ଭୁବନେଶ୍ୱର : ବଙ୍କିମ୍ ସାର୍ ତାଙ୍କୁ ନୂଆବର୍ଷରେ ଉପହାର ସୂତ୍ରରେ ଦେଇଥିଲେ ଗୋଟେ ଡାଏରି। କହିଥିଲେ ଏହି ଡାଏରି ପ୍ରତିବଦଳରେ ତମେ ମତେ କିଛି ଦବ। କିଛିଦିନ ପରେ ପୁଣି ଦେଖାହେଲେ ବଙ୍କିମ୍ ସାର୍। କହିଲେ, ଡାଏରିରେ କ’ଣ ଲେଖିଲଣି ? ବଙ୍କିମ ସାର୍ଙ୍କ ଏଇ ପ୍ରଶ୍ନର ଠିକ୍ ପରଦିନ ୧୮ ନଭେମ୍ବର ୧୯୯୬ରେ ସେଇ ଡାଏରିରେ ଆରମ୍ଭ ହୋଇଥିଲା ତାଙ୍କ କଲମ ଚାଳନା। ବରେଣ୍ୟ ଗଦ୍ୟଶିଳ୍ପୀ ଡ.ବ୍ରଜମୋହନ ମିଶ୍ରଙ୍କ ଦ୍ୱାରା ଡାଏରିରେ ଉତୁରିଥିବା ସେଇ ଅନ୍ତଃଚେତନା ଓ ଦାର୍ଶନିକ ସୃଜନ ଆଜି ବହି ରୂପରେ ଆତ୍ମପ୍ରକାଶ କରିଛି। ରାଜ୍ୟ ଅଭିଲେଖାଗାରରେ ଅନୁଷ୍ଠିତ ଏକ ବିଶେଷ ଉତ୍ସବରେ ‘ସମ୍ବୋଧି’ ନାଁ’ରେ ଏହା ଲୋକାର୍ପିତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
‘କାହାଣୀ’ ପକ୍ଷରୁ ଆୟୋଜିତ ପୁସ୍ତକ ଚର୍ଚା ଓ ବନ୍ଧୁ ମିଳନର ମନୋଜ୍ଞ ଆସରରେ ଶିଳ୍ପୀ ବ୍ରହଜମୋନ ଏହି ନିଆରା ପୁସ୍ତକ ସମ୍ପର୍କରେ ମତ ରଖି କହିଲେ, ବହିରେ ଯାହା ଅଛି ତାହା ମୁଁ ଲେଖିନି। ବରଂ ମତେ ମୋତେ କିଏ ଜଣେ ଡାକି ଦେଇଛି ଆଉ ମୁଁ ଲେଖିଛି। ପ୍ରଫେସର ରାଜକିଶୋର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ବହିରେ ଥିବା ପ୍ରତିଟି ଲେଖାରେ ଉପନିଷଦର ସ୍ପର୍ଶ ରହିଛି। ଭାବଯୋଗର କଥାସାର ନିହିତ ଥିବା ଏହି ପୁସ୍ତକ ଆତ୍ମସ୍ଥ ଓ ଅନ୍ତଃପ୍ରବେଶ ପାଇଁ ପ୍ରେରିତ କରୁଥିବା ସେ ନିଜ ଅଭିଭାଷଣରେ କହିଛନ୍ତି। ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି ଆଲୋଚକ ଭାବେ ଯୋଗଦେଇ କହିଲେ, ପୁସ୍ତକରେ ଡ.ବ୍ରଜମୋହନ ମିଶ୍ରଙ୍କ ଶିକ୍ଷକ-ଚିନ୍ତକ-ଦାର୍ଶନିକ ସ୍ୱରୂପର ପରିପ୍ରକାଶ ହୋଇଛି।
ପୁସ୍ତକରେ ଥିବା ୨ଟି ଚିଠି ଅତଥ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ବହି ପଢ଼ି ତା’ର ମର୍ମକୁ ନିରବରେ ଉପଲବ୍ଧି କରାଯାଇ ପାରିବ ବୋଲି ସେ କହିଥିଲେ। ଲେଖକ ଅଭିରାମ ବିଶ୍ୱାଳ କହିଲେ, ପୁସ୍ତକ ‘ସମ୍ବୋଧି’ ଏକ ସୃଜନଶୀଳ ପ୍ରବନ୍ଧ। ଏଥିରେ ଗଦ୍ୟର ଗାମ୍ଭୀର୍ଯ୍ୟ ଓ ପଦ୍ୟର ମାଧୁର୍ଯ୍ୟ ରହିଛ। ‘କାହାଣୀ’ର ମୁଖ୍ୟ ସମ୍ପାଦକ ତଥା ନିର୍ବାଚନ କମିସନର ଡ.ରବିନାରାୟଣ ସେନାପତି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସ୍ୱାଗତ ସମ୍ଭାଷଣ ରଖିଥିଲେ ପତ୍ରିକାର ସମ୍ପାଦକ ତଥା ସଂସ୍କୃତି ବିଭାଗର ନିର୍ଦେଶକ ବିଜୟ ନାୟକ। ବହିର ମୁଖବନ୍ଧ ଲେଖିଥିବା ଡ.ପ୍ରମୋଦ ନାୟକ ପୁସ୍ତକ ସମ୍ପର୍କରେ ନିଜର ମତ ରଖିଥିବା ବେଳେ ଦାଶରଥୀ ଦାଶ ବହି ବିଷୟରେ ଲେଖିଥିବା ଲେଖାକୁ ପଢ଼ି ଶୁଣାଇଥିଲେ ରମେଶ ମହାନ୍ତି।