ଭୁବନେଶ୍ବର: ସ୍ବାଧୀନତାର ୭୫ ବର୍ଷ ପାଳନ ଅବସରରେ ‘ଆଜାଦୀ କା ଅମୃତ ମହୋତ୍ସବ ଯୋଜନା’ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଯୁବା ଯୋଜନା ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଛି। ଏଥିରେ ଓଡ଼ିଶା ସମେତ ଦେଶର ୭୫ ଜଣ ଯୁବ ଲେଖକଙ୍କୁ ମନୋନୀତ କରାଯାଇଛି। ଏହି ପ୍ରତିଯୋଗିତାରେ ଓଡ଼ିଶାର ଅନିନ୍ଦ୍ୟ ନାରାୟଣ ସିଂହ, ବିଲେଶ୍ବର ରଣା ଓ ଓମ୍‌ ପ୍ରିୟଦର୍ଶୀ ଛୋଟରାୟ ମନୋନୀତ ହୋଇଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ନୂତନ ଲେଖକ ପିଢ଼ିକୁ ପ୍ରୋତ୍ସାହନ ଓ ସ୍ବୀକୃତି ପ୍ରଦାନ ଲକ୍ଷ୍ୟରେ ଆରମ୍ଭ ହୋଇଥିବା ‘ପ୍ରଧାନମନ୍ତ୍ରୀ ଯୁବା ମେଣ୍ଟରସିପ୍‌ ଯୋଜନ‌ା’(ପିଏମ୍‌-ଯୁବା)ରେ ସର୍ବଭାରତୀୟସ୍ତରରେ ୫ ହଜାର ଶବ୍ଦ ମଧ୍ୟରେ ବିଷୟ ଯୋଜନା‌ ସହ ପୁସ୍ତକ ପ୍ରସ୍ତାବ ଉପସ୍ଥାପନ କରିବାକୁ ଆହ୍ବାନ ଦିଆଯାଇଥିଲା। ଯୁବ ପିଢ଼ିଙ୍କୁ ଭାରତର ଜାତୀୟ ଆନ୍ଦୋଳନ, ବିସ୍ତୃତି ସଂଗ୍ରାମୀ, ଅବିଦିତ ସ୍ଥାନ ଓ ନାରୀନେତ୍ରୀଙ୍କ ସମ୍ପର୍କରେ ପଠନ, ଚିନ୍ତନ ଓ ଲେଖନ କାର୍ଯ୍ୟ ସମ୍ପର୍କରେ ଅବଗତ କରିବା ଏହି ଯୋଜନାର ଲକ୍ଷ୍ୟ।

ଏଥିପାଇଁ ସାରା ଦେଶରୁ ଇଂରାଜୀ ଓ ୨୨ଟି ସରକାରୀ ଭାଷାରେ ୧୬ ହଜାର ପ୍ରସ୍ତାବ ଆସିଥିଲ‌ା। ୩୮ ଜଣ ଯୁବକ ଓ ୩୭ ଜଣ ଯୁବତୀଙ୍କ ପ୍ରସ୍ତାବ ମେଣ୍ଟରସିପ୍‌ ଯୋଜନାର ଅନ୍ତର୍ଭୁକ୍ତ ହୋଇଛି। ଏଥିରେ ଅସମୀୟା ଭାଷାର ୨ ଜଣ, ବଙ୍ଗଳାର ୨ ଜଣ, ବୋଡ଼ୋର ଜଣେ, ଡୋଗ୍ରିରୁ ଜଣେ, ଇଂରାଜୀର ୨୨ ଜଣ, ଗୁଜୁରାଟୀର ୩ ଜଣ, ହିନ୍ଦୀର ୧୨ ଜଣ, କନ୍ନଡ଼ର ୨ ଜଣ, କଶ୍ମିରୀର ଜଣେ, ମୈଥିଳୀର ଜଣେ, ମାଲାୟଲମ୍‌ର ୩ ଜଣ, ମଣିପୁରୀର ଜଣେ, ସିନ୍ଦୀର ଜଣେ, ତାମିଲର ୩ ଜଣ, ତେଲୁଗୁର ୩ ଓ ଊର୍ଦ୍ଦୁର ୪ ଜଣ ମନୋନୀତ ହୋଇଛନ୍ତି। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ନ୍ୟାସନାଲ୍‌ ବୁକ୍‌ ଟ୍ରଷ୍ଟ (ଏନ୍‌ବିଟି), ଇଣ୍ଡିଆ ଦ୍ବାରା ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନାରେ ମନୋନୀତ ଲେଖକଙ୍କୁ ୬ ମାସ ମେଣ୍ଟରସିପ୍‌ରେ ଖ୍ୟାତନାମା ଲେଖକଙ୍କ ତତ୍ତ୍ବାବଧାନରେ କାର୍ଯ୍ୟ କରିବେ ଓ ସେମାନଙ୍କୁ ମାସକୁ ୫୦ ହଜାର ଟଙ୍କା ଲେଖାଏ ବୃତ୍ତି ମିଳିବ ବୋଲି ଏନ୍‌ବିଟିର ନିର୍ଦ୍ଦେଶକ ଯୁବରାଜ ମଲ୍ଲିକ ସୂଚନା ଦେଇଛନ୍ତି।