ଚନ୍ଦ୍ରଶେଖରପୁର : ସହରଠୁ ଗାଁ ପର୍ଯ୍ୟନ୍ତ, ସବୁଠି ଚର୍ଚ୍ଚା କରୋନା ବଢ଼ିବନି ତ? ରାଜଧାନୀରେ ବ୍ୟାପକ ରୂପ ନେବନି ତ? ରାଜ୍ୟ ବାହାରୁ ପ୍ରତିଦିନ ହଜାର ହଜାର ପ୍ରବାସୀ ଆସୁଥିବାରୁ ସଂକ୍ରମଣ ସ୍ଥିତି ଭୟାନକ ହେବନି ତ? ସପ୍ତାହେ ହେଲା ଲୋକଙ୍କ ଭିତରେ ଏଭଳି ଭାଲେଣି ପଡ଼ିଛି। ସେପଟେ ହଜାର ହଜାର ଓଡ଼ିଆଙ୍କୁ ଫେରାଇ ଆଣିବା ଦିଗରେ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। ଇତି ମଧ୍ୟରେ ବହୁ ପ୍ରବାସୀ ବି ଆସିସାରିଲେଣି। ଆହୁରି ଅନେକ ଆସିବାକୁ ଅପେକ୍ଷା କରିଛନ୍ତି। ଏ ମାସ ଶେଷ ସୁଦ୍ଧା ଓଡ଼ିଶାକୁ ଆଉ କେତେ ଫେରିବେ ତାହା ବି ଆକଳନ କରି ହେବ ନାହିଁ। ସେଥିମଧ୍ୟରୁ ଭୁବନେଶ୍ବରକୁ କେ‌ତେ ଆସିବେ ପ୍ରଶାସନ ପକ୍ଷରୁ ସେନେଇ ଆକଳନ କରାଯାଇପାରି ନାହିଁ। ତଥାପି ପ୍ରବାସୀଙ୍କୁ ରଖିବା ପାଇଁ ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀରେ ଥିବା ପଞ୍ଚାୟତଗୁଡ଼ିକ ପ୍ରସ୍ତୁତ ହୋଇ ରହିଛି। ସମସ୍ତ ୫ଟି ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ର ପ୍ରତିଷ୍ଠା କରାଯିବା ସହ ସେଠାରେ ରହିବା, ଖାଇବା‌, ସ୍ବାସ୍ଥ୍ୟ ଯାଞ୍ଚ ବ୍ୟବସ୍ଥା ହୋଇଛି।

Advertisment

ତେବେ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ୨୫ଟି ୱାର୍ଡରେ ସଙ୍ଗରୋଧ କେନ୍ଦ୍ର କରାଯାଇ ନାହିଁ। ପ୍ରତି ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ର ହୋଇଥିବା ବେଳେ ୱାର୍ଡଗୁଡ଼ିକରେ ସେଭଳି କୌଣସି ବ୍ୟବସ୍ଥା ହୋଇ ନ ଥିବାରୁ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କୁ କେଉଁଠି ରଖାଯିବ ସେନେଇ ସମସ୍ତେ ଦ୍ବନ୍ଦ୍ବରେ ରହିଛନ୍ତି। ରାଜ୍ୟ ବାହାରୁ ଆସୁଥିବା ‌ପ୍ରବାସୀ ଓଡ଼ିଆଙ୍କୁ ରଖିବାକୁ ଅନୁରୋଧ କଲେ ମଧ୍ୟ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) କିମ୍ବା ପୁଲିସ କେହି ବି ଅଭିଯୋଗ ଶୁଣୁ ନଥିବା ଲୋକେ ଅଭିଯୋଗ କରିଛନ୍ତି।

