ଆସୁଛନ୍ତି ପାର୍ବତୀନନ୍ଦନ, ପ୍ରସ୍ତୁତ ହେଲାଣି ପୂଜା ମଣ୍ଡପ

ଭୁବନେଶ୍ୱର: ପାର୍ବଣର ବିଗୁଲ ବାଜି ସାରିଛି। ଉତ୍ସବର ଆସର ଜମି ଆସୁଛି। ଆସୁଛନ୍ତି ପାର୍ବତୀ ନନ୍ଦନ। ଏଥିପାଇଁ କ୍ଲବ୍‌ଠୁ ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ ସବୁଠି ପ୍ରସ୍ତୁତି ଜୋର ଧରିଛି। ନିଜ ନିଜ ପୂଜା ମଣ୍ଡପକୁ ଅନ୍ୟଠାରୁ ନିଆରା କରିବାକୁ ଆରମ୍ଭ ହେଲାଣି ପ୍ରତିଯୋଗିତା। ଗଣେଶଙ୍କୁ ଟିକେ ଭିନ୍ନ ଭାବରେ ଦେଖାଇବା ପାଇଁ ଅଣ୍ଟା ଭିଡ଼ିଲେଣି ଯୁବପିଢ଼ି। ତେଣୁ ଗଣେଶଙ୍କ ଚିରାଚରିତ ପାରମ୍ପରିକ ମୂର୍ତିକୁ ଟିକେ ଅଲଗା ଢଙ୍ଗରେ ଉପସ୍ଥାପନା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ରୂପ ନେଉଛି। କିଏ ଉଚ୍ଚତା ଉପରେ ତ’ ଆଉ କିଏ ସାଜସଜ୍ଜା ଓ ମୂର୍ତି ଉପରେ ବେଶି ଧ୍ୟାନ ଦେଉଛି। ସବୁଠାରୁ ବଡ଼ କଥା ପୂଜା ମାଧ୍ୟମରେ ପ୍ରଦୂଷଣ ରୋକିବା ଓ ସଚେତନ ବାର୍ତ୍ତା ବାଣ୍ଟିବାକୁ ପୂଜା କମିଟିମାନେ ଆଗେଇ ଆସିଛନ୍ତି। ଖାଲି ଏବେ ପାର୍ବତୀନନ୍ଦନଙ୍କୁ ଅପେକ୍ଷା।

ପରିବେଶଭିତ୍ତିକ ପୂଜା ସହ ୩୫ ଫୁଟର ପ୍ରତିମା
ପୂଜା ହେ‌ଲେ ପ୍ରଦୂଷଣ ବି ହୁଏ। ସେ ମୂର୍ତିର ରଙ୍ଗରେ ହେଉ କି ହୋମ ନିଆଁରୁ ହେଉ। କିନ୍ତୁ ଏଥର ନୂଆପଲ୍ଲୀ ନୂଆସାହି ‘ଆଖଣ୍ଡଳମଣୀ ପୂଜା କମିଟି’ ଓ ‘ମୌରିଆ ଗ୍ରୁପ’ ପକ୍ଷରୁ ଭିନ୍ନ ଢଙ୍ଗରେ ପାଳିନ କରାଯିବ ପାର୍ବତୀନନ୍ଦନଙ୍କ ଆଗମନକୁ। ପୂଜାକୁ ସମ୍ପୂର୍ଣ୍ଣ ପରିବେଶଭିତ୍ତିକ କରାଯିବ। ଶ୍ରୀଗଣେଶଙ୍କୁ ଭକ୍ତଅର୍ଘ୍ୟ ଢାଳିବା ସହ ପ୍ରକୃତି ମା’ ପାଇଁ ବୃକ୍ଷରୋପଣ ମଧ୍ୟ କରାଯିବ। ଏଥିସହ ‘ଆଖଣ୍ଡଳମଣୀ ପୂଜା କମିଟି’ ଓ ‘ମୌରିଆ ଗ୍ରୁପ’ ପକ୍ଷରୁ ଚଳିତ ବର୍ଷ ପ୍ରଦର୍ଶିତ ହେବାକୁ ଯାଉଛି ୩୫ ଫୁଟ ଉଚ୍ଚତାବିଶିଷ୍ଟ ଗଣେଶ ପ୍ରତିମା। କୋଲକାତାରୁ କାରିଗରମାନେ ଆସି ଏକ ମାସ ଧରି ଏହି ମୃଣ୍ମୟ ମୂର୍ତି ନିର୍ମାଣ କରୁଛନ୍ତି। ଏହି ମୂର୍ତିରେ କୌଣସି ରସାୟନିକ ରଙ୍ଗ କିମ୍ବା ପଦାର୍ଥ ବ୍ୟବହୃତ ହେବ ନାହିଁ। ପୂଜାରେ ଶ୍ରୀଗଣେଶଙ୍କୁ ୩୫ କେଜିର ଲଡୁ ଭୋଗ ଲାଗି ହେବ। ୭ ତାରିଖ ଦିନ ପୂଜାର ପୂର୍ଣ୍ଣାହୂତି ଅନୁଷ୍ଠିତ ହେବ। ପ୍ରାୟ ୫୦୦୦ରୁ ଊର୍ଧ୍ବ ଭକ୍ତଙ୍କ ପାଇଁ ଏଠାରେ ପ୍ରସାଦ ସେବନ ବ୍ୟବସ୍ଥା କରାଯିବ। ପୂଜାରେ ପରିବେଶର ସୁରକ୍ଷା ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୮ ତାରିଖ ଦିନ ମହାପ୍ରଭୁଙ୍କ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆଖଣ୍ଡଳମଣୀ ପୂଜା କମିଟିର ସଭାପତି ସୁମନ୍ତ ସାମନ୍ତରାୟ ସୂଚନା ଦେଇଛନ୍ତି।

