ପୂର୍ତ୍ତ ବିଭାଗର ବିଚିତ୍ର ନିୟମ: ମନ୍ଦିର ଭାଙ୍ଗୁଛି, ପାଚେରି ରହୁଛି

ଚନ୍ଦ୍ରଶେଖରପୁର: ରାଜଧାନୀରେ ମୁଣ୍ଡ ଗୁଞ୍ଜିବା ପାଇଁ କିଏ ଜମି ଚାଖଣ୍ଡେ ପାଉନି ତ ଆଉ କିଏ ଗୋଟିଏ ପରେ ଗୋଟିଏ ସରକାରୀ ଜମିକୁ ମାଡ଼ି ବସୁଛି। କଳ ବଳ କୌଶଳ ଲଗାଇ ଜମି ହାତେଇ ନେଉଛନ୍ତି। ପ୍ରତିବାଦ କଲେ କେତେବେଳେ ଧମକ ଦେଉଛନ୍ତି। ତ’ ଆଉ କେତେବେଳେ ସରକାରୀ ବାବୁମାନଙ୍କୁ ହାତ କରି ଜମି ହାତେଇ ନେଉଛନ୍ତି। ପ୍ରଶାସନ ପାଖରେ ଏନେଇ ଖବର ଥିଲେ ମଧ୍ୟ ବାବୁମାନେ ସବୁ ଜାଣି ଆଖି ‌ବୁଜି ଦେଉଛନ୍ତି। ପରିଣାମ ସ୍ବରୂପ ରାଜଧାନୀର ଏକର ଏକର ସରକାରୀ ଜମି ଏବେ ଜବରଦଖଲକାରୀଙ୍କ କବ୍‌ଜାରେ।

ରାସ୍ତା ସମ୍ପ୍ରସାରଣ, ନୂତନ ପ୍ରକଳ୍ପ ତିଆରି ନାଁରେ ପ୍ରତିଦିନ ବିଡିଏ, ବିଏମ୍‌ସି ଅଧିକାରୀ ଓ ପୁଲିସ ବାବୁମାନେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଜମି ଜବରଦଖଲ ହଟାଉଛନ୍ତି। ବଡ଼ ବଡ଼ କୋଠା ଭାଙ୍ଗୁଛନ୍ତି। ମନ୍ଦିର ଉପରେ ବୁଲଡୋଜର ବି ଚଢ଼ାଉଛନ୍ତି। ତା’ପରେ ବି ଏମିତି କିଛି ଜବରଦଖଲ ରହିଛି ଯେଉଁଥିରେ ହାତ ମାରିବାକୁ ପ୍ରଶାସନର ସାହସ ପାଉନି। ରାଜନେତାଙ୍କ ଚାପ ହେଉ ଅଥବା ଧମକ। ସରକାରୀ ବାବୁମାନେ ଚାପରେ ଚେପା ହୋଇ ପ୍ରକଳ୍ପର ଦିଗ ବଦଳାଇ ଦେଉଛନ୍ତି। ଏ ବାବଦରେ ସରକାରୀ ତହବିଲ୍‌ରୁ କୋଟି କୋଟି ଟଙ୍କା ଅଧିକ ଖର୍ଚ୍ଚ ହେଉ ପଛେ କିଛି ପରବାଏ ନାହିଁ। ‌ହେଲେ ଚ‌ାପ ଆଗରେ ଆମେ ଆଖି ବୁଜିଦେବୁ ବୋଲି ସରକାରୀ ବାବୁମାନେ ଏକପ୍ରକାର ସଂକଳ୍ପ କରି ନେଇଛନ୍ତି।

