ଭୁବନେଶ୍ବର: ୧୯୫୯ ମସିହା ପର୍ଯ୍ୟନ୍ତ ପାରାଦୀପ ନାଁ କେହି ଜାଣିନଥିଲେ। ଉଦୟବଟ ପର୍ଯ୍ୟନ୍ତ ସମୁଦ୍ର ବିସ୍ତୃତ ଥିଲା। ତା’ ସମ୍ମୁଖରେ ଏକ ବନ୍ଦର ଥିଲା। ଢିଙ୍କିଆ ନୂଆଗାଁର ରାଜୀବ ଲୋଚନ ଦାସ ନାମକ ଜଣେ ସାଧକ ସେଇ ବଟ ମୂଳରେ ସିଦ୍ଧିପ୍ରାପ୍ତ ହେବା ସହ ୨ଶହ ବର୍ଷ ତଳେ ଏକ ମାଳିକାରେ ସେ ଅଞ୍ଚଳକୁ ‘ପରାଦୀପ’ ବୋଲି ଲେଖିଥିଲେ। ଏହି ପରାଦୀପରୁ କାଳକ୍ରମେ ପାରାଦୀପ ହୋଇଥିଲା। ଏକଥା କହିଛନ୍ତି ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତ। ଆଜି ପ୍ରେସ୍ କ୍ଲବ୍ରେ ସ୍ବର୍ଗତ ସତ୍ୟାନନ୍ଦ ପଣ୍ଡାଙ୍କ ୪୦ ବର୍ଷର ଗବେଷଣା ଉପରେ ଆଧାରିତ ଇଂରାଜୀ ପୁସ୍ତକ ‘ହିଷ୍ଟ୍ରି ଅଫ୍ ପାରାଦୀପ’କୁ ଉନ୍ମୋଚନ କରି ଡା. ରାଉତ କହିଲେ, ଏକ ସମୟରେ କୁଜଙ୍ଗ, ଖୋର୍ଧା ଓ କନିକା ରାଜ୍ୟ ଭାବେ ପରିଗଣିତ ହେଉଥିଲା। ୧୪ଶହ ଶତାବ୍ଦୀ ବେଳକୁ ଆମ ନୌବାଣିଜ୍ୟ ଇଣ୍ଡୋନେସିଆ, କାମ୍ବୋଡ଼ିଆ ମାଲେସିଆ, ଚୀନ, ଜାପାନ ପର୍ଯ୍ୟନ୍ତ ବିସ୍ତୃତ ଥିଲା। ତେବେ ଇଷ୍ଟଇଣ୍ଡିଆ କମ୍ପାନି ସ୍ଥାନୀୟ ଲୋକଙ୍କ ପାଲଟଣା ବୋଇତକୁ ବୁଡ଼ାଇଦେଲା। ଜବାବରେ କୁଜଙ୍ଗ ଲୋକେ ଡଙ୍ଗାରେ ଯାଇ ଇଷ୍ଟଇଣ୍ଡିଆ କମ୍ପାନି ଜାହାଜକୁ ଆକ୍ରମଣ କରିବା ସହ ସେଠାରୁ ଲୁଟ୍ କଲେ। ତେଣୁ ଏବେ ବି ଫ୍ରାନ୍ସ ଓ ଲଣ୍ଡନ ଅଭିଲେଖାଗାରରେ କୁଜଙ୍ଗର ଜଳଦସ୍ୟୁ ବୋଲି ଉଲ୍ଲେଖ ରହିଛି। ଅନ୍ୟ ଉପାୟ ନପାଇ ଇଷ୍ଟ ଇଣ୍ଡିଆ କମ୍ପାନି ହୁଗୁଳି ନଦୀକୁ ଖୋଳି ବନ୍ଦର କଲେ। ତେଣୁ ସେପର୍ଯ୍ୟନ୍ତ ‘କଳିଙ୍ଗ ସାଗର’ ଥିବା ଆମ ସମୁଦ୍ର ‘ବଙ୍ଗୋପସାଗର’ ହୋଇଗଲା। ନୌବାଣିଜ୍ୟ ବନ୍ଦ ହେବା ପରେ ବାଣିଜ୍ୟ କରିବାକୁ ଯାଉଥିବା ଲୋକେ ମାଛ ମାରି ପେଟ ପୋଷିଲେ। ବର୍ତମାନ ସେଠାରେ ୭ଟି ପଞ୍ଚାୟତରେ ୪୦ ହଜାର କୈବର୍ତ ରହୁଥିବା ବେଳେ ୯୯ ପ୍ରତିଶତଙ୍କର ଚାଷ ଜମି ନାହିଁ। ସେମାନେ ମାଛ ମାରି ଜୀବିକା ନିର୍ବାହ କରନ୍ତି ବୋଲି ସେ କହିଥିଲେ।
ପୂର୍ବତନ ପୁଲିସ୍ ମହାନିର୍ଦେଶକ ତଥା ଇନ୍ଟାକ୍ର ରାଜ୍ୟ ଆବାହକ ଅମିୟ ଭୂଷଣ ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ମୟୂରଭଂଜ, ସୋନପୁର, ଭଦ୍ରକ, କୋରାପୁଟକୁ ଛାଡ଼ି ଦେଲେ ଅନ୍ୟ ଅଞ୍ଚଳର ସ୍ଥାନୀୟ ଇତିହାସ ପ୍ରାୟତଃ ନାହିଁ। ତେବେ ଆଞ୍ଚଳିକ ଇତିହାସ ଜାଣିବା ବିନା ଆମ ଜୀବନ ଅସମ୍ପୂର୍ଣ୍ଣ। ତେଣୁ ପାରାଦୀପର ଇତିହାସକୁ ନେଇ ପୁସ୍ତକ ଲେଖାଯିବା ପ୍ରଶଂସନୀୟ। ଜାତୀୟ ଅଭିଲେଖାଗାର, ଭୁବନେଶ୍ବରର ସହ ନିର୍ଦେଶକ ଡ. ଲଲାଟେନ୍ଦୁ ଦାସ ମହାପାତ୍ର କହିଥିଲେ, ଗଡ଼ଜାତ ରାଜ୍ୟର ଇତିହାସ ଯେପରି ଆଦିବାସୀଙ୍କୁ ବାଦ ଦେଇ ଲେଖାଯାଇ ପାରେନି, ସେହିପରି କୈବର୍ତଙ୍କୁ ବାଦ୍ ଦେଇ ଉପକୂଳ ଇତିହାସ ଲେଖାଯାଇପାରିବ ନାହିଁ। ଐତିହାସିକା ନିବେଦିତା ଐତିହ୍ୟ ବନ୍ଦରରୁ ଆଧୁନିକ ବନ୍ଦର ଏବଂ ଏଠାକାର ସମୁଦ୍ର ସଂସ୍କୃତି ସମ୍ପର୍କରେ ମତ ରଖିଥିଲେ। ଇନ୍ଟାକ୍ର ସଭ୍ୟ ଅନିଲ୍ ଧୀର୍ ସାମୁଦ୍ରିକ ଇତିହାସରେ ପାରାଦୀପର ଅବଦାନ ସମ୍ପର୍କରେ କହିଥିଲେ। ପ୍ରାରମ୍ଭରେ ପୁସ୍ତକର ଲେଖକ ସ୍ବର୍ଗତ ପଣ୍ଡାଙ୍କ ପୁତ୍ର ଶୁଭ୍ରାଂଶୁ ପଣ୍ଡା ଅତିଥି ପରିଚୟ ଦେଇଥିଲେ।