ଜଗନ୍ନାଥମୁଖୀ ଗଣେଶ, କଳା ଜିରା ଓ ବାସୁମତୀ ଚାଉଳର ପ୍ରତିମା
ଭଗବାନ ଯେ ଏକ, ଏହାର ପ୍ରମାଣ ସ୍ବରୂପ ଅଶୋକ ନଗର ୟୁଥ୍‌ ଆସୋସିଏସନ୍‌ ପକ୍ଷରୁ ନିର୍ମିତ ହେଉଛି ଜଗନ୍ନାଥମୁଖୀ ଗଣେଶ। ମୂର୍ତିର ମୁହଁ ଜଗନ୍ନାଥଙ୍କର ରହିବ ଓ ‌ଶରୀର ରହିବ ଗଣେଶଙ୍କର। ୮ ଫୁଟର ଏହି ପ୍ରତିମାର ମୁହଁ କଳା ଜିରାରେ ଓ ଶରୀର ବାସୁମତୀ ଚାଉଳରେ ଗଢ଼ାଯିବ। ୫ ଦିନ ଧରି ଆସୋସିଏସନ୍‌ ପକ୍ଷରୁ ପୂଜା ଆୟୋଜିତ ହେବ। ଏହି ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା ରହିଛି ବୋଲି କହିଛନ୍ତି ଆସୋସିଏସନ୍‌ର ସମ୍ପାଦକ ନିରଞ୍ଜନ ସାହୁ।

ବି‌ରାଜିବେ ୫୦ ଫୁଟର ଗଣେଶ ଓ ୪ ଫୁଟର ମୂଷକ ରାଜ
ବଡ଼ଗଡ଼ ଗାଁରେ ପୂଜା ପାଇବେ ଚଳିତ ବର୍ଷର ସବୁଠାରୁ ବଡ଼ ଗଣେଶ। ୫୦ ଫୁଟ ଉଚ୍ଚତାର ଏହି ଗଣେଶ ପ୍ରତିମାକୁ ବ୍ରାଇଟ୍‌ ଷ୍ଟାର ୟୁଥ୍‌ ଆସୋସିଏସନ୍‌ ପକ୍ଷରୁ ପ୍ରସ୍ତୁତ କରାଯାଉଛି। ମହାରାଷ୍ଟ୍ରର ନାସିକ ଷ୍ଟାଇଲ୍‌ରେ ନିର୍ମାଣ କରାଯାଉଥିବା ଏହି ଗଣେଶ ପ୍ରତିମା ପାଖରେ ବିରାଜିବେ ୪ ଫୁଟର ମୂଷକ ରାଜ। ଆସୋସିଏସନ୍‌ ପକ୍ଷରୁ ୩ ଦିନ ଧରି ଏହି ପୂଜା ଅନୁଷ୍ଠିତ ହେବ। ଓଲିଉଡ୍‌ ଓ ବଲିଉଡ୍‌ ତାରକାମାନେ ଆସି ଏହି ଅବସରରେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିବେ। ପାରମ୍ପରିକ ନୃତ୍ୟ ଓ ଗୀତରେ ମଧ୍ୟ ମଞ୍ଚ ଦୁଲୁକିବ। ଏହି ଅବସରରେ ରକ୍ତଦାନ ଶିବିର ଆୟୋଜିତ ହେବ ସହ ପ୍ଲାଷ୍ଟିକ୍‌ମୁକ୍ତ ପରିବେଶ ପାଇଁ ବାର୍ତ୍ତା ଦିଆଯିବ।

