ଖଣ୍ଡଗିରି: ରାଜଧାନୀରେ ମୌସୁମୀ ବର୍ଷା ଜାରି ରହିଛି। ଏଯାବତ୍ ଆଖିଦୃଶିଆ ବଡ଼ବର୍ଷା ହୋଇ ନଥିଲେ ବି ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଭଳି ପରିସ୍ଥିତି ଦେଖାଦେଲାଣି। ପୁରୁଣା ଭୁବନେଶ୍ବର, ୟୁନିଟ୍-୮, ଲକ୍ଷ୍ମୀସାଗର, ଶୈଳଶ୍ରୀବିହାର ଆଦି ଅନେକ ଅଞ୍ଚଳରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ବର୍ଷାଜଳ ଲହଡ଼ି ମାରିବା ସହ ଲୋକଙ୍କ ଘରେ ପାଣି ପଶିଛି। ଆଜି ବର୍ଷାରେ ବି ବିଭିନ୍ନ ସ୍ଥାନରେ ଏମିତି ଦୃଶ୍ୟ ସାମ୍ନାକୁ ଆସିଛି। ଏପରି ଅବସ୍ଥାରେ ୱାର୍ଡ ନମ୍ବର ୫୦, ୫୧ ଓ ୬୩ ନମ୍ବରରେ ଥିବା ପୂର୍ତ୍ତ ବିଭାଗର ମୁଖ୍ୟ ଡ୍ରେନ୍ଗୁଡ଼ିକ ସଫା ନ ହେବା ଆଗାମୀ ଦିନରେ ଏକ ବଡ଼ ବିପଦକୁ ନିମନ୍ତ୍ରଣ କରୁଛି। ଡ୍ରେନ୍ ଭିତରେ ଅଳିଆ ଆବର୍ଜନା ଗଦା ହୋଇ ରହିବା ସହ ମାଟି, ବାଲିରେ ପୋତି ହୋଇଯାଇଛି। ଏହି ୩ଟି ୱାର୍ଡରେ ବିଏମ୍ସି ପରିଚାଳନାରେ ଥିବା ଡ୍ରେନ୍ଗୁଡ଼ିକର ଜଳ ପୂର୍ତ୍ତ ବିଭାଗର ମୁଖ୍ୟ ଡ୍ରେନ୍ ଦେଇ ପ୍ରବାହିତ ହୋଇଥାଏ। କିନ୍ତୁ ପୂର୍ତ୍ତ ବିଭାଗ ପକ୍ଷରୁ ଡ୍ରେନ୍ ସଫା ହୋଇ ନଥିବାରୁ ଜଳ ନିଷ୍କାସନରେ ସମସ୍ୟା ଦେଖାଦେଉଛି। ବର୍ତ୍ତମାନ ତ ଯେନତେନ ଚଳିଯାଉଛି, କିନ୍ତୁ ବଡ଼ ବର୍ଷା ହେଲେ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିବ। ଏଇ କାରଣରୁ ଗତବର୍ଷ ବର୍ଷାଦିନେ ଶତାଧିକ ଲୋକଙ୍କ ଘରେ ଡ୍ରେନ୍ର ମଇଳା ପାଣି ପଶିଥିଲା। ଏବର୍ଷ ମଧ୍ୟ ସେଭଳି ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ଦେଖାଦେଲାଣି।
