ଭୁବନେଶ୍ବର: ହଠାତ୍‌ ରାସ୍ତା ଉପରକୁ ଚାଲିଆସିଲେ ବିଏମ୍‌ସି କର୍ମଚାରୀ, କର୍ପୋରେଟର୍‌ ଓ ବିଜେଡି ନେତା। ଜନପଥର ଉଭୟ ପାର୍ଶ୍ବରେ ରାସ୍ତା ଉପରେ ଆସି ବସିଗଲେ। ଫଳରେ ଚାହୁଁଚାହୁଁ ରାସ୍ତାର ଉଭୟ ପାର୍ଶ୍ବରେ ଅଟକିଗଲା ଶହଶହ ଗାଡ଼ିମୋଟର୍‌। କିଏ ଅଫିସ୍‌ରୁ ଫେରୁଥିଲା ତ କିଏ ଟ୍ରେନ୍‌ ଧରିବାକୁ ଷ୍ଟେସନ୍‌ ଯାଉଥିଲା। ଭିଡ଼ ମଧ୍ୟରେ ଏମିତି ଫସିଲେ ଯେ ବାହାରିବା ଜୁ ନଥିଲା। ପ୍ରାୟ ଅଢ଼େଇ ଘଣ୍ଟା ଧରି ଜନପଥ ଅଚଳ ହୋଇପଡ଼ିଲା। ବସ୍‌, ଆମ୍ବୁଲାନ୍ସ, ଶବବୁହା ଗାଡ଼ି ସବୁ ଭିଡ଼ରେ ଅଟକି ରହିବା ଫଳରେ ଲୋକେ ନାହିଁନଥିବା ହଇରାଣ ହୋଇଛନ୍ତି।
ବିଏମ୍‌ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ ଦୁର୍ବୃତ୍ତଙ୍କୁ ଗିରଫ ଦାବିରେ ବିଜେଡି କର୍ପୋରେଟର ଓ ବିଏମ୍‌ସି କର୍ମଚାରୀମାନେ ଆନ୍ଦୋଳନରେ ବସିଥିଲେ। ସନ୍ଧ୍ୟା ସମୟରେ କର୍ପୋରେଟରମାନେ ଜନପଥକୁ ଆସି ଗୋଟିଏ ପା‌ର୍ଶ୍ବ ରାସ୍ତାରୋକ କରିଥିଲେ। ଏହାର କିଛି ସମୟ ପରେ ବିଜେଡ଼ି କର୍ମୀ ଓ ରାଜ୍ୟସ୍ତରୀୟ ନେତା, ବିଧାୟକ ଓ କର୍ମୀମାନେ ବିଏମ୍‌ସି ଅଫିସ ସମ୍ମୁଖ ଜନପଥ ରାସ୍ତାରୋକ କରିଥିଲେ। ଫଳରେ ପ୍ରାୟ ଅ‌ଢ଼େଇ ଘଣ୍ଟା ଧରି ଜନପଥ ଜାମ୍‌ ରହିଥିଲା। ସନ୍ଧ୍ୟା‌ ସମୟରେ ସାଧାରଣତଃ ଏହି ରାସ୍ତା ଗହଳି ରହିଥାଏ।  ରାସ୍ତାରୋକ ଯୋଗୁ ରାସ୍ତା ଜାମ୍‌ ରହିବା ଫଳରେ ବ୍ୟବସାୟିକ ପେଣ୍ଠସ୍ଥଳରେ ଯାତାୟାତ ଠପ୍‌ ହୋଇଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଗାଡ଼ି ଅଟକି ରହିଥିଲା। ସନ୍ଧ୍ୟ‌ା ସାଢ଼େ ୬ଟାରୁ ପ୍ରାୟ ରାତି ୯ଟା ଯାଏ ଏଭଳି ଅଟକି ରହିବା ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା। 
ରାସ୍ତା ଜାମ୍‌ ହୋଇଯାଇଥିବାରୁ କମିସନରେଟ୍‌ ପୁଲିସ ବିକଳ୍ପ ବ୍ୟବସ୍ଥା ଖୋଜିଥିଲା। ମଦର ଟେରେସା ଛକ ଦେଇ ରାସ୍ତା ଡାଇଭର୍ଟ କରାଯାଇ ଟ୍ରାଫିକ୍‌  ନିୟନ୍ତ୍ରଣ କରାଯାଇଥିଲା। ଏହାସହିତ ରୁପାଲି ଛକରୁ ଟ୍ରାଫିକ୍‌ ଡାଇଭର୍ଟ କରିଥିଲେ।  ବିଜେଡିର ରାସ୍ତାରୋକ ପାଇଁ  ବ୍ୟବସାୟିକ ପେଣ୍ଠସ୍ଥଳ କୁହାଯାଉଥିବା ଜନପଥରେ ହଜାର ହଜାର ଲୋକ ଫସି ରହିଥି‌ଲେ। ଭିଡ଼ରେ ଆମ୍ବୁଲାନ୍ସ, ବସ୍‌ ଭଳି ଜରୁରୀ ଗାଡ଼ି ମଧ୍ୟ ଫସି ରହିଥିଲା। ଏପରିକି ସତ୍ୟନଗର ମଶାଣିକୁ ଆସୁଥିବା‌ ଶବବୁହା ଗାଡ଼ି ମଧ୍ୟ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଅଟକି ରହିଥିଲା‌। ପ୍ରା‌ୟ ସାଢ଼େ ୮ଟା‌  ସମୟରେ ପୁଲିସ ଆନ୍ଦୋଳନକାରୀମାନଙ୍କୁ ରାସ୍ତାରୁ ଉଠାଇ ନେଇଥିଲା। ଏହା ପରେ ଧୀରେଧୀରେ ଟ୍ରାଫିକ୍‌ ସ୍ବାଭାବିକ୍‌ ହୋଇଥିଲା।