୩୦ ଫୁଟର ସିଂହାସନ ଗଣେଶ
ସମେଇଗାଡ଼ିଆ ‘ସୋମନାଥ ଯୁବ ପରିଷଦ’ ପକ୍ଷରୁ ପ୍ରଦର୍ଶିତ ହେବ ୩୦ ଫୁଟର ସିଂହାସନ ଗଣେଶ। ସିଂହାସନରେ ରାଜାରୂପରେ ବସିବେ ଗଜାନନ। ଏହା ପାଖରେ ହେବ କୈଳାସ ପର୍ବତ। ପର୍ବତ ଉପରେ ଶିବଲିଙ୍ଗ ପ୍ରତିମା ଶୋଭାପାଇବ। ଏହାସହ ହାତୀ, ମୃଗ, ଡାଇନୋସର୍‌ ଆଦି ବିଚରଣ କରୁଥିବା ଦୃଶ୍ୟ ପ୍ରଦର୍ଶିତ ହେବ। ୨ ତାରିଖରୁ ପୂଜା ଆରମ୍ଭ ହେବ। ୬ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ଭସାଣି ଯାତ୍ରା ଡିଜେ, ଘଣ୍ଟୁଆ, ଦୁଲ୍‌ଦୁଲି ଓ ପଞ୍ଜାବୀ ବାଜା ଆଦିରେ ପ୍ରକମ୍ପିତ ହେବ। ପୁଣି ଏହି ୪ ଦିନରେ ଭଜନ ସମାରୋହ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ।

ବୁଦ୍ଧେଶ୍ବରୀ କଲୋନି କାଇଁଚ, କଉଡ଼ି ଓ ଧାନ ଗଣେଶ
ବୁଦ୍ଧେଶ୍ବରୀ କଲୋନି ‘ମଙ୍ଗଳା ୟୁଥ୍‌ କ୍ଲବ୍‌’ ପକ୍ଷରୁ ଶୋଭାପାଇବେ ସାଢ଼େ ୮ ଫୁଟର କାଇଁଚ, କଉଡ଼ି ଓ ଧାନ ଗଣେଶ। ଏହି ମୂର୍ତିରେ ଗଣେଶଙ୍କ ‌ସମ୍ପୂର୍ଣ୍ଣ ଶରୀର କଉଡ଼ିରେ, ଧୋତି କାଇଁଚରେ ଓ ଅଳଙ୍କାର ସବୁ ଧାନରେ ନିର୍ମିତ ହେବ। ମୂର୍ତି ତିଆରିରେ କୌଣସି ରଙ୍ଗର ବ୍ୟବହାର କରାଯିବ ନାହିଁ। ଏଥିପାଇଁ କାଇଁଚ ସାଢ଼େ ୧୧ କିଲୋଗ୍ରାମ୍‌, କଉଡ଼ି ସାଢ଼େ ୮ କିଲୋଗ୍ରାମ୍‌ ଓ ଧାନ ୩ କିଲୋଗ୍ରାମ ବ୍ୟବହୃତ ହେବ। ପୂଜାର ପ୍ରଥମ ଦିନ ଅଞ୍ଚଳର ସମସ୍ତ ଘରେ ଲଡୁ ବଣ୍ଟନ ହେବ ଏହା ପରଦିନ ହରିହାଟ ଅନୁଷ୍ଠିତ ହେବ। ଏହି ହରିହାଟରେ ଯେକୌଣସି ଲୋକ ଯାଇ ପ୍ରସାଦ ସେବନ କରିପାରିବେ। ୯ ତାରିଖ ଭସାଣି ପର୍ବରେ ପାରମ୍ପରିକ ସିଂଘ ବାଜା ଓ ଢୋଲର ତାଳେତାଳେ ଠାକୁରଙ୍କୁ ବିଦାୟ ଦିଆଯିବ ବୋଲି କ୍ଲବ୍‌ର ସମ୍ପାଦକ ସଞ୍ଜୟ କୁମାର ଆଚାର୍ଯ୍ୟ କହିଛନ୍ତି।

