ଭୁବନେଶ୍ବର: ୩୧୬ ନମ୍ବର ଜାତୀୟ ରାଜପଥ ପୁରୀ ବାଇପାସ୍ର ସାଇ ମନ୍ଦିର ଛକ ସହ ଅନ୍ୟ ୪ଟି ଟ୍ରାଫିକ୍ ଭିଡ଼ ହେଉଥିବା ଛକରେ ନିର୍ମାଣ ହେବ ଫ୍ଲାଏଓଭର୍। ପ୍ରଥମ ପର୍ଯ୍ୟାୟରେ ସାଇ ମନ୍ଦିର ଛକ ଓ ଲିଙ୍ଗିପୁର ଛକରେ ଫ୍ଲାଏଓଭର୍ ନିର୍ମାଣ କରାଯିବ। ଏନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ) ପକ୍ଷରୁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ପ୍ରସ୍ତୁତ କରାଯାଉଛି। ଏପ୍ରିଲ୍ ଶେଷ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି। ଏହାପରେ ତୁରନ୍ତ ଟେଣ୍ଡର ପ୍ରକ୍ରିୟା ଏବଂ ନିର୍ମାଣ କାମ ଆରମ୍ଭ ହେବ।
୨୦୧୨ମସିହାରେ ଏହି ବାଇପାସ୍ ରାସ୍ତା ଲୋକାର୍ପିତ ହୋଇଥିଲା। କଟକ ରୋଡ୍ରେ ହେଉଥିବା ଭିଡ଼ ବା ଟ୍ରାଫିକ୍ ଜାମ୍ରୁ ଲୋକଙ୍କୁ ମୁକ୍ତି ଦେବାକୁ ୧୬ ନମ୍ବର ଜାତୀୟ ରାଜପଥର ପଳାସୁଣି ଛକରୁ ଏହି ପୁରୀ ବାଇପାସ୍ ନିର୍ମାଣ କରାଯାଇଥିଲା। ତେବେ ଏହି ୧୧ ବର୍ଷ ଭିତରେ ବାଇପାସ୍ର ପଳାସୁଣିଠାରୁ ଲିଙ୍ଗିପୁର ଛକ ଯାଏ ଦୁଇ କଡ଼ରେ ଶହଶହ କୋଠା ଗଢ଼ି ଉଠିଛି। ବହୁ ଆବାସିକ କଲୋନି ଗଢ଼ିଉଠିଛି। ଶତାଧିକ ବ୍ୟାବସାୟିକ ପ୍ରତିଷ୍ଠାନ, ବିବାହ ମଣ୍ଡପ, ହୋଟେଲ ଓ କଲ୍ୟାଣ ମଣ୍ଡପ ନିର୍ମାଣ ହୋଇଛି। ତେଣୁ ସ୍ବାଭାବିକ ଭାବେ ଏହି ରାସ୍ତାରେ ଦିନକୁ ଦିନ ଗହଳି ବଢ଼ିବାରେ ଲାଗିଛି। ବିଶେଷକରି ପାଣ୍ଡରା ଛକଠାରୁ ସାଇ ମନ୍ଦିର ଛକ ଯାଏ ସବୁଦିନ ସକାଳ ୯ରୁ ଦିନ ୧୧ ଏବଂ ସଂଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଅସମ୍ଭବ ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳୁଛି।
ବହୁ ସମୟରେ ଘଣ୍ଟା ଘଣ୍ଟା ଧରି ଯାତାୟାତ ଏକପ୍ରକାର ଠପ୍ ହୋଇଯାଉଛି। ରାସ୍ତାରେ ଅଟକି ରହି ଲୋକମାନେ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି। ସାଇ ମନ୍ଦିର ଛକରେ ସବୁଠାରୁ ଅଧିକ ଜାମ୍ ହେଉଛି। ଏହି ଛକ ଦେଇ ଭୁବନେଶ୍ବରକୁ ନିଆଳିଠାରୁ ଆରମ୍ଭ କରି ବାଲିପାଟଣା, ବାଲିଅନ୍ତା ଲୋକେ ନିର୍ଭର କରୁଛନ୍ତି।
ବଡ଼ କଥା ହେଉଛି, ଏହି ଛକ ନିକଟରେ ବଡ଼ ବଡ଼ ବିବାହ ମଣ୍ଡପ ରହିଥିବାରୁ ଶୋଭାଯାତ୍ରା ପାଇଁ ଅଧିକାଂଶ ସମୟ ରାସ୍ତା ଜାମ୍ ହୋଇଯାଉଛି। ତେଣୁ ବହୁ ସମୟରେ ପୁରୀ ପର୍ଯ୍ୟଟକଙ୍କ ଗାଡ଼ି ଅଟକି ରହୁଛି। ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ତ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଥାଏ। ଏ ସବୁକୁ ଦୃଷ୍ଟିରେ ରଖି ପାଣ୍ଡରା ଛକ, କେସୁରା ଛକ, ସାଇ ମନ୍ଦିର ଛକ, ଲିଙ୍ଗିପୁର ଛକ ଓ ଉତ୍ତରା ଛକରେ ଫ୍ଲାଏ ଓଭରବ୍ରିଜ୍ ନିର୍ମାଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏନେଇ ଏନ୍ଏଚ୍ଏଆଇ ଡିପିଆର୍ ପ୍ରସ୍ତୁତ କରୁଛି।
ଏନେଇ ଏନ୍ଏଚ୍ଏଆଇର ଓଡ଼ିଶା ମୁଖ୍ୟ ରାମପ୍ରସାଦ ପଣ୍ଡା କହିଛନ୍ତି ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଉଛି। ଏପ୍ରିଲ୍ ଶେଷ ସୁଦ୍ଧା ଚୂଡ଼ାନ୍ତ ଡିପିଆର ପ୍ରସ୍ତୁତ ହେବା ପରେ ବାକି କାମ ପର୍ଯ୍ୟାୟକ୍ରମେ କରାଯିବ। ସେହିଭଳି ଖୁବ୍ ଶୀଘ୍ର ଚନ୍ଦନପୁର ଛକରେ ଅଣ୍ଡରପାସ୍ ନିର୍ମାଣ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/44.jpg)