କ୍ୟାପିଟାଲ ହସ୍ପିଟାଲକୁ କ୍ୱାଲିଟି ସାର୍ଟିଫିକେଟ୍‌

ଭୁବନେଶ୍ବର: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ‘କ୍ୟାପିଟାଲ ହସ୍ପିଟାଲ’କୁ ନ୍ୟାସନାଲ କ୍ୱାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡ(ଏନ୍‌କ୍ୱାସ୍‌) କାର୍ଯ୍ୟକ୍ରମରେ ‘କ୍ୱାଲିଟି ସାର୍ଟିଫିକେଟ୍‌’ ପ୍ରଦାନ କରାଯାଇଛି। ଏହି ସାର୍ଟିଫିକେଟ ମିଳିବା ଦ୍ବାରା ଦେଶର ବଛା ବଛା ସ୍ୱାସ୍ଥ୍ୟାନୁଷ୍ଠାନ ଭିତରେ କ୍ୟାପିଟାଲ ହସ୍ପିଟାଲ ସ୍ଥାନ ପାଇଛି। ଏହାସହ ୮୦୦ ଶଯ୍ୟା‌ ବିଶିଷ୍ଟ ସ୍ବାସ୍ଥ୍ୟକେନ୍ଦ୍ର ଭାବେ ଏହି ସାର୍ଟିଫିକେଟ ମିଳିବାରେ ଓଡ଼ିଶାର ଏହା ପ୍ରଥମ ହସ୍ପିଟାଲ। ଏନକ୍ବାସ୍ ଟିମ୍ ହସ୍ପିଟାଲକୁ ସମୁଦାୟ ୧୦୦ ରୁ ୮୮ ନମ୍ବର ଦେଇଛନ୍ତି। ଏନ୍‌କ୍ୱାସ୍ ଟିମ୍ ଗତ ଜୁଲାଇ ୧୦ରୁ ୧୨ ତାରିଖ ମଧ୍ୟରେ ହସ୍ପିଟାଲର ୧୮ଟି ବିଭାଗକୁ ଯାଇ ଯାଞ୍ଚ କରିଥିଲେ। ସେମାନେ ୧୮ ବିଭାଗରେ ଜୀବାଣୁ ମୁକ୍ତ ପରିବେଶ, ରୋଗୀ ସୁରକ୍ଷା ବ୍ୟବସ୍ଥା, ସୁରକ୍ଷିତ ଓ ଅତ୍ୟାଧୁନିକ ଅସ୍ତ୍ରୋପଚାର ଗୃହ, ଶିଶୁ ଓ ମହିଳଙ୍କ ସ୍ୱାସ୍ଥ୍ୟ ସୁବିଧା, ରୋଗୀ ସନ୍ତୁଷ୍ଟିକରଣ, ବିଭିନ୍ନ ବିଭାଗରେ ମାନବ ସମ୍ଭଳ ସ୍ଥିତି ଓ ସ୍ୱଚ୍ଛ ପରିବେଶ ଆଦି ବିଭିନ୍ନ ମାନ ତଦାରଖ କରିଥିଲେ।

ଏହାସହ ଲକ୍ଷ୍ୟ ଟିମ୍‌ ପକ୍ଷରୁ ମଧ୍ୟ କ୍ୟାପିଟାଲ ହସ୍ପିଟାଲର ପ୍ରସବ ଅସ୍ତ୍ରୋପଚାର ଗୃହକୁ ୧୦୦ରୁ ୯୭ ମାର୍କ ମିଳିଛି। କ୍ୟାପିଟାଲ ହସ୍ପିଟାଲର ମାଟର୍ନିଟି ଓଟିକୁ ଏହି ସମ୍ମାନ ମିଳିବା ଦ୍ବାରା ଦେଶର ଏକ ଉଚ୍ଚମାନର ସ୍ବାସ୍ଥ୍ୟ ଉପଯୋଗୀ ହସ୍ପିଟାଲ ଭାବେ ମାନ୍ୟତା ମିଳିଛି। ଏହି ସମ୍ମାନ ସମସ୍ତ କର୍ମଚାରୀଙ୍କ ଦିନ ରାତି ଅକ୍ଳାନ୍ତ ପରିଶ୍ରମର ଫଳ ବୋଲି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର