ଭୁବନେଶ୍ବର: ରାଜଧାନୀରେ ନକଲି ଡାକ୍ତର ବା କ୍ବାକ୍ କରୁଛନ୍ତି ରୋଗୀ ଚିକିତ୍ସା। ତାହା ପୁଣି ଖୁଲମଖୁଲାରେ। ବର୍ଷ ବର୍ଷ ଧରି ରୋଗୀ ଦେଖୁଥିବାରୁ ବେଶ୍ ଭିଡ଼ ବି ହେଉଛି। ନିଜର ଡିଗ୍ରିକୁ ଇଂରାଜୀରେ ଏଭଳି ଢଙ୍ଗରେ ଲେଖିଛନ୍ତି ଯେ ସାଧାରଣ ଲୋକଟିଏ ବୁଝିବା ମୁସ୍କିଲ୍। ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇବା ଲାଗି ନିଜର ରେଜିଷ୍ଟ୍ରେସନ୍ ନମ୍ବର ମଧ୍ୟ ଦେଇଛନ୍ତି। ଭୁବନେଶ୍ବରରେ ସରକାରୀ ଡାକ୍ତରଖାନାଠାରୁ ଆରମ୍ଭ କରି ବହୁ ସଂଖ୍ୟାରେ ଘରୋଇ ଡାକ୍ତରଖାନା ରହିଛି। ଏହା ସତ୍ତ୍ବେ ସମସ୍ତଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ନକଲି ଡାକ୍ତର ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି। ବିଶେଷ କରି ଔଷଧ ଦୋକାନରେ ରୋଗୀ ଦେଖୁଥିବା ଏଭଳି କ୍ବାକ୍ଙ୍କ ତାଲିକା ମଧ୍ୟ ବେଶ୍ ଲମ୍ବା। ନକଲି ଡାକ୍ତରଙ୍କ ଚିହ୍ନଟ ସହ ଧରପଗଡ଼ ନେଇ ହାଇକୋର୍ଟଙ୍କଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ବ୍ୟାପକ ମାନସ ମନ୍ଥନ ହୋଇଥିଲା। ଜିଲ୍ଲା ସ୍ତରରେ କ୍ବାକ୍ମାନଙ୍କୁ ଚିହ୍ନଟ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏକ କ୍ବାକ୍ ନିରୋଧୀ ସେଲ୍ ମଧ୍ୟ ଗଠନ କରିଛନ୍ତି। ହେଲେ ସରକାରଙ୍କ ନାକ ତଳେ ଏଭଳି କାମ ଚାଲିଥିବା ବେଳେ ନା ଲୋକମାନେ ସ୍ବର ଉଠାଉଛନ୍ତି ନା ସରକାର ଧରପଗଡ଼ କରୁଛନ୍ତି।
ଉପକଣ୍ଠ ତମାଣ୍ଡୋ ଅଞ୍ଚଳରେ ଏଭଳି ଜଣେ କ୍ବାକ୍ ବହୁବର୍ଷ ଧରି ରୋଗୀ ଚିକିତ୍ସା କରୁଛନ୍ତି। ପ୍ରେସ୍କ୍ରିପସନ୍ରେ ତାଙ୍କର ରେଜିଷ୍ଟ୍ରେସନ୍ ନମ୍ବର ଦେଇଛନ୍ତି ୩୫୮୦। ଡିଗ୍ରିରେ ଲେଖିଛନ୍ତି ଫିଜିସିଆନ ଅଫ ଇଣ୍ଡିଆନ୍ ମେଡିସିନ୍ସ ଏଣ୍ଡ ଜେନେରାଲ ପ୍ରାକ୍ଟିସନର। ଏଲୋପ୍ୟାଥିକ ଚିକିତ୍ସା କ୍ଷେତ୍ରରେ ଏଭଳି କୌଣସି ଡିଗ୍ରି ମଧ୍ୟ ନାହିଁ। ‘ସମ୍ବାଦ’ ପକ୍ଷରୁ ଡାକ୍ତରଙ୍କ ରେଜିଷ୍ଟ୍ରସନ୍ ନମ୍ବରକୁ ଓଡ଼ିଶା କାଉନ୍ସିଲ ଅଫ ମେଡିକାଲ ରେଜିଷ୍ଟ୍ରେସନ୍(ଓସିଏମ୍ଆର) ୱେବସାଇଟ୍ରେ ଯାଞ୍ଚ କରାଯାଇଥିଲା। ମାତ୍ର ୱେବ୍ସାଇଟ୍ରେ ସେଭଳି କୌଣସି ଡାକ୍ତର ନ ଥିବା ଜଣାପଡ଼ିଛି। ସଂପୃକ୍ତ କ୍ବାକ୍ଙ୍କ ନିକଟରେ ଚିକିତ୍ସିତ ହୋଇଥିବା ଜଣେ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଯିବା ପରେ ତାଙ୍କ ସଂପର୍କରେ ତଥ୍ୟ ପଦାକୁ ଆସିଛି।
ଔଷଧ ଦୋକାନ ନକଲି ଡାକ୍ତରଙ୍କ ପେଣ୍ଠସ୍ଥଳୀ
ସ୍ଥାଣୁ ପାଲଟିଛି ଜିଲ୍ଲା କ୍ବାକ୍ ନିରୋଧୀ ସେଲ୍
