ପ୍ରଦର୍ଶିତ ହେଉଛି ୫୬ଟି ଭାଷାରେ ଅନୁବାଦିତ ପବିତ୍ର କୋରାନ୍‌

ରାଜଧାନୀ ପୁସ୍ତକମେଳା

ଭୁବନେଶ୍ୱର: ପୁସ୍ତକ ମେଳାରେ ସାଧାରଣତଃ ଗୀତା, ଭାଗବତ, ଜଗନ୍ନାଥ ସଂସ୍କୃତି ସମ୍ବନ୍ଧୀୟ ପୁସ୍ତକ ଠାରୁ ଆରମ୍ଭ କରି ବହୁ ପୁରାଣ, ହିନ୍ଦୁ ଧର୍ମଗ୍ରନ୍ଥ ବିକ୍ରି ହେଉଥିବାର ନଜିର ରହିଛି। ଚଳିତ ବର୍ଷ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ‘ଅଷ୍ଟାଦଶ ରାଜଧାନୀ ପୁସ୍ତକ ମେଳା’ରେ ପ୍ରଥମ ଥର ପାଇଁ ପଡ଼ିଛି ‘ପବିତ୍ର କୋରାନ୍‌’ର ପ୍ରଦର୍ଶନୀ। ଗୋଟିଏ କିମ୍ବା ଦୁଇଟି ଭାଷାରେ ନୁହେଁ, ପ୍ରାୟ ୫୬ଟି ଭାଷାରେ ଅନୁବାଦିତ ଏହି ଧର୍ମ ପୁସ୍ତକ ପ୍ରଦର୍ଶିତ ହେଉଛି ପାଠକଙ୍କ ପାଇଁ। ମାନବ ସମାଜ ପାଇଁ ପବିତ୍ର କୋରାନ୍‌ରେ ଥିବା ଶିକ୍ଷାକୁ ସରଳ ଓ ସାଧାରଣ ଭାଷାରେ ଜନସମୂହରେ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ‘ଅହମଦିିୟା ମୁସ୍‌ଲିମ୍‌ ସଂଗଠନ’ ପକ୍ଷରୁ ଏହି ଷ୍ଟଲ୍‌ ଖୋଲାଯାଇଛି। ଏଥିରେ ହିନ୍ଦୀ, ଉର୍ଦ୍ଦୁ ସମେତ ମରାଠୀ, ତାମିଲ୍‌, ତେଲୁଗୁ, ମାଲାୟାଲମ୍‌, କନ୍ନଡ଼, ଗୁଜରାଟୀ, ପଞ୍ଜାବୀ, ଓଡ଼ିଆ ଓ ମଣିପୁରୀ ଆଦି ୧୧ଟି ଭାରତୀୟ ଭାଷାର ଅନୁବାଦ କୋରାନ୍‌ ସହ ଇଂରାଜୀ, ଜାପାନିଜ୍‌, ଚାଇନିଜ୍‌୍‌, ସିନ୍ଧି, ନେପାଳୀ, ଆଲ୍‌ବେରିଆ, କୋରିଆ ଆଦି ବହୁ ବିଦେଶୀ ଭାଷାରେ ମଧ୍ୟ ପବିତ୍ର କୋରାନ୍‌ର ଅନୁବାଦ ଧର୍ମପୁସ୍ତକ ଉପଲବ୍ଧ।

ଧର୍ମର ପ୍ରକୃତ ରୂପକୁ ଦୁନିଆ ସାମ୍‌ନାକୁ ଆଣିବା ତଥା ପ୍ରଫେଟ୍‌ ମହମ୍ମଦଙ୍କ ନୀତିବାଣୀ ଓ ଆଦର୍ଶକୁ ଲୋକଲୋଚନକୁ ଆଣି ଇସ୍‌ଲାମ୍‌ ଧର୍ମ ଉପରେ ଥିବା ବିଭିନ୍ନ ବିବାଦୀୟ କଥୋପକଥନକୁ ଉଡ଼ାଇବା ଓ ‘ମାନବିକତା ହିଁ ଶ୍ରେଷ୍ଠ ଧର୍ମ’ ତାହାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ ରହିଛି ବୋଲି ଷ୍ଟଲ୍‌ର ପରିଚାଳନା ଦାୟିତ୍ୱରେ ଥିବା ଭୁବନେଶ୍ୱର ଅହମଦିିୟା ମୁସ୍‌ଲିମ୍‌ ସଂଗଠନର ଜିଲ୍ଲା ଇନ୍‌ଚାର୍ଜ ମୌଲାନା ଫଜଲ୍‌ ହକ୍‌ ଖାନ୍‌ କହିଛନ୍ତି। ତେବେ ପ୍ରଦର୍ଶନୀରୁ କୋରାନ୍‌ର ଅନୁବାଦ ପୁସ୍ତକକୁ ଅଧିକ ସଂଖ୍ୟାରେ ହିନ୍ଦୁ କିଣୁଥିବା ଦେଖିବାକୁ ମିଳୁଛି। ଏହା ନିଶ୍ଚିତ ଭାବେ ସମାଜକୁ ଏକ ଧର୍ମ ସମନ୍ଵୟ ବାର୍ତ୍ତା ଦେଉଥିବା ସେ କହିଛନ୍ତି।

ଏହି ପୁସ୍ତକ ଷ୍ଟଲ୍‌ରେ ଆତ୍ମଶାନ୍ତି, ଈଶ୍ୱର ପ୍ରାପ୍ତି, ତପ ଓ ଧ୍ୟାନ, ଧାର୍ମିକ ଦର୍ଶନ ଶାସ୍ତ୍ର, ମାନବାଧିକାର, ଇସ୍‌ଲାମ୍‌ରେ ନାରୀର ସ୍ଥାନ, ତିନି ତଲାକ୍‌ର ପ୍ରକୃତ ତଥ୍ୟ, ପ୍ରଫେଟ୍‌ ମହମ୍ମଦ ଜୟନ୍ତୀ ସହ ସନାତନ ଧର୍ମ, ଖ୍ରୀଷ୍ଟିଆନିଟି, ମୈତ୍ରୀ ସଂଦେଶ, କଳକୀ ଅବତାର, ଜେସସ୍‌ ଇନ୍‌ ଇଣ୍ଡିଆ, ବିଶ୍ୱ ସଂକଟ ଓ ଶିନ୍ତିର ପଥ ଆଦି ସବୁ ଧର୍ମର ପୁସ୍ତକ ଉପଲବ୍ଧ। ବିଶେଷ କରି ଭିନ୍ନ ଭିନ୍ନ ଧର୍ମାବଲମ୍ବୀ ଲୋକ, ସ୍କୁଲ କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀମାନେ ଏସବୁ ପୁସ୍ତକ କିଣୁଥିବା ଦେଖାଯାଉଛି।

ସମ୍ବନ୍ଧିତ ଖବର