୪୬ ଫୁଟର ଦଶାବତାର ରୂପରେ
ଦର୍ଶନ ଦେବେ ବିଘ୍ନରାଜ
ଏଥର ଗଜାନନ ଆସିବେ ଦଶାବତାର ରୂପରେ। ଗୋଟିଏ କି ଦୁଇ ଫୁଟ ନୁହେଁ ୪୬ ଫୁଟର ଗଣେଶ ସେ ପୁଣି ୫୦ କେଜିର ଲଡୁ ନେଇ। କୁଶଳୀ କାରିଗରମାନେ ଦିନ ରାତି ଏକ କରି ପାର୍ବତୀନନ୍ଦନଙ୍କ ଏଭଳି ମୃଣ୍ମୟ ମୂର୍ତି ଗଢ଼ିବାରେ ଲାଗିଛନ୍ତି। ଚଳିତବର୍ଷ ଗଣେଶ ପୂଜାରେ ସହିଦ ନଗର ୱିନର୍ସ ଆସୋସିଏସନ୍‌ ପକ୍ଷରୁ ଏହି ମୂର୍ତି ନିର୍ମାଣ କରାଯାଉଛି। ପୁଣି ପରିବେଶକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ମୂର୍ତିରେ ପ୍ରାକୃତିକ ରଙ୍ଗ ବ୍ୟବହାର କରାଯିବ ବୋଲି ଆସୋସିଏସନ୍‌ ପକ୍ଷରୁ କୁହାଯାଇଛି। ଉନ୍ନତମାନର ଆଲୋକସଜ୍ଜା ସହ ମୀନାବଜାର, ୭ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭଜନ ସଂଧ୍ୟାରେ ପୂଜା ଦିନଠାରୁ ଶେଷ ଦିନ ପର୍ଯ୍ୟନ୍ତ ପୂଜା ମଣ୍ଡପ ଉତ୍ସବ ମୁଖର ହେବ। ଏଥିସହ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଦୃଷ୍ଟିବାଧିତ, ମୂକ, ବଧିର ଓ ଅନାଥାଶ୍ରମର ଅନ୍ତେବାସୀଙ୍କୁ ପ୍ରସାଦ ବଣ୍ଟନ କରାଯିବ। ସେପ୍ଟେମ୍ବର ୫ ତାରିଖ ସଂଧ୍ୟା ଆଳତିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଯୋଗ ଦେବେ। ସେପ୍ଟେମ୍ବର ୮ ତାରିଖ ଦିନ ଭଷାଣି ଉତ୍ସବ ପାଳିତ ହେବ। ଭସାଣି ଉତ୍ସବରେ ପାରମ୍ପରିକ ବାଜା ଯଥା ଯୋଡ଼ିଶଙ୍ଖ, ଘଣ୍ଟ, ଶିଙ୍ଗବାଜା, ଘୋଡ଼ାନାଚ, ପାଇକନାଚ ସହ ନଗର ପରିକ୍ରମା କରି ଗଜାନନଙ୍କୁ ବିଦାୟ ଦିଆଯିବ ବୋଲି ଆସୋସିଏସନ୍‌ ପକ୍ଷରୁ କୁହାଯାଇଛି।

ଶାଗୁ ଦାନାରେ ତିଆରି ହେବେ ପାର୍ବତୀନନ୍ଦନ
ଗଙ୍ଗନଗର ଛକ ‘ଜୀବନଜ୍ୟୋତି ସେବା ସଂଘ’ ପକ୍ଷରୁ ନିର୍ମିତ ହେଉଛି ୧୨ ଫୁଟର ଶାଗୁ ଦାନା ଗଣେଶ। ସମ୍ପୂର୍ଣ୍ଣ ପ୍ରତିମୂର୍ତି ଶାଗୁ ଦାନାରେ ଆଚ୍ଛାଦିତ ହେବ। ଏଥିସହ ତୋରଣ ତିଆରି ହେବ କଦଳୀ ପତ୍ର ଡିଜାଇନ୍‌ରେ। ୨ ତାରିଖରୁ ୭ ଦିନ ଧରି ପୂଜା ଆୟୋଜିତ ହେବ। ଭଜନ କୀର୍ତ୍ତନ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ପୂଜା ସମ୍ପାଦିତ ହେବ ବୋଲି କହିଛନ୍ତି ଆୟୋଜକ ନିବାସ ରାଉତ।

ସମ୍ବନ୍ଧିତ ଖବର