ବାଲିଅନ୍ତା : ବାଲିଅନ୍ତା ଅଞ୍ଚଳକୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ଘର ବାହୁଡ଼ାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ବେଶ ତତ୍ପର ହୋଇଉଠିଛି। ସେମାନଙ୍କ ରହିବା ଲାଗି ୧୬ଟି ଯାକ ପଞ୍ଚାୟତରେ ବିଭିନ୍ନ ସ୍ଥାନରେ ସଙ୍ଗରୋଧ କେନ୍ଦ୍ର କରାଯିବା ସହ ଶଯ୍ୟା ପକାଯାଇଛି। ବେଡ୍‌ ଉପରେ ଗଦି, ବେଡ୍‌ସିଟ ଓ ତକିଆ ପଡ଼ିଛି। ଆବଶ୍ୟକ ସଂଖ୍ୟକ ଫ୍ୟାନ ଓ ଲାଇଟ ଲାଗିଛି। ସାନିଟାଇଜେସନ ସାମଗ୍ରୀ ରଖାଯିବା ସହ ସବୁ ପ୍ରକାର ବ୍ୟବସ୍ଥା ହୋଇଛି। ସଙ୍ଗରୋଧ କେନ୍ଦ୍ର ଭିତର ସଜଡ଼ା ଯାଇଛି ସତ, ହେଲେ ବାହାରେ ସବୁକିଛି ଅସଜଡ଼ା ପଡ଼ିଥିବା ଦେଖିବାକୁ ମିଳିଛି। ସଙ୍ଗରୋଧ କେନ୍ଦ୍ର ଭିତର ଭଳି ବାହାର ଭିତ୍ତିଭୂମି ଉପଯୁକ୍ତ ଭାବେ ସଜଡ଼ାଯିବ ବୋଲି ଡାକ୍ତର କହିଛନ୍ତି।

Advertisment

ବାଲିଅନ୍ତା ବିଡିଓ ଆଦିକନ୍ଦ ବେହରାଙ୍କ ସୂଚନାନୁଯାୟୀ ଆଜି ସୁଦ୍ଧା ବ୍ଲକର ବିଭିନ୍ନ ପଞ୍ଚାୟତରେ ମୋଟ ୨୨୯ ଜଣ ପ୍ରବାସୀ ଓଡ଼ିଆ ଫେରିବା ପାଇଁ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୩୦ ଜଣ ମହିଳା ରହିଥିବା ଜଣାଯାଇଛି। ୩ ତାରିଖ ପର୍ଯ୍ୟନ୍ତ ନାମ ପଞ୍ଜୀକରଣ ଚାଲିବ।

ଅନ୍ୟପକ୍ଷରେ ଅନେକ ସଂଘରୋଧ କେନ୍ଦ୍ର ଏଯାଏ ସାନିଟାଇଜ ହୋଇନଥିବା ସଂପର୍କରେ ଦାୟିତ୍ବରେ ଥିବା ସ୍କୁଲ ଶିକ୍ଷକମାନେ ଫୋନ କରି ଜଣାଇଛନ୍ତି। ସବୁଠାରୁ ଗୁରତ୍ବପୂର୍ଣ୍ଣ କଥା ହେଉଛି, ଅଧିକାଂଶ ସଂଘରୋଧ କେନ୍ଦ୍ରର ପରିମଳ ଓ ପରିବେଶ ପୂରା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବାହାରେ ସେମାନଙ୍କ ଗାଧୋଇବା ଓ ଲୁଗାପଟା ସଫା କରିବା ଲାଗି ବ୍ୟବସ୍ଥା ହୋଇନାହିଁ। ସ୍କୁଲ ଘରେ ସଙ୍ଗରୋଧ କେନ୍ଦ୍ର ହୋଇଥିଲେ ହେଁ ଫନି ବାତ୍ୟାର ଭାଙ୍ଗି ଯାଇଥିବା ପାଚେରି ନିର୍ମାଣ କରାଯାଇ ପାରିନାହିଁ।

