ପୁଷ୍‌ପୁନି ଭେଟ୍‌

ଭୁବନେଶ୍ବର : ମଞ୍ଚରୁ ଶୁଭୁଥିଲା କଂସଙ୍କର ଦମ୍‌ଦାର୍‌ ସଂଳାପ। ସମ୍ପୂର୍ଣ୍ଣ ପାରମ୍ପରିକ ରାଜାରାଜୁଡ଼ା ପୋଷାକରେ ସଜେଇ ହୋଇ ମଂଚକୁ ଓହ୍ଲାଇଥିଲେ ରାଜା କଂସ ଓ ମନ୍ତ୍ରିମଣ୍ଡଳ। ବିଶ୍ବପ୍ରସିଦ୍ଧ ଧନୁଯାତ୍ରାର ଏକ ଛୋଟ କିୟଦଂଶକୁ ନେଇ ମଞ୍ଚରେ ପରିବେଷିତ ମାମୁଁ କଂସ ଓ ଭଣଜା କାହ୍ନାଙ୍କର ଏହି ନାଟକ ଦର୍ଶକଙ୍କୁ ବେଶ୍‌ ଆମୋଦିତ କରିଥିଲା। ଅବସର ଥିଲା ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ବ ପୌଷ ପୂର୍ଣ୍ଣିମା ଉପଲ‌କ୍ଷେ ‘ପୁଷ୍‌ପୁନି ଭେଟ୍‌-୨୦୧୯’ର। ‘ପଶ୍ଚିମ କିରନ୍‌’ ଓ ‘ବଲାଙ୍ଗିରର ଶତାବ୍ଦୀ ଯୁବକ ସଂଘ’ର ମିଳିତ ଆନୁକୂଲ୍ୟରେ ଉତ୍କଳ ମଣ୍ଡପ ମୁକ୍ତ ମଞ୍ଚରେ ଆୟୋଜିତ ଏହି ପୁଷ୍‌ପୁନି ଭେଟ୍‌ର ପ୍ରଥମ ସଂସ୍କରଣ ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ହଳଧର ନାଗଙ୍କ କବିତା ଆବୃତ୍ତି ସହ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ଉମାକାନ୍ତ ବାରିକଙ୍କ ସୁରିଲା ସଙ୍ଗୀତ ଶୁଣିବାକୁ ମିଳିଥିଲା। ପରେ ହାସ୍ୟ କଳାକାର ଯୋଗେଶ୍‌ ଜୋଜୋଙ୍କ ହାସ୍ୟାଭିନୟ ଦର୍ଶକ ଉପଭୋଗ କରିଥିଲେ। କାର୍ଯ୍ୟକ୍ରମରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ, ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲ୍‌, କୀର୍ତ୍ତନ ଦାସ, ସବ୍ୟସାଚୀ ମହାପାତ୍ର, ଶତ୍ରୁଘ୍ନ ଲୁହା ଓ ଭବାନୀ ଭୋଇ ପ୍ରମୁଖଙ୍କୁ ‘କିରନ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସିଂହଙ୍କ ସମେତ ସୁପରଷ୍ଟାର ଅରିନ୍ଦମ ରାୟ ଓ ସମାଜସେବୀ ମୀରା ପରିଡ଼ା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପୁଷ୍‌ପୁନି ଭେଟ୍‌ର ପରିଚାଳନା କମିଟି କାର୍ଯ୍ୟକାରୀ ସଭାପତି ସଂଗ୍ରାମ କେଶରୀ ପଟ୍ଟନାୟକ, କାର୍ଯ୍ୟକାରୀ ଉପସଭାପତି ଡ. ସ୍ବସ୍ତିକ ଓ କାର୍ଯ୍ୟକାରୀ ସମ୍ପାଦକ ଓମ୍‌ ସ୍ବରୂପ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର