ର‍୍ୟାଗିଂ ପାଇଁ ଦଣ୍ଡ : ଇଞ୍ଜିନିୟରିଂ ଛାତ୍ର ବହିଷ୍କୃତ, ପୁଲିସ କମିସନର୍‌ଙ୍କୁ ଅଭିଯୋଗ

ଭୁବନେଶ୍ୱର : ର‍୍ୟାଗିଂ ଅଭିଯୋଗରେ ଜଣେ ଛାତ୍ରଙ୍କୁ ବହିଷ୍କାର କରିଛି ସିଲିକନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି। ସେ ହେଉଛନ୍ତି ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ୪ର୍ଥ ବର୍ଷ ଛାତ୍ର ପ୍ରଶାନ୍ତ ଗୌତମ। ତେବେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରଶାନ୍ତଙ୍କ ପ୍ରତି ଅନ୍ୟାୟ କରାଯାଇଛି ବୋଲି ତାଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ନେଇ ତାଙ୍କ ବାପା ବିଜୟ କିଶୋର ଚୌବେ ଆଜି ପୁଲିସ କମିସନର୍‌ଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ମଧ୍ୟ ତାଙ୍କୁ ଭେଟିବା ସମ୍ଭବ ହୋଇନାହିଁ। ଆସନ୍ତାକାଲି କମିସନର୍‌ଙ୍କୁ ଭେଟି ଅଭିଯୋଗ କରିବେ ବୋଲି କହିଛନ୍ତି। କଲେଜ କର୍ତ୍ତୃପକ୍ଷଙ୍କ ନୋଟିସ୍‌ ମୁତାବକ, ଗତ ବର୍ଷ ସେପ୍ଟେମ୍ବରରେ ରାହୁଲ ଭାଟିଆ ନାମକ ଜଣେ ଛାତ୍ର ପ୍ରଶାନ୍ତଙ୍କ ବିରୋଧରେ ରୢାଗିଂ ଅଭିଯୋଗ ଆଣିଥିଲେ। ଏହି ଘଟଣା ନୂଆଦିଲ୍ଲୀ ଆଣ୍ଟି ରୢାଗିଂ ହେଲ୍‌ପ-ଲାଇନ୍‌ରେ ପଞ୍ଜୀକୃତ ହୋଇଥିଲା। ଡିସିପ୍ଲିନାରି କମିଟି ଏହାର ତଦନ୍ତ କରିଥିଲା। ଚଳିତ ଅକ୍ଟୋବରରେ କାସିଫ୍‌ ନିହାଲ ନାମକ ଜଣେ ଛାତ୍ରଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ଏହାକୁ ନେଇ କାସିଫ୍‌ ମଧ୍ୟ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ। ଉଭୟ ଅଭିଯୋଗକୁ ଆଧାର କରି କଲେଜ କର୍ତ୍ତୃପକ୍ଷ ତାଙ୍କୁ ଗତ ୧୧ତାରିଖରେ ବହିଷ୍କୃତ କରିଥିଲେ।

ବାପା ବିଜୟ କିଶୋର ଚୌବେଙ୍କ ଅଭିଯୋଗ, ଝଗଡ଼ାର ଆପୋଷ ସମାଧାନ ହୋଇଥିଲା। ଏ ନେଇ ଲିଖିତ ଭାବେ ଉଭୟ ପକ୍ଷରୁ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ଆସନ୍ତାକାଲି ପରୀକ୍ଷା ଥିଲା। ପ୍ରଶାନ୍ତ ୧୧ ତାରିଖ ଦିନ ଆଡ୍‌ମିଟ୍‌ କାର୍ଡ ପାଇଁ ଯାଇଥିଲା। କିନ୍ତୁ କର୍ତ୍ତୃପକ୍ଷ ତାଙ୍କୁ ବହିଷ୍କାର ପତ୍ର ଧରାଇ ଦେଇଥିଲେ। ଏଣୁ କର୍ତ୍ତୃପକ୍ଷଙ୍କର ଏହି ଆଦେଶ ବାତିଲ କରିବା ସହ ପ୍ରଶାନ୍ତକୁ ପରୀକ୍ଷା ସୁଯୋଗ ଦେବା ପାଇଁ ଆମେ କମିସନରଙ୍କୁ ନିବେଦନ କରିବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର