ଭୁବନେଶ୍ୱର: ଭୁବନେଶ୍ୱରବାସୀଙ୍କୁ ମୌଳିକ ସୁବିଧା ଯୋଗାଇଦେବା ପାଇଁ ବିଏମ୍‌ସି ଟିକସ ନେଉଛି। କିନ୍ତୁ ଏଠି ଲୁଟତ୍‌ରାଜ ଚାଲିଛି, ମୌଳିକ ସେବା ଚୁଲିକୁ ଯାଇଛି। ମଶା ରାଜଧାନୀବାସୀଙ୍କ ନିଦ ହଜାଇଥିବା ବେଳେ ମେୟର, କମିସନର୍‌ ନିଦରେ ଶୋଇଛନ୍ତି। ତିନି ବର୍ଷ ହେଲା ଅଫିସରରାଜ୍‌ ଚାଲିଥିଲା। ଲୋକ ଭାବିଥିଲେ, ଜନପ୍ରତିନିଧି ଆସିଲେ ମୌଳିକ ସେବା ମିଳିବ। ହେଲେ ମେୟର-କମିସନରଙ୍କ ମଧୁଚନ୍ଦ୍ରିକାରେ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ମଶାଙ୍କ ପାଇଁ ଜନସାଧାରଣ ଅସ୍ତବ୍ୟସ୍ତ ହେଉଥିବା ବେଳେ ମେୟର ଡ୍ରୋନ ଗପ ଶୁଣାଇ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି। ବିଏମ୍‌ସି ଓ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଭୁବନେଶ୍ୱରବାସୀଙ୍କ ଅବସ୍ଥା ଦୟନୀୟ ହୋଇଛି। ଯଥାଶୀଘ୍ର ବିଏମ୍‌ସି ରାଜଧାନୀର ମୌଳିକ ସୁବିଧା ଯୋଗାଇ ନଦେଲେ ଜନସାଧାରଣ ଉଚିତ ଜବାବ ଦେବେ ବୋଲି କହିଛନ୍ତି ବିଜେପି ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂହ।

Advertisment

ମେୟର, କମିସନର୍‌ଙ୍କୁ ଭର୍ତ୍ସନା କଲେ ବିଜେପି ନେତା
ଡ୍ରୋନ୍‌ ପ୍ରହସନ ବନ୍ଦ କରନ୍ତୁ ମେୟର: ବାବୁ ସିଂହ

ଆଜି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ସଭାପତି ଶ୍ରୀ ସିଂହଙ୍କ ନେତୃତ୍ୱରେ ବିଏମ୍‌ସି କାର୍ଯ୍ୟାଳୟ ଘେରଉ କରାଯାଇଥିଲା। ବହୁ ସଂଖ୍ୟାରେ ବିଜେପି କର୍ମୀ ଏକାଠି ହୋଇ ଫାଟକ ସାମ୍ନାରେ ଧୂଆଁ ଲଗାଇ, ମଶାରି ଟାଣି ବିଏମ୍‌ସି ମେୟର ଓ କମିସନରଙ୍କୁ ନିଦରୁ ଉଠାଇବା ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମହିଳା କର୍ମୀମାନେ ଫାଟକରେ ଚଢ଼ି ଅଫିସ ଭିତରକୁ ଯିବାକୁ ଉଦ୍ୟମ କରିଥିଲେ। ପୁଲିସ ସହ କର୍ମୀଙ୍କର ଧସ୍ତାଧସ୍ତି ହୋଇଥିଲା। ଦୀର୍ଘ ସମୟ ଯାଏଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ କହିଛନ୍ତି, ରାଜଧାନୀକୁ ସୁନ୍ଦର, ପରିଷ୍କାର ରଖିବା ଲାଗି ଜନତା ଭୋଟ୍‌ ଦେଇ ମେୟର୍‌ ଚୟନ କରିଥିଲେ। ଏଥିପାଇଁ ମେୟର୍‌ ଲକ୍ଷଲକ୍ଷ ଟଙ୍କା ଦରମା ମଧ୍ୟ ନେଉଛନ୍ତି। ହେଲେ ସେବା କାର୍ଯ୍ୟ ଛାଡ଼ି ଟେଣ୍ଡର୍‌, ଗାଡ଼ି ପାର୍କିଂରେ ଟଙ୍କା କିଭଳି ଅଧିକ ରୋଜଗାର ହେବ, ସେଥିରେ ମାତିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଥିବା ହକି ବିଶ୍ୱକପ୍ ପ୍ରସ୍ତୁତିରେ ବିଏମ୍‌ସି ଅଧିକାରୀମାନେ ବ୍ୟସ୍ତ ବୋଲି କହି ବୁଲୁଛନ୍ତି। କାନ୍ଥବାଡ଼ରେ ଚିତ୍ର ଆଙ୍କି ରାସ୍ତାକଡ଼ରେ ଗଛ ଲଗାଇ ଦେଇ ଭୁବନେଶ୍ୱର ସହରର ଉପର ଚେହେରାକୁ ଚିକ୍କଣ କରାଯାଉଛି। ଅଥଚ ନାଳ, ନର୍ଦ୍ଦମା ଅପରିଷ୍କାର ହୋଇ ମଶା ଉତ୍ପାତ କଲେଣି। ମୂଳ ସେବାରୁ ଦୂରେଇ ଯାଇଛନ୍ତି। ନା ମେୟର, କମିସନର ବା ଗୃହ ଓ ନଗର ଉନ୍ନୟନ ବିଭାଗ, କେହି ଏଥିପ୍ରତି ତତ୍ପରତା ପ୍ରକାଶ କରୁନାହାନ୍ତି। ପରିମଳ ଷ୍ଟାଣ୍ଡିଂ କମିଟି ଏ ପର୍ଯ୍ୟନ୍ତ କ’ଣ କଲାଣି?

publive-image

ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି କହିଛନ୍ତି, ମଶାଙ୍କ କବଳରେ ଭୁବନେଶ୍ୱର କବଳିତ। ମଶାଙ୍କ ସୃଷ୍ଟି, ଉତ୍ପତ୍ତିସ୍ଥଳ ଏବଂ ପ୍ରାଦୁର୍ଭାବ ସଂପର୍କରେ ଯଦି ବିଏମ୍‌ସି ଜାଣିପାରୁନି, ତାହାଲେ ବିଏମ୍‌ସି ଅଫିସ୍‌ ନ ରହିବା ଭଲ। ମେୟର୍‌, କମିସନର୍‌ ଖାଲି ଟ୍ବିଟର୍‌ରେ ଫଟୋ ଅପ୍‌ଲୋଡ୍‌ କରୁଛନ୍ତି। ଏ ସବୁ ପ୍ରହସନ ଛାଡ଼ି କାମ କରନ୍ତୁ। ରାଜ୍ୟ ସରକାର ୨୩ ବର୍ଷ ଶାସନରେ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ପାରିନାହାନ୍ତି। ସେ ବି ବିଏମ୍‌ସି ଉପରେ ଟିକେ ନଜର ପକାନ୍ତୁ ବୋଲି ସେ କହିଛନ୍ତି।