ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ରାଜଧାନୀର ପ୍ରମୁଖ ଛକମାନଙ୍କରେ ସର୍ବସାଧାରଣମାନଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ମିଳିପାରିଲା ନାହିଁ। ସହରର ସୌନ୍ଦର୍ଯ୍ୟୀକରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ହେଉଥିବା ବେଳେ ବଡ଼ ବଡ଼ ଛକ ଓ ମାର୍କେଟରେ ଶୌଚାଳୟ ସୁବିଧା ମିଳିପାରୁନାହିଁ। ଲୋକ ଦେଖାଣିଆ ଭାବେ ଛକମାନଙ୍କ ଶୌଚାଳୟ ତିଆରି ହୋଇଛି, ହେଲେ ମାସ ମାସ ଧରି ଉଦ୍ଘାଟନ ନହୋଇ ପଡ଼ିରହୁଛି। ରାଜଧାନୀର ବହୁ ପ୍ରମୁଖ ଛକରେ ପାଣି ଓ ବିଦ୍ୟୁତ୍ ସଂଯୋଗ ହୋଇ ନଥିବାରୁ ଶୌଚାଳୟଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଫଳରେ ରାସ୍ତା କଡ଼ ଏବେ ଶୌଚାଳୟ ପାଲଟିଛି। ଉଦ୍ଘାଟନ ହେଉନଥିବାରୁ ନବନିର୍ମିତ ଏହି ଶୌଚାଳୟଗୁଡ଼ିକ ଆଗରେ ଜବରଦଖଲ ବଢ଼ୁଛି।
ଜଳେଶ୍ୱର ମନ୍ଦିର ଛକରେ ଥିବା ଶୋୗଚାଳୟ ପାଖାପାଖି ୫ମାସ ହେଲାଣି ଉଦ୍ଘାଟନ ହୋଇପାରୁନି। ସିଆର୍ପି, ଫାୟାର୍ଷ୍ଟେସନ, ଡେଲଟା ଓ ୟୁନିଟ୍ ୬କୁ ସଂଯୋଗ କରୁଥିବା ଏହି ଛକରେ ବହୁ ସରକାରୀ ତଥା ବେସରକାରୀ ପ୍ରତିଷ୍ଠାନ, ସ୍କୁଲ , ମନ୍ଦିର ଆଦି ରହିଛି। ପ୍ରତିଦିନ ଶହ ଶହ ଲୋକ, ଛାତ୍ରଛାତ୍ରୀ ଏହି ରାସ୍ତା ଦେଇ ଯାତାୟାତ କରୁଛନ୍ତି। ପୁଣି ଛକ ନିକଟରେ ସକାଳୁ ବହୁ ଶ୍ରମିକ କାମ ପାଇଁ ବସୁଛନ୍ତି। ହେଲେ ଶୌଚାଳୟ ନଥିବାରୁ ସେମାନେ ନାହିଁ ନଥିବା ଅସୂବିଧା ଭୋଗ କରୁଛନ୍ତି। ବିଶେଷ କରି ମହିଳାମାନେ ହଇରାଣ ପଡ଼ୁଛନ୍ତି। ସେହିପରି ଏହିଵାର୍ଡର ୟୁନିଟ୍ ୮ ସରକାରୀ ବାଳକ ଉଚ୍ଚବିଦ୍ୟାଳୟ ଓ ସିଆର୍ପି ଛକରେ ଥିବା ଶୌଚାଳୟ ମଧ୍ୟ ଉଦ୍ଘାଟନ ହୋଇପାରୁନାହିଁ। ପାଣି ଓ ବିଦ୍ୟୁତ୍ ସଂଯୋଗ ଅଭାବରୁ ୮ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱରେ ନିର୍ମିତ ଏହି ଶୌଚାଳୟକୁ ଜନସାଧାରଣ ବ୍ୟବହାର କରିପାରୁନାହାନ୍ତି। ତେବେ ଏନେଇ କର୍ପୋରେଟର ସୁଚିତ୍ରା ପାତ୍ରଙ୍କ କହିଛନ୍ତି, ସେ ବାରମ୍ୱାର ଅଭିଯୋଗ କରିବା ସତ୍ତ୍ୱେ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଉନାହିଁ।
ସେହିପରି ଇନ୍ଦ୍ରଧନୁ ମାର୍କେଟରେ ପ୍ରାୟ ୧୦ ଲକ୍ଷ ଟଙ୍କାରେ ନିର୍ମିତ ତିନିଟି ଶୌଚାଳୟ ମଧ୍ୟରୁ ମାର୍କେଟ ଭିତର ଓ ନୂଆପଲ୍ଲୀ ବସ୍ ଷ୍ଟପେଜ୍ ନିକଟରେ ଥିବା ଶୌଚାଳୟରେ ବିଦ୍ୟୁତ୍ ଓ ପାଣି ସଂଯୋଗ ଅଭାବରୁ ଏଯାଏଁ ଉଦ୍ଘାଟନ ହୋଇପାରିନାହିଁ। ତେବେ ଏନେଇ କର୍ପୋରେଟର ଶୁଭ୍ରାଂଶୁ ଶେଖର ପଟ୍ଟନାୟକ କହିଛନ୍ତି, ହସ୍ପିଟାଲ ନିକଟରେ ନବନିର୍ମିତ ଶୌଚାଳୟ ଖୋଲା ହୋଇଗଲାଣି। ବାକି ଦୁଇଟି ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି। ସେହିପରି ହାଉସିଂବୋର୍ଡ ଛକ ଓ ୪ ନମ୍ୱର ମାର୍କେଟ ମଧ୍ୟରେ ମଧ୍ୟ ଶୌଚାଳୟ ନିର୍ମାଣ କାର୍ଯ୍ୟ ଏଯାବତ୍ ସରିଲା ନାହିଁ। ତେବେ ଏନେଇ କର୍ପୋରେଟର ଅଲିଅଳି ମଲ୍ଲିକଙ୍କ କହିଛନ୍ତି, ହାଉସିଂବୋର୍ଡ ଛକରେ ତିଆରି ହେଉଥିବା ଶୌଚାଳୟ ପୂର୍ତ୍ତ ବିଭାଗ ପକ୍ଷରୁ ହେଉଛି। ମାଂସ ମାର୍କେଟ ମଧ୍ୟରେ ନିର୍ମିତ ଶୌଚାଳୟ ଖୁବ ଶୀଘ୍ର ଉଦ୍ଘାଟିତ ହେବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/19/sfhsfhfhsxb-2025-11-19-03-41-20.jpg)