ସରକଣା ପଞ୍ଚାୟତ ସୂର୍ଯ୍ୟନାରାୟଣ ଦାସଙ୍କ ସୂଚନା ଅନୁଯାୟୀ ଭଗବତୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଙ୍ଗରୋଧ କେନ୍ଦ୍ର କରାଯାଇଛି। ଫନିରେ ଭାଙ୍ଗିଯାଇଥିବା ପାଚେରିର ନିର୍ମାଣ କାର୍ଯ୍ୟ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି। ସଂକ୍ରମଣ ଆଶଙ୍କା ଅଧିକ ଥିବାରୁ ସ୍କୁଲର ପାଚେରି ନିର୍ମାଣ ନିହାତି ଆବଶ୍ୟକ। ସେ ଆହୁରି କହିଛନ୍ତି ସଙ୍ଗରୋଧ କେନ୍ଦ୍ରର ଲୋକଙ୍କ ଗାଧୋଇବା ଲାଗି ବାହାରେ ‌ସେପରି କିଛି ବ୍ୟବସ୍ଥା ହୋଇପାରି ନାହିଁ।

ଆଉ କିଛି ପଞ୍ଚାୟତ ନଳକୂପ ଚାନ୍ଦିନୀକୁ ବ୍ୟବହାର କରି କାମ ଚଳାଇବା ଉଦ୍ଦେଶ୍ୟରେ ଅଛନ୍ତି। ମାତ୍ର ନଳକୂପ ଚାନ୍ଦିନୀ ଭାଙ୍ଗି ଯାଇଥିବା ଓ ସେଥିରେ ଘାସ, ଗଛଲତା ଉଠିଯାଇଛି। ତାହା ସଫା ହୋଇ ନାହିଁ। ପରିମଳ ବ୍ୟବସ୍ଥା ମଧ୍ୟ ସୁଧାରିବା ପାଇଁ ସରପଞ୍ଚମାନଙ୍କୁ ଅଧିକାରୀ ସତର୍କ କରାଇଛନ୍ତି। କିଛି ସ୍ଥାନରେ ପାଣିଟାଙ୍କି ଭିତର ସଫା କରାଯାଇ ନାହିଁ। ତାହା ଭିତରେ ଶିଉଳି ମାଡ଼ିଯାଇଛି। ଆଜି ପୂର୍ବାହ୍ନରେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ତନ୍ମୟ ତ୍ରିପାଠୀଙ୍କ ସମେତ ପିଏଚଇଓ ସନ୍ତୋଷ ତ୍ରିପାଠୀ ଓ ବିଡିଓ ଆଦିକନ୍ଦ ବେହରା ପ୍ରମୁଖ କେନ୍ଦ୍ର ପରିଦର୍ଶନରେ ଯାଇ କାର୍ଯ୍ୟ ତଦାରଖ କରିଥିଲେ। ବର୍ତ୍ତମାନ ସୁଦ୍ଧା କିଛି ସ୍କୁଲରେ ପାଇଖାନା ଓ ୟୁରିନାଲ ଅସଜଡ଼ା ପଡ଼ିଛି। ପ୍ରତାପଶାସନ ପଞ୍ଚ‌ାୟତ ସଙ୍ଗରୋଧ କେନ୍ଦ୍ରରେ ପାଣି ଯୋଗାଣ ପାଇଁ ଥିବା ୪ଟି ପାଣିଟାଙ୍କି ମଧ୍ୟରୁ ଗୋଟିଏ ଫାଟିଯାଇଥିବା ଓ ସେହି ଟାଙ୍କିରୁ ଅହରହ ପାଣି ଝରୁଛି। ହେଲେ ଗ୍ରାମ ଜଳଯୋଗାଣ ବିଭାଗ ତାର ମରାମତି କରୁନାହିଁ। ଏଦିଗରେ କର୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି। ସୂଚନାଯୋଗ୍ୟ ଉପରୋକ୍ତ କାର୍ଯ୍ୟ ସଂପାଦନ ପାଇଁ ପ୍ରତି ପଞ୍ଚାୟତକୁ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କା ମଂଜୁର ହୋଇଛି।