କବିତା ଥିଲା ତାଙ୍କର ଆତ୍ମଜୀବନୀ

‘ପୁଣ୍ୟଶ୍ଳୋକ ଗୋପାଳକୃଷ୍ଣ ଗ୍ରନ୍ଥ’ ଲୋକାର୍ପିତ

ଭୁବନେଶ୍ୱର: କବି ଗୋପାଳକୃଷ୍ଣ ରଥ କହିଥିଲେ କବିସତ୍ତା ଓ ବ୍ୟକ୍ତିସତ୍ତା ଭିନ୍ନଭିନ୍ନ। ଏହାକୁ ନିଜ ଜୀବନରେ ସେ ପ୍ରତିଫଳିତ କରି ଶେଷ ଜୀବନ ପର୍ଯ୍ୟନ୍ତ ତାଙ୍କ କବିସତ୍ତାକୁ ସୁରକ୍ଷିତ ରଖିଥିଲେ। ମୋଟ୍‌ ଉପରେ ଗୋପାଳକୃଷ୍ଣଙ୍କ କବିତା ଥିଲା ତାଙ୍କର ଆତ୍ମଜୀବନୀ। ତାଙ୍କର ଅନ୍ତରାତ୍ମାରେ ଘଟିଥିବା ଘଟଣାର କାବ୍ୟରୂପ। କବିତା ତାଙ୍କ ପାଇଁ ରାସ୍ତାଟିଏ ଥିଲା। ସେ ରାସ୍ତାରେ ଯାଇ ସେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିଯାଇଥିଲେ ବୋଲି କହିଛନ୍ତି ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ। ଆଜି ଭାରତୀୟ ବିଦ୍ୟାଭବନ ପରିସରରେ ଗୋପାଳକୃଷ୍ଣ ରଥଙ୍କ ସ୍ମୃତିସଭାରେ ଉନ୍ମୋଚିତ ‘ପୁଣ୍ୟଶ୍ଳୋକ ଗୋପାଳକୃଷ୍ଣ ଗ୍ରନ୍ଥ’ର ଲୋକାର୍ପଣ ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଏପରି କହିଥିଲେ ଶ୍ରୀ ରଥ।

ଏହି ଗ୍ରନ୍ଥର ଉନ୍ମୋଚନ ସଭାରେ ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡା ଅତିଥି ଭାବେ ଯୋଗଦେଇ କହିଲେ, ଜୀବନର ଅନ୍ତିମ ସମୟରେ ସେ ସ୍ୱୟଂ ନିର୍ବାସିତ ହେବାକୁ ଚାହୁଁଥିଲେ। ମାତ୍ର କେବେ ବି ଏହି କବିଙ୍କ ଭିତରୁ କବିସତ୍ତା ନିର୍ବାସିତ ହୋଇ ନଥିଲା। ଲେଖକ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ତାଙ୍କର ପ୍ରତ୍ୟେକ କବିତାଠାରୁ ପରବର୍ତୀ ସଂକଳନ ଉଚ୍ଚମାନର ହେଉଥିଲା। ସନ୍ନ୍ୟାସ ହେବା ପରେ ମଧ୍ୟ ବ୍ୟକ୍ତିତ୍ୱ ବଦଳି ନଥିଲା। ସ୍ଥିତପ୍ରଜ୍ଞ ବ୍ୟକ୍ତିତ୍ୱ ସାଙ୍ଗକୁ ତାଙ୍କ କବିତାର ସ୍ୱାତନ୍ତ୍ର୍ୟ ହିଁ କବଙ୍କୁ ଚିହ୍ନା ପକେଇ ଦେଉଥିଲା ବୋଲି ସେ କହିଥିଲେ। ଭାରତୀୟ ବିଦ୍ୟାଭବନର ଉପାଧ୍ୟକ୍ଷ ଡ.ଏସ୍‌କେ ତାମୋଟିଆ ବକ୍ତବ୍ୟ ରଖିଥିବା ବେଳେ କିରଣବାଳା ରଥ ଉପସ୍ଥିତ ଥିଲେ।

ଏହି ଅବସରରେ ଗୋପାଳକୃଷ୍ଣଙ୍କ ସମଗ୍ର ସାରସ୍ୱତର ସ୍ୱରକୁ ସଂକଳନ କରାଯାଇ ତାଙ୍କର ଶ୍ରାଦ୍ଧ ଦିବସରେ ଶ୍ରଦ୍ଧା ଅର୍ପଣ କରିଥିଲେ ପରିବାରବର୍ଗ, ଶୁଭେଚ୍ଛୁ, ପାଠକ ଓ ପ୍ରଶଂସକମାନେ। ଡ.ଶାନ୍ତନୁ କୁମାର ରଥ ଏହି ସଭାକୁ ପରିଚାଳନା କରିଥିଲେ। ପ୍ରତ୍ୟକ ବକ୍ତାଙ୍କ ବକ୍ତବ୍ୟ ପୂର୍ବରୁ ଡ.ଭାଗୀରଥି ମିଶ୍ର, ଡ.ପ୍ରଦୀପ କୁମାର ପଣ୍ଡା, ମନୋଜ କୁମାର ଏବଂ ଗୋପାଳକୃଷ୍ଣଙ୍କ କନ୍ୟା ସ୍ୱୟଂପ୍ରଭା କବିତା ପାଠ କରିଥିଲେ।

ସମ୍ବନ୍ଧିତ ଖବର