ଆଉ ଏକ ଗୁରୁତର ସମସ୍ୟା ହେଲା, ପୂର୍ତ୍ତ ବିଭାଗ ଡିଭିଜନ୍-୩ ଅଧୀନରେ ଥିବା ଏହି ଡ୍ରେନ୍ଗୁଡ଼ିକର ଅଧିକାଂଶ ସ୍ଥାନ ମୁକୁଳା ପଡ଼ିଛି। ଅନେକ ସ୍ଥାନରେ ଡ୍ରେନ୍ ଉପରେ ଆବରଣ ନାହିଁ। ପ୍ରାୟ ସମୟରେ ଗାଈଗୋରୁ, ପଥଚାରୀ ସେଥିରେ ଖସି ପଡ଼ି ଆହତ ହେଉଛନ୍ତି। ପ୍ରତିଦିନ ବିଭିନ୍ନ ସ୍ଥାନରେ ଡ୍ରେନ୍ଗୁଡ଼ିକରେ ଦୁର୍ଘଟଣା ହେଉଥିବାରୁ ସ୍ଥାନୀୟ ବାସିନ୍ଦା କ୍ଷୋଭ ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ, ବଡ଼ ବର୍ଷାରେ ରାସ୍ତା ଜଳାର୍ଣ୍ଣବ ହୋଇଗଲେ, କେଉଁଠି ସ୍ଲାବ୍ ଅଛି, କେଉଁଠି ନାହିଁ; ଆଦୌ ଜଣାପଡ଼ୁନାହିଁ। ଫଳରେ ଉକ୍ତ ସ୍ଥାନଗୁଡ଼ିକ ମରଣଯନ୍ତା ପାଲଟି ଯାଉଛି।
ଏ ସମ୍ପର୍କରେ ସ୍ଥାନୀୟ କର୍ପୋରେଟର୍ ଓ ପୂର୍ତ୍ତ ବିଭାଗକୁ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଉ ନଥିବା ଅଭିଯୋଗ ହୋଇଛି। ୫୦ ନମ୍ବର ୱାର୍ଡର ମଲ୍ଲିକ କଂପ୍ଲେକ୍ସ, କ୍ରିଷ୍ଣା ଗ୍ରିନ୍ ଫେଜ୍-୨ ସମ୍ମୁଖ, ବରମୁଣ୍ଡା ଜଗନ୍ନାଥ ମନ୍ଦିର, ବରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୱାର୍ଡ ୬୩ ଅନ୍ତର୍ଗତ ଜଗମୋହନନଗର, ଜାଗମରା ମୁଖ୍ୟ ରାସ୍ତା, ବରବାରି, ଆଇଟିଇଆର୍ ରାସ୍ତା, ଖଣ୍ଡଗିରି ଛକରୁ ଆଇଟିଇଆର ରାସ୍ତା ଭଳି ବହୁ ଗୁରୁତ୍ବପୁର୍ଣ୍ଣ ସ୍ଥାନରେ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି। ତେଣୁ ତୁରନ୍ତ ଏହି ସବୁ ଡ୍ରେନ୍ଗୁଡ଼ିକୁ ସଫା କରାଯିବା ସହ ମୁକୁଳା ଡ୍ରେନ୍ ଉପରେ ସ୍ଲାବ୍ ପକାଇବା ପାଇଁ ଦାବି ହୋଇଛି।
ଏ ସଂପର୍କରେ ୱାର୍ଡ ନମ୍ବର ୬୩ର କର୍ପୋରେଟର୍ ସୁଜାତା ଛୋଟରାୟ ଏବଂ ୱାର୍ଡ ନମ୍ବର ୫୦ କର୍ପୋରେଟର୍ ରାମ ରଣସିଂହଙ୍କ କହିବା କଥା, ୱାର୍ଡର୍ ଡ୍ରେନ୍ ସ୍ଲାବ୍ ଭଲରେ ପଡ଼ିନାହିଁ। ଯେଉଁଠି ସ୍ଲାବ୍ ପଡ଼ିନି, ସେଠୁ ମଇଳା କାଢ଼ି ଦେଇ ପୂର୍ତ୍ତ ବିଭାଗ ରହିଯାଉଛି। ଫଳରେ ଡ୍ରେନ୍ ପୂରାପୂରି ସଫା ହୋଇପାରୁନାହିଁ। ଏ ସଂପର୍କରେ ପୂର୍ତ୍ତ ବିଭାଗକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳି ପାରିନାହିଁ।