ନକଲି ଡାକ୍ତରଙ୍କ ଚିହ୍ନଟ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସରକାରୀ ଓ ଘରୋଇ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରଙ୍କ ପଞ୍ଜୀକରଣ ଯାଞ୍ଚ କରାଯାଇଥିଲା। ପଞ୍ଜୀକରଣ ଯାଞ୍ଚ ସମୟରେ ସରକାର ଏହି ଦୁଇ କ୍ଷେତ୍ରରେ କୌଣସି ନକଲି ଡାକ୍ତରଙ୍କୁ ପାଇ ନ ଥିଲେ। ତେବେ କୌଣସି ଡାକ୍ତରଙ୍କ ସଂପର୍କରେ ସନ୍ଦେହ ହେଲେ ତାଙ୍କ ସଂପର୍କରେ ଯାଞ୍ଚ କରିବା ଲାଗି ଓସିଏମ୍ଆର ୱେବସାଇଟ୍ରେ ସ୍ବତନ୍ତ୍ରଭାବେ ତାଲିକାଭୁକ୍ତ ଏଲୋପ୍ୟାଥି ଡାକ୍ତରଙ୍କ ତଥ୍ୟ ପ୍ରଦାନ ବ୍ୟବସ୍ଥା କରାଯାଇଛି। ଏଥିରେ ସଂପୃକ୍ତ ଡାକ୍ତରଙ୍କ ରେଜିଷ୍ଟ୍ରେସନ୍ ନମ୍ବର ଓ ନାମ ଉଲ୍ଲେଖ କଲେ, ଏଥିରେ ଡାକ୍ତରଙ୍କ ନାମ, ବାପାଙ୍କ ନାମ ଓ ଯୋଗ୍ୟତା ଜଣାପଡ଼ିବ।
ସେହିପରି ଗତବର୍ଷ ଏପ୍ରିଲ ୨୪ ତାରିଖରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା କ୍ବାକ୍ ନିରୋଧୀ ସେଲ୍ ସଂପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ଜିଲ୍ଲାପାଳ, ଏସ୍ପିଙ୍କ ପ୍ରତିନିଧି, ସିଡିଏମ୍ଓ, ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷଙ୍କ ପ୍ରତିନିଧି ଓ ଭାରତୀୟ ମେଡିକାଲ ସଂଘର ପ୍ରତିନିଧି ସଦସ୍ୟଭାବେ ରହିଛନ୍ତି। ନକଲି ଡାକ୍ତରଙ୍କ ସଂପର୍କରେ କୌଣସି ସୂତ୍ରରୁ ଖବର ପାଇଲେ ସେମାନେ ଏହାର ଚଢ଼ାଉ କରିବେ। ଏହାସହ ନକଲି ଡାକ୍ତରଙ୍କ ସଂପର୍କରେ କ’ଣ ପଦକ୍ଷେପ ନିଆଯାଇଛି ତାହା ସଂପର୍କିତ ୩ମାସରେ ଥରେ ସ୍ବାସ୍ଥ୍ୟ ବିଭାଗକୁ ରିପୋର୍ଟ ପ୍ରଦାନ କରିବେ। ମାତ୍ର ଜିଲ୍ଲା ସ୍ତରରେ ଜିଲ୍ଲା କ୍ବାକ୍ ନିରୋଧୀ ସେଲ୍ର ପ୍ରଦର୍ଶନ ଉତ୍ସାହଜନକ ନୁହେଁ। ଯାହାର ସୁଯୋଗ ନେଇ ଗ୍ରାମାଞ୍ଚଳରେ କ୍ବାକ୍ମାନେ ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି। କ୍ବାକ୍ଙ୍କ ଭୁଲ ଔଷଧ, ଇଞ୍ଜେକସନ୍ ପାଇଁ ରାଜ୍ୟରେ ଅନେକ ଲୋକଙ୍କ ଜୀବନ ଯାଉଛି। ମାତ୍ର ଏଥିରେ ସଂପୂର୍ଣ୍ଣ ପୂର୍ଣ୍ଣଚ୍ଛେଦ ପଡ଼ିପାରିନାହିଁ। ରାଜଧାନୀରେ କ୍ବାକ୍ ଚିକିତ୍ସା କରୁଥିବା ସଂପର୍କରେ ରାଜ୍ୟ ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶକ ଡା.ବିଜୟ ମହାପାତ୍ର କହିଛନ୍ତି, ମେଡିକାଲ କ୍ଷେତ୍ରରେ ଫିଜିସିଆନ ଅଫ ଇଣ୍ଡିଆନ୍ ମେଡିସିନ୍ସ ଏଣ୍ଡ ଜେନେରାଲ ପ୍ରାକ୍ଟିସନର ଭଳି କୌଣସି ଡିଗ୍ରି କିମ୍ବା ଚିକିତ୍ସା ପଦ୍ଧତି ନାହିଁ। ସଂପୃକ୍ତ କ୍ବାକ୍ଙ୍କ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ମିଳିଲେ ଜିଲ୍ଲା ପକ୍ଷରୁ ଯାଞ୍ଚ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/Dt78lhEXtJIAXWcof6S2.jpg)