ଭୁବନେଶ୍ବର: ନୂତନ କୋର୍ଟ ବିଲ୍ଡିଂ ନିର୍ମାଣ ପାଇଁ ଭୁବନେଶ୍ବର ତହସିଲ କାର୍ଯ୍ୟାଳୟ, ସବ୍‌ ‌ରେଜିଷ୍ଟ୍ରାର ଅଫିସ୍‌ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭଙ୍ଗାଗଲା। ଏବେ ନୂଆ କୋର୍ଟ ବିଲ୍ଡିଂ ନିର୍ମାଣ ସରିଛି। କିଛିଦିନ ମଧ୍ୟରେ ଏହି କୋଠାର ଉଦ୍‌ଘାଟନ ହେବ। ପ୍ରାୟ ୬,୦୦୦ରୁ ଅଧିକ ଆଇନଜୀବୀ, ନୋଟାରି, ଷ୍ଟାମ୍ପ ଭେଣ୍ଡର ପ୍ରମୁଖ ଗୋଟିଏ କୋଠା ଭିତ‌ରେ ସେବା ଯୋଗାଇବେ। ବହୁତଳ ପାର୍କିଂ ନିର୍ମାଣ ହୋଇଥିବାରୁ ରାସ୍ତା ଉପରୁ ବେଆଇନ ପାର୍କିଂ ମଧ୍ୟ ଉଠିବ। କହିବାକୁ ଗଲେ ବହୁଦିନ ଧରି ଲାଗି ରହିଥିବା ଏକ ବଡ଼ ସମସ୍ୟାର ସମାଧାନ ହେବ। ହେଲେ କୋର୍ଟକୋଠା ପାଇଁ ଭଙ୍ଗା ଯାଇଥିବା ରାଜସ୍ବ ବିଭାଗର ଏହି ୩ ପ୍ରମୁଖ କାର୍ଯ୍ୟାଳୟ ସମସ୍ୟାର ସମାଧାନ ହୋଇ ପାରିଲାନାହିଁ। ‘ରାଜସ୍ବ ଭବନ’ ନିର୍ମାଣ ହେଲେ ଏହି କାର୍ଯ୍ୟାଳୟସବୁ ଉଠି ଯାଇଥା’ନ୍ତା, ହେଲେ ଏଯାଏ ରାଜସ୍ବ ଭବନ ନିର୍ମାଣ ହୋଇନଥିବାରୁ ଦୟନୀୟ ସ୍ଥିତିରେ ଏସବୁ କାର୍ଯ୍ୟାଳୟ ଚାଲିଥିବା ‌ଦେଖିବାକୁ ମିଳୁଛି। 

Advertisment

ରାଜସ୍ବ ଭବନ ନିର୍ମାଣକୁ ଚାହିଁଛନ୍ତି ଅଧିକାରୀ
କାର୍ଯ୍ୟାଳୟରେ ଅସମ୍ଭାଳ ଭିଡ଼
ଅଧିକାରୀଙ୍କ ବସିବା ପାଇଁ ସ୍ଥାନ ନାହିଁ

୩ ବର୍ଷ ତଳେ ନୂଆ କୋର୍ଟ ପାଇଁ ପୁରୁଣା ଘରଗୁଡ଼ିକ ଭଙ୍ଗା ଯାଇଥିଲା। ଏହି ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଭୁବନେଶ୍ବର ତହସିଲ କାର୍ଯ୍ୟାଳୟକୁ କୋର୍ଟ ପଛରେ ଥିବା ଓଡ଼ିଶା ଆଡିସନାଲ ଟ୍ରିବୁନାଲ୍‌ କାର୍ଯ୍ୟାଳୟ କୋଠାକୁ ସ୍ଥାନାନ୍ତର କରାଯାଇଥିଲା। ଗ୍ରାଉଣ୍ଡରେ ରେକର୍ଡ ରୁମ୍‌, ପ୍ରଥମ ମହଲାରେ ତହସିଲଦାର ଏବଂ ଦ୍ବିତୀୟ ମହଲାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବେ ଚାଲୁଛି। ତହସିଲଦାରଙ୍କ କାର୍ଯ୍ୟାଳୟରେ ୧୨ ଜଣ ଅଧିକାରୀଙ୍କ ସହ ୧୦୦ରୁ ଅଧିକ କର୍ମଚାରୀ ଅଛନ୍ତି। ହେଲେ ପ୍ରକୋଷ୍ଠ ମାତ୍ର ୧୪ଟି। ପ୍ରକୋଷ୍ଠଗୁଡ଼ିକୁ ଭାଗ ଭାଗ କରି ଛୋଟ କେବିନ୍‌ ତିଆରି କରାଗଲେ ବି କର୍ମଚାରୀଙ୍କ ପାଇଁ ସ୍ଥାନର ଅଭାବ ରହୁଛି। ତହସିଲଦାରଙ୍କ ପ୍ରକୋଷ୍ଠକୁ ଛାଡ଼ିଦେଲେ ଅନ୍ୟ ଅଧିକାରୀଙ୍କ ପ୍ରକୋଷ୍ଠରେ କାମରେ ଆସିଥିବା ଲୋକଙ୍କ ବସିବାକୁ ବି ସ୍ଥାନ ନାହିଁ। ପ୍ରତିଦିନ ଏହି କାର୍ଯ୍ୟାଳୟକୁ ୫,୦୦୦ରୁ ଅଧିକ ଲୋକ ଆସୁଥିବା ବେଳେ ଅପେକ୍ଷା କରି ବସିବା ପାଇଁ ଛୋଟ ସ୍ଥାନଟିଏ ମଧ୍ୟ ନାହିଁ। କନଫରେନ୍ସ ହଲ୍‌ ନଥିବାରୁ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏକକାଳୀନ ସମସ୍ତ ଅଧିକାରୀ ଓ କର୍ମଚାରୀ ଯୋଗଦେଇ ପାରୁନାହାନ୍ତି। ସେହିପରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୭ ଜଣ ଅଧିକାରୀ ଓ ୫୦ରୁ ଅଧିକ କର୍ମଚାରୀ ରହିଛନ୍ତି। ଏଠାରେ ମଧ୍ୟ ସମାନ ସମସ୍ୟା ଲାଗି ରହିଛି।

