ରାଜଧାନୀ ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି: ପୂଜା ମଣ୍ଡପରେ ପଲିଥିନ୍‌ ମନା

ବାଜିବନି ଗୀତ, ମେଲୋଡ଼ିରେ କେବଳ ସାଉଣ୍ଡ ବକ୍ସ, ମୂର୍ତ୍ତି ତିଆରିରେ ବ୍ୟବହାର ହେବନି କେମିକାଲ

ଚନ୍ଦ୍ରଶେଖରପୁର: ଏଥର ରାଜଧାନୀ ଦଶହରା ହେବ ପ୍ରଦୂଷଣମୁକ୍ତ। ପୂଜା ସମୟରେ ଅଧିକ ଶବ୍ଦ କରାଯିବ ନାହିଁ। ମାଇକ୍ରୋଫୋନ୍‌ରେ ଭଜନ କିମ୍ବା କୌଣସି ଗୀତ ବାଜିବନି। କେବଳ ଶ୍ଳୋକାବୃତ୍ତି, ଚଣ୍ଡିପାଠ, ଗୀତା ପାଠ ଓ ଅନ୍ୟ ପୂଜା କାର୍ଯ୍ୟ କରାଯିବ। ମେଲୋଡି ଓ ଭଜନ ସମାରୋହ ବେଳେ ଆଇନ ଅନୁଯାୟୀ କେବଳ ସାଉଣ୍ଡ ବକ୍ସ ବ୍ୟବହାର ହେବ। ମା’ ଦୁର୍ଗାଙ୍କ ମୂର୍ତ୍ତି ତିଆରିରେ କୌଣସି ପ୍ରକାର କେମିକାଲ ବ୍ୟବହାର ନ କରିବାକୁ ପୂଜା କମିଟିଗୁଡ଼ିକ ନିଷ୍ପତ୍ତି ନେଇଛନ୍ତି। ଏଥିସହ ଏଥର ପୂଜା ମଣ୍ଡପରେ ପଲିଥିନ୍‌ ଓ ପାଉଚ୍‌ ପାଣିକୁ ବ୍ୟାନ୍‌ କରାଯାଇଛି। ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ପାନୀୟ ଜଳ ବ୍ୟବସ୍ଥା କରିବାକୁ ରାଜଧାନୀ ଶାନ୍ତି କମିଟି ବୈଠକରେ ସ୍ଥିର ହୋଇଛି। ଚନ୍ଦ୍ରଶେଖରପୁର ଥାନା ନିକଟ କ୍ରିଷ୍ଟାଲ କୋର୍ଟୟାର୍ଡଠାରେ ଅନୁଷ୍ଠିତ ରାଜଧାନୀ ଶାନ୍ତି କମିଟି ବୈଠକ ନିଷ୍ପତ୍ତି ଅନୁଯାୟୀ ଅକ୍ଟୋବର ୧୫ରେ ବେଲବରଣୀଠାରୁ ଦୁର୍ଗା ପୂଜା ଆରମ୍ଭ ହୋଇ ୧୯ତାରିଖ ବିଜୟା ଦଶମୀରେ ଘଟ ବିସର୍ଜନରେ ଶେଷ ହେବ। ୨୦ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ଅକ୍ଟୋବର ୨ରୁ ପୀଠେ ଷୋଳ ପୂଜା ଓ ୯ ତାରିଖରୁ ନବରାତ୍ରୀ ପୂଜା ଆରମ୍ଭ କରିବାକୁ ସ୍ଥିର ହୋଇଛି। ଚଳିତବର୍ଷ ଦୁର୍ଗା ପୂଜାରେ ସମସ୍ତଙ୍କ ସମନ୍ଵୟ ରକ୍ଷା କରି ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ସମସ୍ତ କମିଟି ରାଜି ହୋଇଛନ୍ତି।

ଶାନ୍ତି କମିଟିର ସଭାପତି ମଧୁ ମାଧବ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, କଳିଙ୍ଗ ହସ୍ପିଟାଲର ମୁଖ୍ୟ ଆଲୋକ ଲୋଧା, ହେଲପ୍‌ ଏଜ୍‌ ଇଣ୍ଡିଆର ମୁଖ୍ୟ ଭାରତୀ ଚକ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସଭାପତି ଶ୍ରୀ ଜେନା କହିଛନ୍ତି ଯେ ଏଥର ସହରରେ ୧୭୮ଟି ମେଢ଼ ହେଉଛି। ପୂଜା କମିଟି ମଧ୍ୟରେ ସମନ୍ଵୟ ରକ୍ଷା କରିବା ସହ ଭାଇଚାରା ସୃଷ୍ଟି କରିବାକୁ ସ୍ଥିର ହୋଇଛି। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ମହିଳାଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ପୂଜା ସମୟରେ ସମସ୍ତ ଅଞ୍ଚଳର ଲୋକେ ଯେମିତି ସାମିଲ ହୋଇପାରିବେ, ସେଥିପ୍ରତି ଧ୍ୟାନ ଦିଆଯିବ। ରାବଣ ପୋଡ଼ି ପାଇଁ ବାରିକେଡ୍‌ କରାଯିବ। ଅଗ୍ନିଶମ ବିଭାଗ ଓ ପୁଲିସ ସହାୟତା ନେବାକୁ କମିଟିଗୁଡ଼ିକୁ କୁହାଯାଇଛି। ଶାନ୍ତି କମିଟିର ସମ୍ପାଦକ ତଥା କର୍ପୋରେଟର୍‌ ନବକିଶୋର ବେହେରା କହିଛନ୍ତି, ପ୍ରତିବର୍ଷ ପରି ଏଥର ମଧ୍ୟ ପୂଜା ମଣ୍ଡପଗୁଡ଼ିକରେ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ଅକ୍ଟୋବର ୨ରୁ ପ୍ଲାଷ୍ଟିକ୍‌ ବ୍ୟାନ୍‌ ହେଉଥିବାରୁ ପୂଜା କମିଟିଗୁଡ଼ିକ ମଧ୍ୟ ପ୍ଲାଷ୍ଟିକ ଓ ପଲିଥିନ୍‌ ବ୍ୟବହାର ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ମଣ୍ଡପରେ ସମସ୍ତ ଜରୁରୀକାଳୀନ ବିଭାଗର ହେଲ୍‌ପ ଲାଇନ୍‌ ନମ୍ବର ଟଙ୍ଗାଯିବ। ଭସାଣି ଉତ୍ସବକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ବୈଠକରେ ଆଲୋଚନା ହୋଇଛି। କମିଟିର ଉପସଭାପତି ସୁବାସ ପାତ୍ର କହିଛନ୍ତି ମଣ୍ଡପରେ ଭକ୍ତଙ୍କ ସୁରକ୍ଷା, ଅଗ୍ନି ନିର୍ବାପକ ବ୍ୟବସ୍ଥା କରିବା, ପ୍ଲାଷ୍ଟିକ୍‌ ବର୍ଜନ କରିବାକୁ ସମସ୍ତେ ସହମତି ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କମିଟିର ଉପସଭାପତି ସିଦ୍ଧାର୍ଥ ଦାସ, ପବିତ୍ର ବେହେରା, ପ୍ରୀତିନନ୍ଦା ରାଉତରାୟ, ଯୁଗ୍ମ ସମ୍ପାଦକ ବିଜୟ ପାତ୍ର, କମିଟିର ଉପଦେଷ୍ଟା ଯୁଗୋଳ କିଶୋର ସାହୁ, ଡା.ଜଗନ୍ନାଥ ମହାପାତ୍ର, ଅତିଶ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର