ମହିଳାଙ୍କ ମୁଣ୍ଡବିହୀନ ଶବ ମାମଲା : କନ୍ଧମାଳରୁ ପୁଷ୍ପଲତାଙ୍କ ସ୍କୁଟି ଜବତ

ସ୍କୁଟି କିଣିଥିବା ଗ୍ରାହକ ଗିରଫ, ସୁନା ଗହଣା ଖୋଜୁଛି ପୁଲିସ
ଅଭିଯୁକ୍ତଙ୍କ ରିମାଣ୍ଡ ସରିଲା, ଆଜି ଜେଲ୍ ଫେରିବେ

ଭୁବନେଶ୍ବର : ମୁଣ୍ଡବିହୀନ ଶବ ମିଳିବା ଘଟଣାର ତଦନ୍ତ କରୁଥିବା କମିସନରେଟ୍ ପୁଲିସ ଆଜି ଅଭିଯୁକ୍ତ ସଞ୍ଜୟର ବୟାନକୁ ଆଧାର କରି ମୃତ ପୁଷ୍ପଲତାଙ୍କ ସ୍କୁଟିକୁ କନ୍ଧମାଳର କଳିଙ୍ଗ‌ା ପଞ୍ଚାୟତର ତା‌ରବାଡ଼ ଗାଁରୁ ଜବତ କରିଛି। ଏଥି ସହ ସ୍କୁଟି କିଣିଥିବା ଶୁଭ୍ରାଂଶୁ ନାୟକ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି। କଳିଙ୍ଗା ଅଞ୍ଚଳର ଜଣେ ସମ୍ପର୍କୀୟଙ୍କ ଜରିଆରେ ଏହା ବିକ୍ରି ହୋଇଥିଲା।

ପୁଷ୍ପଲତାଙ୍କୁ ହତ୍ୟା କରିବା ପରେ ବୋଲେରୋରେ ସ୍କୁଟିକୁ ଲଦି କନ୍ଧମାଳ ଚାଲି ଯାଇଥିଲେ। ସେଠାରେ ସ୍କୁଟି ବିକ୍ରି କରି ଦଶପଲ୍ଲା ଆସି ବେପାରରେ ଲାଗି ଯାଇଥିଲେ। ଅନ୍ୟପଟେ ପୁଷ୍ପଲତାଙ୍କର ଅନେକ ସୁନା ଗହଣା ସଞ୍ଜୟ ନେଇ ଯାଇଥିବା ଅଭିଯୋଗ ହୋଇଛି। ତେବେ ଏଯାବତ୍‌ ସୁନା ଗହଣା ପୁଲିସ ଠାବ କରିପାରି ନାହିଁ। କିନ୍ତୁ ଘଟଣା ପରେ ଅଭିଯୁକ୍ତ କୁଆଡ଼େ ଯାଇଥିଲା ତାର ମୋବାଇଲ ଲୋକେସନ ଟ୍ରାକ୍‌ କରାଯାଇଛି। ସେହି ସବୁ ଅଞ୍ଚଳ ସମେତ ତା ଘରେ ଓ ଅନ୍ୟ କେତେକ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ଉ ଯୋଜନା ଥିବା ପୁଲିସ କହିଛି।

ସେପଟେ ଗିରଫ ଦୁଇ ଅଭିଯୁକ୍ତ ସଞ୍ଜୟ ଏବଂ ଶ୍ରୀକାନ୍ତଙ୍କର ତିନିଦିନିଆ ରିମାଣ୍ଡ ସୋମବାର ଶେଷ ହେଉଛି। ତେଣୁ ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ। ଆଜି ଉଭୟଙ୍କୁ ଧରି ପୁଲିସ ବିଭିନ୍ନ ଦୋକାନରେ ବୁଲିଥିଲା। ସେମାନେ ଆଇଗିଣିଆ ଛକରେ ଥିବା ଏକ ଦୋକାନରୁ ପ୍ରଥମେ ଛୁରି ଓ ପରେ ଏକ ମେଡିସିନ୍‌ ଷ୍ଟୋର୍‌ରୁ ଗ୍ଲୋଭ୍‌ସ କିଣିଥିଲେ। ଆଜି ଉଭୟ ଦୋକାନକୁ ଅଭିଯୁକ୍ତମାନଙ୍କୁ ନେଇ ପୁଲିସ ଏହି ଦୋକାନରେ ପଚରାଉଚରା କରିବାକୁ ଯାଇଥିଲା। ହେଲେ ଛୁରି କିଣା ଯାଇଥିବା ଦୋକାନ ସେଠାରେ ନ ଥିଲା। ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ନ ମିଳିବାରୁ ଅଭିଯୁକ୍ତ ମିଛ କହୁଥିବା ସନ୍ଦେହ ହୋଇଥିଲା। ତେବେ ପଚରାଉଚରା ଭୟରେ ଦୋକାନୀ ଫେରାର ହୋଇଯାଇଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା। ସମ୍ପୃକ୍ତ ରାସ୍ତା ଚଉଡ଼ା ହେବାକୁ ଥିବାରୁ ବିଏମ୍‌ସି ପକ୍ଷରୁ ଦୋକାନ ଉଠାଇ ଦିଆଯାଇଥିବା ଜାଣିବା ପରେ ପୁଲିସ ସମ୍ପୃକ୍ତ ଦୋକାନୀକୁ ଡାକି ଛୁରି କିଣା ବାବଦରେ ନିଶ୍ଚିତ ହୋଇଥିଲା।

ଆଜି ଏସବୁ ପ୍ରମାଣ ଯୋଗାଡ଼ ପରେ ଅଭିଯୁକ୍ତମାନଙ୍କୁ ଥାନାକୁ ଅଣାଯାଇଛି। କାଗଜପତ୍ର ପ୍ରସ୍ତୁତି ପରେ ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବା ସହ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ଚାର୍ଜସିଟ୍‌ ଦାଖଲ କରାଯିବ ବୋଲି ପୁଲିସ କହିଛି। ଅନ୍ୟପଟେ ଦୁଇ ଅଭିଯୁକ୍ତଙ୍କର ଏହା ପ୍ରଥମ ଅପରାଧ ବୋଲି ପୁଲିସ ଜାଣିବାକୁ ପାଇଛି।

ସମ୍ବନ୍ଧିତ ଖବର