ସବ୍‌ ରେଜିଷ୍ଟ୍ରାର୍‌ କାର୍ଯ୍ୟାଳୟ ପୁରୁଣା ବିଏମ୍‌ସି ଅଫିସ୍‌କୁ ଉଠି ଯାଇଛି। ହେଲେ ସେଠାରେ ମଧ୍ୟ କର୍ମଚାରୀଙ୍କ କାମ କରିବା ପାଇଁ ପର୍ଯ୍ୟାନ୍ତ ସ୍ଥାନ ନାହିଁ। ଏହାଛଡ଼ା ପାର୍କିଂ ପାଇଁ ସ୍ଥାନ ନଥିବାରୁ ଅଧିକାରୀ, କର୍ମଚାରୀ ଓ କାମରେ ଆସିଥିବା ଲୋକେ ରାସ୍ତା ଉପରେ ଗାଡ଼ି ରଖୁଛନ୍ତି। ଯାହା ଫଳରେ ଟ୍ରାଫିକ୍ ଜାମ୍‌ ପରିସ୍ଥିତି ପ୍ରତିଦିନ ସୃଷ୍ଟି ହେଉଛି।  ସଂସ୍କୃତି ବିଭାଗ ନିକଟରେ ‘ରାଜସ୍ବ ଭବନ’ ନିର୍ମାଣ ନେଇ ବହୁଦିନ ହେବ କସରତ ଚାଲିଥିଲା। ସେଠାରେ ଥିବା ୪ଟି ବସ୍ତି ଓ ୩୦ରୁ ଅଧିକ ସାଧାରଣ ପ୍ରଶାସନ ବିଭାଗର କ୍ବାର୍ଟର୍ସ ଉଠାଯାଇ ରାଜସ୍ବ ଭବନ ନିର୍ମାଣ ହୋଇଥାନ୍ତା। କିନ୍ତୁ ଚଉଡ଼ା ରାସ୍ତା ଓ ପାର୍କିଂ ସମସ୍ୟା ଦେଖାଇ ଏହି ସ୍ଥାନକୁ ବାତିଲ କରି ଦିଆଯାଇଛି। ଏବେ କଳ୍ପନା ଛକରେ ଥିବା ପୁରୁଣା ବିଏମ୍‌ସି ଅଫିସ୍‌ ସ୍ଥାନରେ ହିଁ ‘ରାଜସ୍ବ ଭବନ’ ନିର୍ମାଣ ପାଇଁ ସ୍ଥିର ହୋଇଛି। ହେ‌ଲେ ଏହା ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ନାମରେ ଥିବା ଏହି ଜମିକୁ ରାଜସ୍ବ ବିଭାଗ ନାମରେ କରିବାକୁ ପଡ଼ିବ। ସେହିପରି ପୁନର୍ବାର ବିଲ୍ଲିଂ ପ୍ଲାନ୍‌ ଠାରୁ ଟେଣ୍ଡର ପ୍ରକ୍ରିୟା ଯାଏ ଅନେକ କାର୍ଯ୍ୟ ରହିଛି। ଯାହା ସମୟ ସାପେକ୍ଷ। ‌କାମ ଆରମ୍ଭ ହେବା ପରେ ଏହି କୋଠା କେବେ ସରିବ କେବେ ଉପଜିଲ୍ଲାପାଳ, ତହସିଲ, ସବ୍‌ରେଜିଷ୍ଟ୍ରାର ସମେତ ଅନ୍ୟ ରାଜସ୍ବ କାର୍ଯ୍ୟାଳୟଗୁଡ଼ିକ ‘ରାଜସ୍ବ ଭବନ’ରେ ସୁରୁଖୁରୁରେ ଚାଲିବ, ତା’କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।