ନିରଞ୍ଜନ ସେନାପତି

Advertisment

ବାଲିଅନ୍ତା: ଘରେଘରେ ଟିଭି ପହଞ୍ଚିବା ପରେ ଗାଁର ବହୁ ପୁରୁଣା ପରମ୍ପରା ବନ୍ଦ ହେବାରେ ଲାଗିଲା। ପାଲା, ଦାସକାଠିଆ ଭଳି ଓଡ଼ିଶାର ପ୍ରାଚୀନ କଳାପ୍ରତି ଲୋକଙ୍କ ଆଗ୍ରହ କମିବା ପରିଲକ୍ଷିତ ହେଲା। ଏବେ ମୋବାଇଲ୍‌ ଜମାନା। ଟିଭି ସରିୟଲ୍‌ରେ ବି ମନ ଲାଗୁନାହିଁ। ରିଲ୍‌ସ ଓ କମେଡି ଭିଡିଓ ଦେଖିବାରେ ଲୋକେ ମାତିଛନ୍ତି। କିନ୍ତୁ ଏହା ଭିତରେ ବି ବଞ୍ଚିଛି ପ୍ରାଚୀନ ପରମ୍ପରା। ଗାଁ ଦାଣ୍ଡରେ ପୁରାଣ ପଢ଼ା ପରମ୍ପରା ଆଜି ବି ତିଷ୍ଠି ରହିଛି। ବାଲିଅନ୍ତା ବ୍ଲକ୍‌ ସରକଣା ପଞ୍ଚାୟତ ରଣପୁର ଗାଁରେ ଆଜି ବି ଗାଁ ଦାଣ୍ଡ ପୁରାଣ ପଢ଼ା ଚାଲିଛି ଏବଂ ପ୍ରତିଦିନ ସନ୍ଧ୍ୟାରେ ଲୋକେ ପୁରାଣ ଶୁଣିବାକୁ ଅପେକ୍ଷା କରି ବସୁଛନ୍ତି।

ରଣପୁର ଗାଁ ମହାଜନଘର ଭାବେ ଜଣାଶୁଣା ବିଦ୍ୟାଧର ସାହୁଙ୍କ ଦାଣ୍ଡପିଣ୍ଡାରେ ଚଳିତ ବର୍ଷ ନୃସିଂହ ପୁରାଣ ପାଠ କରାଯାଉଛି। ପୂର୍ବ ବର୍ଷମାନଙ୍କରେ ରାମାୟଣ ଓ ମହାଭାରତ ପଢ଼ାହେଉଥିଲା। ଶ୍ରୀଗୁଣ୍ଡିଚାରୁ ଆରମ୍ଭ ହୋଇଥିବା ଏହି ପୁରାଣ ପଢ଼ା କାର୍ତ୍ତିକ ମାସରେ ଉଦ୍‌ଯାପିତ ହେବ। ଗାୟକ ଅଗାଧୁ ବେହେରା, କଳ୍ପତରୁ ରାଉତରାୟ, କୈଳାସ ମହାକୁଡ଼, ପ୍ରଫୁଲ ସେନାପତି ଓ ଗନ୍ଧର୍ବ ସେନାପତି ପାଳି କରି ପୁରାଣ ପଢ଼ି ଶୁଣାଉଛନ୍ତି। ସେହିଭଳି ଶ୍ରୋତା ହିସାବରେ ବରିଷ୍ଠ ମହିଳା ନାଗରିକ ସାରଳା ପରିଡ଼ା, ପ୍ରେମଲତା ପରିଡ଼ା, ବିନୋଦିନୀ ରାଉତରାୟ, ତିଳେତ୍ତମା ସେନାପତି, ରଜନୀ ସାହୁ, ସାରଦା ସେନାପତି ଓ କୁନି ଭୋଇ ପ୍ରମୁଖ ନିତିଦିନ ସନ୍ଧ୍ୟାରେ ବସୁଛନ୍ତି। ବୟୋଜ୍ୟଷ୍ଠ ପୁରୁଷମାନଙ୍କ ମଧ୍ୟରେ ବନବିହାରୀ ସେନାପତି, ଦିବାକର ସେନା‌ପତି, ଲକ୍ଷ୍ମଣ ରାଉତରାୟ, ମାଗୁଣି ରାଉତ, ନନ୍ଦ ବେହେରା, ବେଣୁଧର ବେହେରା ଓ ଜନାର୍ଦ୍ଦନ ଭୋଇ ପ୍ରମୁଖ ସବୁଦିନ ପୁରାଣ ଶୁଣିବାକୁ ମୂଳରୁ ଶେଷ ପର୍ଯ୍ୟନ୍ତ ବସୁଛନ୍ତି। ଦିବାକରଙ୍କ କହିବା କଥା ଏହି ପରମ୍ପରା କାହିଁ କେତେ ବର୍ଷ ହେଲା ଚାଲିଛି, କହିବା କଷ୍ଟ। କାରଣ ସେ ତାଙ୍କ ପିଲା ଦିନରୁ ଦେଖିଆସୁଛନ୍ତି ଏବଂ ତାଙ୍କ ଜେଜେବାପାଙ୍କ ଅମଳରୁ ଚାଲିଥିଲା ବୋଲି ଶୁଣିଛନ୍ତି। ତେଣୁ ନିହାତି ଶହେ ବର୍ଷ ହେବ ଏହି ପରମ୍ପରା ଚାଲିଛି କହିଲେ କିଛି ଭୁଲ୍‌ ହେବ ନାହିଁ। ସେ ପୁଣି କହିଛନ୍ତି ଯେ ଏହା ଏକ ପର୍ବ। ଶ୍ରୀଗୁଣ୍ଡିଚା ଦିନ ଆରମ୍ଭ କରାଯାଇଥିଲା ଏବଂ ବାଳଭୋଗ କରି ପିଲାଙ୍କୁ ବଣ୍ଟନ କରାଯାଇଥିଲା। ସେହିଭଳି ଉଦ୍‌ଯାପନୀ ପର୍ବରେ ପ୍ରସାଦସେବନ ବିଧି ରହିଛି। ପୁରାଣ ବଢ଼ିବା ଦିନ(ସରିବା ଦିନ) ଗାଁର ଘରେଘରେ କୁଣିଆ ଭର୍ତ୍ତି ହୋଇଯିବେ। ଆଖାପାଖ ଗାଁର ମୁରବି ତଥା ଭଦ୍ରଲୋକଙ୍କୁ ନିମନ୍ତ୍ରଣ କରାଯିବ।

ପୁରାଣ ଗାୟକ କଳ୍ପତରୁ ରାଉତରାୟଙ୍କ କହିବା କଥା ଶ୍ରୋତା ଥିଲେ ପଢ଼ିବାକୁ ଭଲ ଲାଗେ। ତାଙ୍କ ପିଲା ଦିନେ ଡିବି, ଲଣ୍ଠନ ଲାଗୁଥିଲା। ରୁଆ, ବେଉଷଣ ଭଳି ଚାଷ କାମରୁ ଆସିବା ପରେ ଲୋକେ ଗାଁ ଦାଣ୍ଡରେ ବସି ପୁରାଣ ଶୁଣିବାକୁ ଭଲ ପାଉଥିଲେ। ମଝିରେ ମଝିରେ କୌଣସି ପ୍ରସଙ୍ଗକୁ ନେଇ କିଛି ସମୟ ପୁରାଣ ପଠନରେ ବିରାମ ଲାଗୁଥିଲା ଏବଂ ସେବାବଦରେ ଚର୍ଚ୍ଚା ହେଉଥିଲା। ରାମାୟଣ, ମହାଭାରତ ଶୁଣିବାକୁ ବେଶି ଆଗ୍ରହୀ ଥିଲେ। ତଥାପି ଶିବ ପୁରାଣ, ହରିବଂଶ ଓ ମାର୍କେଣ୍ଡେୟ ପୁରାଣ ପ୍ରତି ଲୋକଙ୍କର ବହୁ ଆଗ୍ରହ ଥିଲା। ଆଜିକାଲି ବହୁ ଗାଁରୁ ଏହି ପରମ୍ପରା ବନ୍ଦ ହୋଇଗଲାଣି। ଶୁଣିବାକୁ ଲୋକ ନଥିବାରୁ ପୁରାଣ ପଢ଼ା ବନ୍ଦ ହୋଇଯାଇଛି। କିନ୍ତୁ ଏହି ଗାଁରେ କିଛି ଲୋକ ଶୁଣୁଛନ୍ତି ବୋଲି ପରମ୍ପରା ବଞ୍ଚିଛି। ହୁଏତ ଆଉ କିଛି ବର୍ଷ ପରେ ଏହା ବୁଡ଼ିଯିବ। ନୂଆ ପିଲା କେହି ଗାଇବାକୁ ଆଗ୍ରହ କରୁନାହାନ୍ତି। ଯୁବପିଢ଼ି ବି ଶୁଣିବାକୁ ଭଲ ପାଉନାହାନ୍ତି। ତେଣୁ ଏହାର ଭବିଷ୍ୟତ ଅନିଶ୍ଚିତ। କିନ୍ତୁ ସେମାନେ ବଞ୍ଚିଥିବା ଯାଏଁ ଏହାକୁ ବୁଡ଼ିବାକୁ ଦେବେ ନାହିଁ ବୋଲି ସେ କହିଛନ୍ତି।