ଏ ତ ଗଲା ବସ୍ତି ଅଞ୍ଚଳ କଥା। ମନ୍ଦିର ନାଁରେ ବି ଶହ ଶହ ଏକର ସରକାରୀ ଜମି ଏବେ ଲୋକଙ୍କ କବ୍‌ଜାରେ। ସହରର ୯୯% ମନ୍ଦିର ସରକାରୀ ଜମିରେ ଗଢ଼ିଉଠିଛି। ମନ୍ଦିରରୁ ପ୍ରସାଦ ବିକ୍ରି କରାଯାଇ ଲକ୍ଷାଧିକ ଟଙ୍କା ରୋଜଗାର ହେଉଛି। ‌ହେଲେ ସରକାରଙ୍କ ରାଜକୋଷକକୁ ଟଙ୍କାଟିଏ ବି ଆସୁନି। ଯିଏ ପାଇବା କଥା ପାଉଛନ୍ତି। ଆଉ କିଏ ଗୋଟିଏ ପରେ ଗୋଟିଏ ସ୍ଥାନରେ ମନ୍ଦିର ଗଢ଼ି କୋଟିପତି ପାଲଟୁଛନ୍ତି। ଆଳ ଦେଖାଉଛନ୍ତି ମନ୍ଦିର। ସେଠାରେ ଭଗବାନ ଅଛନ୍ତି। ଏଭଳି ବେଆଇନ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବେ ପ୍ରଶ୍ରୟ ଦେଉଛନ୍ତି ସରକାରୀ ବାବୁ। ଯାହାର ସଦ୍ୟତମ ଉଦାହରଣ ହେଉଛି ଶୈଳଶ୍ରୀବିହାର ସାଇ ମନ୍ଦିର ପାଚେରି। ରାସ୍ତା ସମ୍ପ୍ରସାରଣ, ଡ୍ରେନ୍‌ ନିର୍ମାଣ ଲାଗି ସହରର ବିଭିନ୍ନ ସ୍ଥାନରେ ଜବରଦଖଲ ଉଚ୍ଛେଦ ହେଉଛି। ହେଲେ ଏଠାରେ କିନ୍ତୁ ହାତ ମାରିବାକୁ ବାବୁଙ୍କ ବଳ ପାଉନି। ବରଂ ସବୁ ନିୟମକୁ ଜଳାଞ୍ଜଳି ଦେଇ ପୂର୍ତ୍ତ ବିଭାଗର ଅଧିକାରୀମାନେ ରାସ୍ତା ସଙ୍କୁଚିତ କରିଦେଉଛନ୍ତି, ଡ୍ରେନ୍‌ର ଦିଗ ବଦଳାଇ ଦେଇଛନ୍ତି। ଏମିତି କି ଦୋକାନ କରି ଦୁଇ ପଇସା ରୋଜଗାର କରୁଥିବା ୮ରୁ ୧୦ ଜଣ ବ୍ୟବସାୟୀଙ୍କ ଦୋକାନ ଭାଙ୍ଗିଛନ୍ତି। ସେମାନେ ଏବେ ରୋଜଗାର ହରାଇ ବସିଛନ୍ତି। ହେଲେ ବାବୁମାନେ ମନ୍ଦିର ପାଚେରିରେ ହାତ ମାରି ପାରୁ ନାହାନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ ପୂର୍ତ୍ତ ବିଭାଗର ଗୋଟିଏ ଡିଭିଜନରେ ଗୋଟିଏ ନିୟମ ଲାଗୁ ହେଉଥିବା ବେଳେ ଆଉ ଗୋଟିଏ ଡିଭିଜନ୍‌ରେ ଅଲଗା। ଗତ ୧୩ ତାରିଖରେ ଆର ଆଣ୍ଡ ବି ଡିଭିଜନ-୫ ଅଧୀନ ଚନ୍ଦକା ରୋଡ୍‌ରେ ଏକ ମନ୍ଦିରର ଅଧା ଅଂଶ ଭାଙ୍ଗି ଦିଆଯାଇଛି। ଯେତେବେଳେ କି ଆର ଆଣ୍ଡ ବି ଡିଭିଜନ-୩ ଅଧୀନରେ ଆସୁଥିବା ଶୈଳଶ୍ରୀବିହାର ସାଇ ମନ୍ଦିର ପାଚେରି ଭଙ୍ଗାଯାଉନି। ବରଂ ଡ୍ରେନ୍‌ ଓ ରାସ୍ତାର ନକ୍ସା ବଦଳାଇ ଦେଉଛନ୍ତି ସରକାରୀ ବାବୁ। ସାଧାରଣ ଲୋକଙ୍କ ଘର ଭାଙ୍ଗିବା ବେଳେ ପୂର୍ତ୍ତ ବିଭାଗ, ବିଡିଏ, ବିଏମ୍‌ସିର ବାବୁମାନେ ତତ୍ପର ହୋଇ ଉଠୁଥିବା ବେଳେ ବେଆଇନ ଭାବେ ଗଢ଼ିଉଠିଥିବା ପାଚେରି ଭାଙ୍ଗିବାକୁ କାହିଁକି ଜୁ ପାଉନି ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି।

ସମ୍ବନ୍ଧିତ ଖବର