publive-image

ଜଣେ ପୂର୍ବତନ କର୍ପୋରେଟରଙ୍କ କହିବାନୁଯାୟୀ, ଏବେ ୱାର୍ଡରେ ଜନପ୍ରତିନିଧି ନାହାନ୍ତି। ତେଣୁ ୱାର୍ଡ ଅଫିସର ଏବେ ସର୍ବେସର୍ବା ସାଜିଥିଲେ ମଧ୍ୟ ସେମାନେ ଲୋକଙ୍କ ସମସ୍ୟା ଶୁଣୁ ନାହାନ୍ତି। ଏମିତିକି ଗତ ୩ ଦିନ ତଳେ ଗାଡ଼କଣ ଅଞ୍ଚଳର ୪ ଜଣ ଲୋକ ପଶ୍ଚିମବଙ୍ଗରୁ ଆସିଥିଲେ। ଏହା ଜାଣିବା ପରେ ‌ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ନେବା ଲାଗି ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଥିଲେ। ପୁଲିସ ପହଞ୍ଚି ସେମାନଙ୍କୁ ଘରେ କ୍ବାରେଣ୍ଟାଇନ୍‌ରେ ରହିବାକୁ କହିଥିଲା। ସଙ୍ଗରୋଧ କେନ୍ଦ୍ରକୁ ନିଆ ନ ଯିବାରୁ ଲୋକେ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ବିଏମ୍‌ସି ଉତ୍ତର ଜୋନ୍‌ ଅଧିକାରୀ ପ୍ରମୋଦ କୁମାର ପୃଷ୍ଟିଙ୍କ ସୂଚନା ଅନୁଯାୟୀ, ଉତ୍ତର ଭୁବନେଶ୍ବରକୁ ଫେରିବା ଲାଗି ଏପର୍ଯ୍ୟନ୍ତ ୧୫୦୦ ଜଣ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଶ୍ରମିକ ଶ୍ରେଣୀ କେତେ ଅଛନ୍ତି ତାହା ଜଣାପଡ଼ିନି। ତେବେ ଫେରୁଥିବା ଲୋକଙ୍କ ପାଇଁ ୭ଟି ଇନ୍‌ଷ୍ଟିଚ୍ୟୁସନାଲ ସଙ୍ଗରୋଧ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଉତ୍ତର ଭୁବନେଶ୍ବରର ଜିଞ୍ଜର ହୋଟେଲ ସମେତ ଟ୍ରାଇଡେଣ୍ଟ, ସିଲିକନ୍‌, କିମ୍‌ସ, ଓୟୋର ହଜାରେ ରୁମ୍‌କୁ ନେଇ ସଙ୍ଗରୋଧ କେନ୍ଦ୍ର ହୋଇଛି। ପର୍ଯ୍ୟାପ୍ତ ଶଯ୍ୟା ବ୍ୟବସ୍ଥା ହୋଇଛି। ଯେଉଁ ପ୍ରବାସୀମାନେ ପହଞ୍ଚୁଛନ୍ତି ସେମାନଙ୍କୁ ପ୍ରଥମେ ରସୁଲଗଡ଼ରେ ସ୍କ୍ରିନିଂ କରାଯାଉଛି। ଯିଏ ଘରେ ସଙ୍ଗରୋଧରେ ରହିବାକୁ ଆଗ୍ରହ ଦେଖାଉଛନ୍ତି ସେମାନଙ୍କୁ ପଠାଇ ଦିଆଯାଉଛି। ଆଉ ଯେଉଁମାନେ କ୍ବାରେଣ୍ଟାଇନ୍‌ କେନ୍ଦ୍ରରେ ରହିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ସେମାନଙ୍କୁ ସେଠାରେ ରଖାଯାଉଥିବା ସେ କହିଛନ୍ତି।

ବାରିମୁଣ୍ଡ ପଞ୍ଚାୟତ ସରପଞ୍ଚ ବୀରେନ୍ଦ୍ର କୁମାର ଜେନାଙ୍କ କହିବାନୁଯାୟୀ, ବାହାରେ ଥିବା ଲୋକଙ୍କ ମଧ୍ୟରୁ କିଛି ପଞ୍ଜୀକରଣ କରିଥିବା ବେଳେ ଆହୁରି ୨୦ ଜଣ ଫେରିବା ପାଇଁ ଯୋଗାଯୋଗରେ ରହିଛନ୍ତି। ଯେଉଁମାନେ ଫେରିବେ ସେମାନଙ୍କ ରହିବା ଲାଗି ସଙ୍ଗରୋଧ କେନ୍ଦ୍ରରେ ୫୦ ଶଯ୍ୟା ପ୍ରସ୍ତୁତ ରହିଛି। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ସେମାନେ ଭୁବନେଶ୍ୱରରେ ପହଞ୍ଚିବା ପରେ ସ୍ୱତନ୍ତ୍ର ଗାଡ଼ିରେ ସେମାନଙ୍କୁ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରକୁ ଅଣାଯାଇ ରଖାଯିବ। ଏଥିପାଇଁ ସ୍ୱତନ୍ତ୍ର ଶଯ୍ୟା ସହିତ ଖାଇବା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି। ୱାର୍ଡ ଓ ପଞ୍ଚାୟତ ସ୍ତରରେ କମିଟି ଗଠନ କରାଯାଇଛି। ସ୍ୱାସ୍ଥ୍ୟାବସ୍ଥା ପରଖିବା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜଣେ ଲେଖାଏଁ ଆଟେଣ୍ଡାଣ୍ଟ ରହିବାକୁ ସ୍ଥିର ହୋଇଛି। ଫେରିବାକୁ ଥିବା ମହିଳା ଓ ପରୁଷଙ୍କ ପାଇଁ ସ୍ୱତନ୍ତ୍ର ଗୃହ, ଶଯ୍ୟା, ଶୌଚ ପାଇଁ ବ୍ୟବସ୍ଥା ରହିଛି। ସବୁ କେନ୍ଦ୍ରରେ ସାନିଟାଇଜର ହ୍ୟାଣ୍ଡୱାସ୍‌ର ବ୍ୟବସ୍ଥା ବି ରହିଛି।