ଖଣ୍ଡଗିରି : ବସ୍ ଭଡ଼ାରେ ରିହାତି ଦାବି କରିବାରୁ ଜଣେ ୭୫ ବର୍ଷ ବୟସର ଦିବ୍ୟାଙ୍ଗ ବୃଦ୍ଧାଙ୍କୁ ମୋ ବସ୍ରୁ ଠେଲି ଦିଆଯାଇଛି। ସାମାନ୍ୟତମ ମାନବିକତା ଭୁଲି ଯାଇ ବଡ଼ ନିଷ୍ଠୁର ଭାବେ କଣ୍ଡକ୍ଟର୍ ଓ ଡ୍ରାଇଭର ମିଳିତ ଭାବେ ଏଭଳି କାଣ୍ଡ କରିଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ଖଣ୍ଡଗିରି ଥାନା ପୁଲିସ ଅଭିଯୋଗ ପାଇବା ପରେ ଛାନ୍ଭିନ୍ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ ବାଲିଅନ୍ତା ଥାନା ବୁଦ୍ଧିପଡ଼ା ଅଞ୍ଚଳର ସ୍ବର୍ଗତ ଗୁଣନିଧି ବେହେରାଙ୍କ ସ୍ତ୍ରୀ ପାର୍ବତୀ(୭୫) ତାଙ୍କ ଝିଅ ଘର ଖଣ୍ଡଗିରି ଥାନା ଅନ୍ତର୍ଗତ ରଣସିଂହପୁର ଯାଉଥିଲେ। ଆଜି ପୂର୍ବାହ୍ଣ ପ୍ରାୟ ୧୧ଟା ବେଳେ ସେ ସୁନ୍ଦରପଦା ହାଟ ଛକରୁ ମୋ ବସ୍ରେ ଉଠିଥିଲେ। ବସ୍ କଣ୍ଡକ୍ଟର୍ ତାଙ୍କୁ ଭଡ଼ା ପଇସା ମାଗିବା ବେଳେ ପାର୍ବତୀ ତାଙ୍କ ଦିବ୍ୟାଙ୍ଗ କାର୍ଡ ଦେଖାଇବା ସହ ଭଡ଼ା ରିହାତି କଥା କହିଥିଲେ। କିନ୍ତୁ କଣ୍ଡକ୍ଟର୍ ରିହାତି ଦେବାକୁ ରୋକ୍ଠୋକ ମନା କରି ଦେଇଥିଲେ। ମୋ ବସ୍ରେ ସେଭଳି ବ୍ୟବସ୍ଥା ନାହିଁ ବୋଲି କହି ପୂରା ଭଡ଼ା ଟଙ୍କା ମାଗିଥିଲେ। ପାର୍ବତୀ କାକୁତିମିନତି ହୋଇଥିଲେ ବି ସେ କର୍ଣ୍ଣପାତ କରିନଥିଲେ। ଏମିତି ଯୁକ୍ତିତର୍କ ଭିତରେ ବସ୍ ଭୁବନେଶ୍ବର ଏମ୍ସ ଛକରେ ପହଞ୍ଚି ଯାଇଥିଲା। ଆଗକୁ ଆଉ ଗୋଟିଏ ଷ୍ଟପେଜ୍ ପରେ ପାର୍ବତୀଙ୍କ ଝିଅ ଘର ଛକ ପଡ଼ିଥାଆନ୍ତା। କିନ୍ତୁ ହଇରାଣ କରିବା ପାଇଁ କଣ୍ଡକ୍ଟର ଜୋର୍ କରି ପାର୍ବତୀଙ୍କୁ ଏମ୍ସ ଛକରେ ଓହ୍ଲାଇ ଯିବାକୁ କହିବା ସହ ତାଙ୍କ ହାତ ଧରି ବାହାରକୁ ଟାଣି ନେଇଥିଲେ। ପାର୍ବତୀଙ୍କ ଅଭିଯୋଗ ଅନୁସାରେ ସେ ବସ୍ରୁ ଓହ୍ଲାଇଛନ୍ତି କି ନା ଡ୍ରାଇଭର ଗାଡ଼ି ଟଣାଇନେଲେ। ତାଙ୍କ ଗୋଡ଼ ଖରାପ ଥିବାରୁ ସେ ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲେ। ତଥାପି ନିର୍ଦୟ ଡ୍ରାଇଭର ଓ କଣ୍ଡକ୍ଟର ଗାଡ଼ି ନରଖି ସେଠାରୁ ପଳାଇଥିଲେ। ମାତ୍ର ସୌଭାଗ୍ୟକୁ ତାଙ୍କର ବିଶେଷ କିଛି କ୍ଷତି ଘଟିନଥିଲା। ପରେ କିଛି ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ ଝିଅଘରକୁ ପଠା ଯାଇଥିଲା। ସେଠାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା।
ବସ୍ ଭଡ଼ାରେ ରିହାତି ମାଗିବାରୁ ଦିବ୍ୟାଙ୍ଗ ବୃଦ୍ଧାଙ୍କୁ ମୋ ବସ୍ରୁ ଠେଲିଦେଲେ
/sambad/media/post_attachments/wp-content/uploads/2019/05/dibyangaf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)