ଭୁବନେଶ୍ୱର: ରାଜଧାନୀର ସ୍ମାର୍ଟ ଜନପଥକୁ ଏବେ ଦୋକାନୀଙ୍କ ଆଲୁଅ ଭରସା। ଦୋକାନୀ ଆଲୁଅ ଲଗାଇଲେ ଜନପଥର ରାସ୍ତା ଆଲୋକିତ ହେଉଛି। ବାଣୀବିହାରରୁ ରୂପାଲି ଛକ ଏବଂ ରାଜମହଲରୁ ଶିଶୁଭବନ ରାସ୍ତାର ଅଧିକାଂଶ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍ ଜଳୁନାହିଁ। ସେହିପରି ମଧ୍ୟ ଭାଗରେ ଥିବା ବାଉଁଶ ମେଡିଆନ୍ ସ୍ଥାନେ ସ୍ଥାନେ ଭାଙ୍ଗିଗଲାଣି। ମାତ୍ର ୩ ବର୍ଷ ତଳେ ପ୍ରାୟ ୧୦୬ କୋଟି ଟଙ୍କା ଖର୍ଚ୍ଚରେ ପ୍ରସ୍ତୁତ ହୋଇଥିବା ସ୍ମାର୍ଟ ଜନପଥର ସୌନ୍ଦର୍ଯ୍ୟ ଉଜୁଡ଼ି ଗଲାଣି।
ସ୍ମାର୍ଟ ଜନପଥରରେ ପ୍ରାୟ ୨୫୦ ଷ୍ଟ୍ରିଟ୍ ଲାଇଟ୍ ଏବଂ ୧୦ଟି ହାଇମାଷ୍ଟ ଲାଇଟ୍ ଲାଗିଛି। ମେଡିଆନ ମଝିରେ ଥିବା ପ୍ରାୟ ୩୫ଟି ଷ୍ଟ୍ରିଟ୍ ଲାଇଟ୍ ଅଚଳ ଅବସ୍ଥାରେ ଅଛି। ସେହିପରି ଉଭୟ ପାର୍ଶ୍ୱରେ ଥିବା ୬୦ଟି ଖୁଣ୍ଟିରେ ବଲ୍ବ ଜଳୁନାହିଁ। ସୌନ୍ଦର୍ଯ୍ୟୀକରଣ ପାଇଁ ଲାଗିଥିବା ଅର୍ଣ୍ଣାମେଣ୍ଟାଲ୍ ଲାଇଟ୍ଗୁଡ଼ିକ ମଧ୍ୟରୁ ଅନେକ ଅଚଳ ପଡ଼ିଛି। ଅପରପକ୍ଷେ ଜନପଥରେ ପ୍ରାୟ ୨ କୋଟି ଟଙ୍କାରେ ପୋତା ଯାଇଥିବା ବାଉଁଶ ମେଡିଆନ୍ ନଷ୍ଟ ହୋଇଗଲାଣି। ସ୍ଥାନେ ସ୍ଥାନେ କେଉଁଠି ବାଉଁଶ ବତା ଶୁଖି ଝଡ଼ିପଡ଼ିଛି ତ କେଉଁଠି ମେଡିଆନ୍ରୁ ରାସ୍ତାକୁ ଝୁଲି ରହିଛି। ଟିକିଏ ପବନ ହେଲେ ତାହା ଲୋକଙ୍କ ଉପରେ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି।
କେବଳ ଏତିକି ନୁହେଁ, ମାଷ୍ଟରକ୍ୟାଣ୍ଟିନ୍ ଛକର ପ୍ରମୁଖ ଆକର୍ଷଣ ସାଜୁଥିବା ‘ଆଇ ଲଭ୍ ଭୁବନେଶ୍ୱର’ ପଏଣ୍ଟରେ କଳଙ୍କି ଲାଗିଗଲାଣି। ସ୍ଥାନେ ସ୍ଥାନେ ଏହା ଫାଟିବାକୁ ଆରମ୍ଭ କଲାଣି। ଏହାର ପଛ ପଟେ ଥିବା ଫାଉଣ୍ଟେନ୍ ମଧ୍ୟ ଅଧିକାଂଶ ସମୟରେ ଚାଲୁନାହିଁ। ଫାଉଣ୍ଟେନ୍ର ଜଳ ପଡ଼ୁଥିବା ସ୍ଥାନରେ ଆବର୍ଜନା ଗଦା ହୋଇରହିଛି। ସୂଚନା ଅନୁଯାୟୀ ବାଉଁଶ ବାଡ଼ ଜଟାଯାଇ ଏଠାରେ ମାଇଲ୍ଡ ଷ୍ଟିଲ ଗ୍ରିଲ୍ରେ ପ୍ରସ୍ତୁତ ମେଡିଆନ ଲଗାଇବା ପାଇଁ ଯୋଜନା ହୋଇଛି। ଏହି ମେଡିଆନରେ ସ୍ଥାନେ ସ୍ଥାନେ କେଉଁଠି ମନ୍ଦିର ତ କେଉଁଠି ଅନ୍ୟ କାରୁକାର୍ଯ୍ୟର ଛାପ ରହିବ। ଏଥିପାଇଁ ପ୍ରାୟ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାଯାଇଛି। ଏନେଇ ସ୍ମାର୍ଟସିଟି ମହାପ୍ରବନ୍ଧକ ପୁରନ୍ଦର ନନ୍ଦ କହିଛନ୍ତି, ପ୍ରକଳ୍ପ କାମର ଅବଧି ୨୦୨୬ ଜାନୁଆରି ପର୍ଯ୍ୟନ୍ତ ରହିଛି। ମେଡିଆନ୍ରେ ଆମେ ବାଉଁଶ ଲଗାଇଥିଲୁ। କିନ୍ତୁ ଏହା ଦୀର୍ଘସ୍ଥାୟୀ ନହେବାରୁ ଏହାର ଡିଜାଇନ୍ ପରିବର୍ତ୍ତନ କରାଯାଉଛି। ବାଉଁଶର ବିକଳ୍ପ ଚିନ୍ତା କରାଯାଇଛି। ଲାଇଟ୍, ଫାଉଣ୍ଟେନ୍ ଆଦି କ’ଣ ହୋଇଛି, ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ।