ରାସ୍ତା ଅନ୍ଧାରରେ, ସୁଧ ଖାଉଛି ବିଏମ୍‌ସି

୭ମାସ ହେଲା ୩କୋଟିର ସୁଧ ଖାଉଛି ବିଏମ୍‌ସି, ପୁରୀ ବାଇପାସ୍‌ ଆଲୋକୀକରଣ ପାଇଁ ପର୍ଯ୍ୟଟନ ବିଭାଗ ଦେଇଥିଲା ୨.୯୨କୋଟି

ଭୁବନେଶ୍ବର : ବିଏମ୍‌ସି ପାଖରେ ଟଙ୍କା ନାହିଁ ବୋଲି ବିଭିନ୍ନ ପ୍ରକଳ୍ପ ହୋଇପାରୁନି। ହେଲେ ରାଜଧାନୀରେ ବିଭିନ୍ନ ପ୍ରକଳ୍ପ କରିବା ପାଇଁ ବିଭିନ୍ନ ସଂସ୍ଥା ଯେଉଁ ଟଙ୍କା ଦେଉଛନ୍ତି ବିଏମ୍‌ସି ତାକୁ ବି ଖର୍ଚ୍ଚ କରିପାରୁନି। ବିଏମ୍‌ସି ବିଭିନ୍ନ ବିଭାଗରୁ ଯେଉଁ ଟଙ୍କା ଆଣୁଛି ତାକୁ ଖର୍ଚ୍ଚ କରିବା ବଦଳରେ ବ୍ୟାଙ୍କରେ ମାସ ମାସ ରଖି ଏହାର ସୁଧ ଖାଉଛି। ବିଏମ୍‌ସି କର୍ତ୍ତୃପକ୍ଷ ରାଜସ୍ବ ବଢ଼ାଇବା ପାଇଁ ଏହି ଶସ୍ତା ସୁନ୍ଦର ଉପାୟଟିକୁ ଆପଣାଇଛନ୍ତି। ଯାହାର ନଗ୍ନ ଉଦାହରଣ ହେଲା ପର୍ଯ୍ୟଟନ ବିଭାଗ ପୁରୀ ବାଇପାସ୍‌ର ଆଲୋକୀକରଣ ପାଇଁ ଜାନୁଆରି ମାସରୁ ୨.୯୨କୋଟି ଟଙ୍କା ଦେଇଥିବା ବେଳେ ବିଏମ୍‌ସି କର୍ତ୍ତୃପକ୍ଷ ୭ମାସ ହେଲା ଏଥିରୁ ଟଙ୍କାଟିଏ ବି ଖର୍ଚ୍ଚ କରିନାହାନ୍ତି, ବରଂ ଏହି ଟଙ୍କା ବିଏମ୍‌ସି ଆକାଉଣ୍ଟରେ ଥିବାରୁ ବିଏମ୍‌ସି ୭ମାସ ହେଲା ଏହାର ସୁଧ ପାଇ ଚାଲିଛି। ଏପଟେ ପୁରୀ ବାଇପାସ୍‌ରୁ ଅନ୍ଧାର ହଟୁନି।

୨୦୧୪ରୁ ପୁରୀ ବାଇପାସ୍‌ ନିର୍ମାଣ ଶେଷ ହେବା ପରେ ଏହି ରାସ୍ତା ଲୁଟେରା ଓ ଡକାୟତଙ୍କ ଆଡ଼ାସ୍ଥଳୀ ପାଲଟିଛି। ରାସ୍ତାରେ ଅନ୍ଧାର ରାଜୁତି କରୁଥିବାରୁ ପ୍ରତ୍ୟେକ ଦିନ ଲୁଟ୍‌, ରାହାଜାନି, ଅସଦାଚାରଣ ଭଳି ଘଟଣା ଘଟୁଛି। ରାଜଧାନୀର ଏହି ପ୍ରମୁଖ ରାସ୍ତା ଏବେ ଅପରାଧୀଙ୍କ ଆଡ଼ାସ୍ଥଳୀ ପାଲଟି ଯାଇଥିବାରୁ ସଂଧ୍ୟା ପରେ ଲୋକ ଏହି ରାସ୍ତାରେ ଯାତାୟାତ କରିବାକୁ ଡରୁଛନ୍ତି। ରାଜଧାନୀ ଭିତରର ଭିଡ଼ କମାଇବା ପାଇଁ ଏହି ରାସ୍ତା ନିର୍ମାଣ ହୋଇଥିଲେ ହେଁ ଲୁଟ୍, ଡକାୟତି ଭୟରେ ବହୁ ଲୋକ ଏହି ରାସ୍ତାରେ ଯାତାୟାତ କରୁନାହାନ୍ତି। ଏପରିକି ଏହି ରାସ୍ତା ପୂରା ଅନ୍ଧାର ରହୁଥିବାରୁ ଏଠାରେ ଗାଈଗୋରୁ ରାତିରେ ଶୋଉଛନ୍ତି। ଆଉ ରାସ୍ତାରେ ଆସୁଥିବା ଗାଡ଼ି ଚାଳକମାନେ ହଠାତ୍ ଏହାକୁ ଦେଖିନପାରି ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏହି ରାସ୍ତା ପାଣ୍ଡରା, ଜଗନ୍ନାଥ ନଗର, କେଶୁରା, ଝାରପଡ଼ା, ଟଙ୍କପାଣି ରୋଡ୍‌, ଲିଙ୍ଗିପୁର ଆଦିକୁ ସଂଯୋଗ କରୁଥିବାରୁ ଏହି ଅଞ୍ଚଳର ଲୋକମାନେ ଜାତୀୟ ରାଜପଥକୁ ଆସିବା ବେଳେ ବି ଦୁର୍ଘଟଣାର ଶିକାର ହେଉଛନ୍ତି।

ଦୀର୍ଘ ୫ ବର୍ଷ ହେଲା ଏହି ସସମ୍ୟା ଲାଗି ରହିଥିଲେ ହେଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହାର ସମାଧାନ କରୁନାହାନ୍ତି। ସ୍ଥାନୀୟ ଅଞ୍ଚଳର ଲୋକମାନେ ଏନେଇ ବିଏମ୍‌ସି ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ ବି ରାସ୍ତାରେ ଆଲୋକୀକରଣ ହୋଇପାରିଲାନି।

ପୁରୀ ବାଇପାସ୍‌ରେ (ହାଇଟେକ୍ ଛକରୁ ଦୟା ବ୍ରିଜ୍ ପର୍ଯ୍ୟନ୍ତ ରାସ୍ତା) ଜାତୀୟ ରାଜପଥ କର୍ତ୍ତୃପକ୍ଷ ଷ୍ଟ୍ରିଟ ଲାଇଟ୍ ଲଗାଇ ପାରିବେନି ବୋଲି କହିବା ପରେ ବିଏମ୍‌ସି ବି ଏଠାରେ ଷ୍ଟ୍ରିଟ ଲାଇଟ୍ ଲାଗି ପାରିବନି ବୋଲି ହାତ ଟେକି ଦେଇଥିଲା। ଏହି ଅଞ୍ଚଳର ବିଧା‌ୟକ ତଥା ତତ୍କାଳୀନ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏନେଇ ସହାୟତାର ହାତ ବଢ଼ାଇଥିଲେ। ଏହି ୧୦କିମିର ରାସ୍ତାର ଆଲୋକୀକରଣ ପାଇଁ ପର୍ଯ୍ୟଟନ ବିଭାଗ ୨.୯୨କୋଟି ଦେଇଥିଲା। ମନ୍ତ୍ରୀ ଶ୍ରୀ ପଣ୍ଡା ଏହି ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଘୋଷଣା କରିଥି‌ଲେ ଯେ ଦୁଇ ମାସରେ କାମ ସରିବ। ପୂରା ବାଇପାସ୍ ଏଲ୍‌ଇଡି ଲାଇଟ୍‌ରେ ଝଲସିବ। ‌ଘୋଷଣା ଅନୁଯାୟୀ ଏହି ପ୍ରକଳ୍ପ କାର୍ଯ୍ୟ ମାର୍ଚ୍ଚ ମାସ ଶେଷ ସୁଦ୍ଧା ସରିବା କଥା। କିନ୍ତୁ ୭ମାସ ପରେ ବି ଷ୍ଟ୍ରିଟଲାଇଟ୍ ଜଳିବା ପାଇଁ ଖୁଣ୍ଟ ଗୋଟିଏ ପୋତା ହୋଇପାରିଲାନି।

ଏନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପର୍ଯ୍ୟଟନ ବିଭାଗ ସିନା ଟଙ୍କା ଦେଇଦେଲା। ହେଲେ ଆମକୁ ଟେଣ୍ଡର କରି କାମ କରିବାର ଅଛି। ସେଥିପାଇଁ ସମୟ ଲାଗୁଛି। ଏହି ୧୦କିମିର ରାସ୍ତାକୁ ୪ଟି ପ୍ୟାକେଜ୍‌ରେ ବିଭକ୍ତ କରାଯାଇଛି। ଗୋଟିଏ ପ୍ୟାକେଜ୍‌ର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଷ୍ଟ୍ରିଟ ଲାଇଟ୍ ଲଗାଇବା ପାଇଁ ଗାତ ଖୋଳା ଚାଲିଛି। ବାକି ତିନିଟି ପ୍ୟାକେଜ୍ ଟେଣ୍ଡର ସରିଲେ କାମ ଆରମ୍ଭ ହେବ।

ଏଠାରେ ପ୍ରଶ୍ନ ଉଠୁଛି ବିଏମ୍‌ସି ଏତିକି କାମ ପାଇଁ ଟେଣ୍ଡର୍‌ କରିବାକୁ ୭ମାସ ନେବା ପଛରେ ରହସ୍ୟ କ’ଣ। ସର୍ବାଧିକ ଦୁଇ ମାସ ଭିତରେ ଟେଣ୍ଡର୍‌ ପ୍ରକ୍ରିୟା ଶେଷ ହେବାକୁ ଥିବା ବେଳେ କାହା ଅବହେଳାରୁ ଟେଣ୍ଡର୍‌ ପ୍ରକ୍ରିୟା ବିଳମ୍ବ ହୋଇଚାଲିଛି। ପୁରୀ ବାଇପାସ୍‌ରେ ପ୍ରତ୍ୟେକ ଦିନ ଯେଉଁ ଲୁଟ୍, ଦୁର୍ଘଟଣା ହେଉଛି ସେଥିପାଇଁ ଦାୟୀ କିଏ?

ସମ୍ବନ୍ଧିତ ଖବର