ ସମୟ ହେଲା ହେଉନାହିଁ। ଏକ ଗୁରୁତ୍ବହୀନ କାର୍ଯ୍ୟକ୍ରମ ଭଳି ଏହାକୁ କମିସନରେଟ୍‌ ପୁଲିସ ଭୁଲି ଯାଇଛି କିମ୍ବା ଅନାବଶ୍ୟକ କାର୍ଯ୍ୟକ୍ରମ ଭାବି ପୂରା ଠପ୍ କରିଦେଇଛି ବୋଲି ରାଜଧାନୀବାସୀ ଅଭିଯୋଗ କରୁଛନ୍ତି। ପୁଲିସ ଲୋକଙ୍କ ନିକଟତର ହେବାକୁ ବା ଲୋକଙ୍କୁ ପୁଲିସର ନିକଟତର କରିବାକୁ ଲକ୍ଷ୍ୟ ରଖିଥିବା ଏହି କାର୍ଯ୍ୟକ୍ରମକୁ ଜାଣିଶୁଣି ବନ୍ଦ କରି ଦିଆଯାଇଛି ବୋଲି ଚର୍ଚ୍ଚା ହେଉଛି। ଅଧିକାରୀ ବଦଳିଲେ, କାର୍ଯ୍ୟକ୍ରମ ବଦଳିବା ନ୍ୟାୟରେ ଏହାକୁ ବନ୍ଦ କରି ଦିଆଯାଇଛି ବୋଲି କୁହାଯାଉଛି।

ତତ୍କାଳୀନ ପୁଲିସ କମିସନର୍‌ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସମୟରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଓ ନିୟମିତ ଭାବେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଅନୁଷ୍ଠିତ ହେଉଥିଲା। ମୂଳ ଲକ୍ଷ୍ୟ ଥିଲା ଲୋକଙ୍କ ସହ ପୁଲିସ ସିଧାସଳଖ ଯୋଡ଼ି ହେବା। ରାଜଧାନୀବାସୀଙ୍କ ଦୁଃଖସୁଖ ଭଲମନ୍ଦ ଓ ସମସ୍ୟା ସହ ଯୋଡ଼ି ହେବା। ବିଶେଷକରି ମହିଳା ଓ ବରିଷ୍ଠ ନାଗରିକମା‌ନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ବେଶ୍ ଗୁରୁତ୍ବ ରଖୁଥିଲା। ଲୋକେ ସିଧାସଳଖ ବରିଷ୍ଠ ପୁଲିସ ପଦାଧିକାରୀମାନଙ୍କୁ ସେମାନଙ୍କ ସମସ୍ୟା ଜଣାଇବାକୁ ସୁଯୋଗ ପାଉଥିଲେ। ଥାନା ବାବୁମାନଙ୍କ ମନମାନି ହେଉ ବା ଦୁର୍ବଳ ପାଟ୍ରୋଲିଂ ବ୍ୟବସ୍ଥା ଆଦି ସମସ୍ୟା ସମ୍ପର୍କରେ ଲୋକେ ସିଧାସଳଖ ସିପି ଓ ଡିସିପିଙ୍କ ଭଳି ବଡ଼ବାବୁମାନଙ୍କ କାନ କରି ପାରୁଥିଲେ। ସେହିଭଳି ବିଭନ୍ନ ଅଞ୍ଚଳରେ ସୃଷ୍ଟି ହେଉଥିବା ଟ୍ରାଫିକ୍ ପରିଚାଳନାଗତ ସମସ୍ୟା ଉପରେ ଆଲୋକପାତ କରାଯାଉଥିଲା ଓ କିଛି ସମସ୍ୟାର ସମାଧାନ ମଧ୍ୟ ହୋଇପାରୁଥିଲା। ସେହିଭଳି ବିଭିନ୍ନ କଲୋନିରେ ଚାଲୁଥିବା ବେଆଇନ କାର୍ଯ୍ୟକଳାପ ବାବଦରେ ମଧ୍ୟ ଲୋକେ ପୁଲିସ ଅଧିକାରୀମାନଙ୍କୁ ଅବଗତ କରାଇବା ସୁଯୋଗ ପାଇପାରୁଥି‌ଲେ। ତେଣୁ ଯେଉଁ କିଛି କାର୍ଯ୍ୟ ଥାନା ପୁଲିସ ଦ୍ବାରା ସମ୍ଭବ ହେଉନଥିଲା, ତାହା ସିପି କିମ୍ବା ଡିସିପିଙ୍କ ହସ୍ତକ୍ଷେପ ଦ୍ବାରା ସହଜରେ ସମାଧାନ ହୋଇ ଯାଉଥିଲା। ଏମିତିକି ବିଦ୍ୟୁତ୍‌ ସମ୍ପର୍କିତ ସମସ୍ୟା ହେଉ ବା ସଫେଇ ସମସ୍ୟା ହେଉ, କମିସନରେଟ୍‌ ପୁଲିସର ହସ୍ତକ୍ଷେପ ଯୋଗୁଁ ଲୋକେ ସୁଫଳ ପାଉଥିଲେ।

ବିଶେଷକରି ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଦିଗରେ ପୁଲିସକୁ ସହଯୋଗ କରିବା ପାଇଁ ଏହି କାର୍ଯ୍ୟକ୍ରମ ବେଶ୍ ଗୁରୁତ୍ବ ରଖୁଥିଲା। ବିଭିନ୍ନ କଲୋନିରେ ଭଡ଼ା ଘର, ମେସ୍ ଓ ବେଆଇନ ବେପାର ଆଦିକୁ ନେଇ ଉପୁଜୁଥିବା ସାମୂହିକ ସମସ୍ୟା ବାବଦରେ ଲୋକେ ପୁଲିସକୁ ଜଣାଇ ପାରୁଥିଲେ।

ମୋଟାମୋଟି ଭାବେ ରାଜଧାନୀବାସୀଙ୍କ ସହ ପୁଲିସ ପ୍ରଶାସନ ସର୍ବଦା ରହିଛି ବୋଲି ଅନୁଭବ କରାଇବା ଥିଲା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ। ମାତ୍ର ଏବେ ଏହାକୁ ପୂରାପୂରି ବନ୍ଦ କରି ଦିଆଯାଇଥିବାରୁ ଲୋକେ ଭିନ୍ନ କଥା ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି। କମିସନରେଟ୍‌ ପୁଲିସ ଏମିତି କିଛି କାର୍ଯ୍ୟକ୍ରମ କେବଳ ଲୋକଦେଖାଣିଆ ଭାବେ କରେ ଓ ପୁଣି କିଛି ଦିନ ପରେ ବନ୍ଦ କରି ଦିଏ ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ସିପି କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାରୁ ସୂଚନା ଅଧିକାରୀ ଶିଶିର ମିଶ୍ର କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ପୂରା ବନ୍ଦ ହୋଇନାହିଁ। ଖୁବ୍‌ ଶୀଘ୍ର ପୁଣି ଆରମ୍ଭ କରାଯିବ। ପ୍ରାୟ ଦୁଇ ସପ୍ତାହ ଭିତରେ ଏହି କାର୍ଯ୍ୟକ୍ରମ ପୁଣି ପୂର୍ବଭଳି ଆରମ୍ଭ କରାଯିବ ‌ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର