ପୁଣ୍ୟତାଙ୍କୁ ‘ପିଲାଙ୍କ ଅକ୍ଷୟ ସମ୍ମାନ’

ପିକକ୍‌ ଶିଶୁମେଳାର ଚତୁର୍ଥ ସନ୍ଧ୍ୟା

ଭୁବନେଶ୍ୱର: ନଦୀର ନାମ ଅଳସ କନ୍ୟା…., ନିଝୁମ ରାତିର ସାଥୀ…., ସ୍ମୃତି ତୁମେ…….., ଯା ଯା ବର … ଆଦି ଅକ୍ଷୟ ସଂଗୀତ ଗୁଞ୍ଜରିତ ହୋଇଥିଲା ଏକାମ୍ର ହାଟର ଖୋଲାମଞ୍ଚରେ। ଆଜି ପ୍ରଖ୍ୟାତ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତିଙ୍କ ଶ୍ରାଦ୍ଧ ଦିବସ ଅବସରରେ ‘ପିକକ୍‌ ଶିଶୁ ମେଳା’ର ଚତୁର୍ଥର୍ ସଂଧ୍ୟା ତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା। ତାଙ୍କ ସ୍ମୃତିରେ ଆୟୋଜିତ ହୋଇଥିଲା ‘ପିଲାଙ୍କ ଅକ୍ଷୟ’ କାର୍ଯ୍ୟକ୍ରମ। କୁନି କୁନି କଣ୍ଠଶିଳ୍ପୀମାନେ ଅକ୍ଷୟ ମହାନ୍ତିଙ୍କ ଗୀତ ଗାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମକୁ ପିକକ୍‌, ରୟାଲ କଲେଜ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଓ ରୋଟାରି କ୍ଲବ ଅଫ୍‌ ହେରିଟେଜ୍‌ ଭୁବନେଶ୍ୱର ମିଳିତ ଆନୁକୁଲ୍ୟରେ ଆୟୋଜନ କରାଯାଇଥିଲା । ବରିଷ୍ଠ ପ୍ରଶାସକ ପ୍ରଦୀପ କୁମାର ବିଶ୍ୱାଳ, ସହକାରୀ ଶ୍ରମ କମିସନର ଅଜୟ ପଟ୍ଟନାୟକ, ବିଶିଷ୍ଟ କଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତ୍‌ , ବନ୍ଦିତା ଦାସ, ରୟାଲ୍‌ କଲେଜ ଅଫ ସାଇନ୍ସ ଏଣ୍ଡ ଟେକ୍ନୋଲୋଜିର ନିର୍ଦ୍ଦେଶକ ବିଷ୍ଣୁ ମୋହନ ମହାନ୍ତି, ରୋଟାରି ହେରିଟେଜର ଦେବବ୍ରତ ପାଣିଗ୍ରାହୀ, ଦିବ୍ୟରଂଜନ ଦାଶ ଓ ବସନ୍ତ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଶିଶୁ କଣ୍ଠଶିଳ୍ପୀ ପୁଣ୍ୟତା ଦାଶଙ୍କୁ ‘ପିଲାଙ୍କ ଅକ୍ଷୟ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପିକକ୍‌ର ଅଧ୍ୟକ୍ଷା ଆଦରମଣି ବରାଳ, ସମ୍ପାଦକ ରଂଜନ କୁମାର ମହାନ୍ତି ଓ ଅନୁରାଧା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର