ମାର୍ଚ୍ଚ ୧୦ରୁ ପ୍ରଥମ ଅନ୍ତର୍ଜାତୀୟ କଳା ଉତ୍ସବ : ପ୍ରଦର୍ଶିତ ହେବ ୧୧ଟି ଦେଶର ଚିତ୍ରକଳା

ଭୁବନେଶ୍ୱର: ଧଉଳି ଚାରୁକଳା ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ପ୍ରଥମ ଅନ୍ତର୍ଜାତୀୟ ଧଉଳି କଳା ଉତ୍ସବ ଆସନ୍ତା ମାର୍ଚ୍ଚ ୧୦ ରୁ ୧୨ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହେବ। ଏହି ଅନ୍ତର୍ଜାତୀୟ କଳା ଉତ୍ସବରେ ଓଡ଼ିଶା ତଥା ଦେଶର ବିଭିନ୍ନ ରାଜ୍ୟର ବହୁ ଖ୍ୟାତନାମା ଭାସ୍କର୍ଯ୍ୟ ଶିଳ୍ପୀ ଓ ଚିତ୍ରଶିଳ୍ପୀଙ୍କ ଚିତ୍ରକଳା ସହ ଫ୍ରାନ୍ସ, ଭିଏତ୍‌ନାମ, ଆୟରଲାଣ୍ଡ, ସିଙ୍ଗାପୁର, ଆମେରିକା, ବାଂଲାଦେଶ, ଦୁବାଇ, କାନାଡା, ପେରୁ ଓ ସ୍କଟଲାଣ୍ଡ ଆଦି ୧୧ଟି ଦେଶର ଶିଳ୍ପୀଙ୍କ ଚିତ୍ରକଳା ପ୍ରଦର୍ଶିତ ହେବ ବୋଲି ଜଣାପଡ଼ିଛି। ଆଜି ଆନ୍ତର୍ଜାତୀୟ କଳା ଉତ୍ସବର ମାସ୍କଟ ଅନୁଷ୍ଠାନର ଛାତ୍ରଛାତ୍ରୀ ଓ ବିଶିଷ୍ଟ ଚିତ୍ରଶିଳ୍ପୀମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି । କଳା ଉତ୍ସବ ଅବସରରେ ଏକ ଅନ୍ତର୍ଜାତୀୟ ଶିଶୁ ଚିତ୍ର ପ୍ରତିଯୋଗିତା ଓ ପୁରସ୍କାର ଉତ୍ସବ ଏବଂ ଧଉଳି ଚାରୁକଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ମଲ୍‌ଟି ମିଡ଼ିଆ ପ୍ରଦର୍ଶନୀ ମଧ୍ୟ ଆାୟୋଜିତ ହେଉଅଛି । ତିନିିଦିନ ଧରି ହେବାକୁ ଥିବା ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ‘କଳାଶ୍ରୀ’ ଓ ‘ଭୁବନେଶ୍ୱର କଳା ସମ୍ମାନ’ରେ ସମ୍ମାନିତ କରାଯିବା ସହିତ ପ୍ରତିଦିନ ସନ୍ଧ୍ୟାରେ ‘କଳା ଓ କଳାକାର’ ଶୀର୍ଷକ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଉତ୍ସବର ପ୍ରଥମ ଦିବସ ସକାଳେ ଶିଶୁ ଶିଳ୍ପୀଙ୍କ ପ୍ରତିଭା ଅନେ୍ଵଷଣ ପାଇଁ ‘ଆମ ସଂସ୍କୃତି ଓ ଆମ ପର୍ବପର୍ବାଣୀ’ ବିଷୟବସ୍ତୁକୁ ଆଧାର କରି ଏକ ସ୍ପଟ୍‌ ପେଣ୍ଟିଂ ପ୍ରତିଯୋଗତା, ପାରମ୍ପରିକ ଝୋଟି ଓ ମୁରୁଜ ପ୍ରତିଯୋଗିତା ଆୟୋଜିତ ହେବ । ଇଚ୍ଛୁକ ଛାତ୍ରଛାତ୍ରୀ ଓ ଶିଳ୍ପୀମାନଙ୍କୁ ଏହି ପ୍ରତିଯୋଗିତାରେ ଭାଗ ନେଇ ପାରିବେ। ଏହି ଅବସରରେ ଓଡ଼ିଶାର ପାରମ୍ପରିକ ଗୋବର କଣ୍ଢେଇ, କାଗଜ ମୁଖା ଓ ଆଦିବାସୀ ଚିତ୍ରକଳାର କର୍ମଶାଳା ସହିତ ସର୍ବଭାରତୀୟ ସମସାମୟିକ ଚିତ୍ରକଳାର ଏକ ଶିବିର ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ, ସମ୍ପାଦକ ମିହିରକାନ୍ତ ପ୍ରହରାଜ ଓ କାର୍ଯ୍ୟକାରୀ ସଭାପତି ପ୍ରଫେସର ଡ. ହୃଷୀକେଶ ମିଶ୍ର ଜଣାଇଛନ୍ତି ।

ସମ୍ବନ୍ଧିତ ଖବର