ବାଲିଅନ୍ତା : ମେ’ ୩ରେ ଦେଶରେ ଲକ୍ଡାଉନ୍ ହଟିବା ପରେ ଲକ୍ଷଲକ୍ଷ ପ୍ରବାସୀ ଶ୍ରମିକ ଓଡ଼ିଶା ବାହୁଡ଼ିବେ। ସେମାନଙ୍କ ମଧ୍ୟରୁ କେହି ଯେ କରୋନା ଆକ୍ରାନ୍ତ ହୋଇନଥିବେ, ତାହା ଏଡ଼ାଇ ଦିଆଯାଇନପାରେ। ତେଣୁ ସେମାନେ ଯେପରି ୧୪ଦିନ ସଙ୍ଗରୋଧରେ ରହିବେ, ତାହା ସୁନିଶ୍ଚିତ କରାଇବା ପାଇଁ ରାଜ୍ୟ ସରକାର ସରପଞ୍ଚମାନଙ୍କ କ୍ଷମତା ବଢ଼ାଇଛନ୍ତି। ସେମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି। ଖାଲି ସେତିକି ନୁହେଁ, ସଙ୍ଗରୋଧ କେନ୍ଦ୍ରରେ ସଂଦିଗ୍ଧ ଶ୍ରମିକଙ୍କ ରହିବା, ଖାଇବା ପିଇବାଠାରୁ ଆରମ୍ଭ କରି ସବୁପ୍ରକାର ଦାୟିତ୍ବ ପଞ୍ଚାୟତ ବହନ କରିବାର ବ୍ୟବସ୍ଥା ମଧ୍ୟ କରିଛନ୍ତି। କରୋନାର ସଫଳ ମୁକାବିଲା ପାଇଁ ଗୋଟିଏପଟେ ସରକାର ଏତେ ସବୁ ପଦକ୍ଷେପ ନେଉଥିବା ବେଳେ ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ପଞ୍ଚାୟତରେ ଏବେଠୁ ଅବ୍ୟବସ୍ଥା ଦେଖାଦେଲାଣି। ଲକ୍ଡାଉନ୍ ଉଠିବା ପୂର୍ବରୁ ପଞ୍ଚାୟତରେ ଖୋଲିଥିବା ସଙ୍ଗରୋଧ କେନ୍ଦ୍ରରୁ ଜନପ୍ରତିନିଧି ବେଡ୍ ଉଠାଇ ନେଲେଣି।
ସୂଚନା ଅନୁଯାୟୀ, ସତ୍ୟଭାମାପୁର ପଞ୍ଚାୟତ ଅଧୀନ ଗୋତଳଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସଙ୍ଗରୋଧ କେନ୍ଦ୍ରରେ ୫୦ଟି ବେଡ୍ ପକାଯାଇଥିଲା। ଏକ ଟେଣ୍ଟ ହାଉସ୍ରୁ ଏହି ସବୁ ଖଟିଆ ଆସିଥିଲା। ତେବେ ସ୍କୁଲର ଉପରମହଲା କୋଠାରେ ପଡ଼ିଥିବା ସବୁ ବେଡ୍ ଆଜି ପୂର୍ବାହ୍ନରେ ସଂପୃକ୍ତ ଟେଣ୍ଟ ମାଲିକ ଉଠାଇ ନେଇଛନ୍ତି। ଫଳରେ ଉପରମହଲା ସଙ୍ଗରୋଧ କେନ୍ଦ୍ର ଫାଙ୍କା ପଡ଼ିଛି। ସେହିପରି ତଳ ଓ ଉପର ମହଲାରେ ଭାଙ୍ଗି ଯାଇଥିବା ୮ଟି ଯାକ ଝରକା ଭାଙ୍ଗି ଯାଇଥିବାରୁ ତାହା ମୁକୁଳା ପଡ଼ିଛି। ଏ ସଂପର୍କରେ ସ୍ଥାନୀୟ ସରପଞ୍ଚ ଉମାକାନ୍ତ ଆଚାର୍ଯ୍ୟଙ୍କୁ ପଚାରିବାରୁ ସେ କହିଛନ୍ତି, ପ୍ରଶାସନ ପକ୍ଷରୁ କେନ୍ଦ୍ର ପରିଚାଳନା ନେଇ ଅର୍ଥ ମଂଜୁର ହୋଇନଥିବା ବେଳେ ଟେଣ୍ଟ ଭଡ଼ା ଟଙ୍କା ଦେବାରେ ସମସ୍ୟା ହେଉଛି। ସନ୍ଦିଗ୍ଧ ବି ନାହାନ୍ତି। ତେଣୁ ୩୦ଟି ବେଡ୍ ଟେଣ୍ଟ ମାଲିକଙ୍କୁ ଫେରାଇ ଦିଆଯାଇଛି। ଅବଶିଷ୍ଟ ବେଡ୍ ହଷ୍ଟେଲ୍ରୁ ବିଡିଓ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି।
ବାଲିଅନ୍ତା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଦିକନ୍ଦ ବେହେରା କହିଛନ୍ତି, ଜରୁରୀକାଳୀନ ସେବା ପ୍ରଦାନ କ୍ଷେତ୍ରରେ ଏଭଳି ପଦକ୍ଷେପ ନେବା ପାଇଁ କୁହାଯାଇଥିବା କହିଛନ୍ତି। ତେବେ ଏ ସବୁର ଯାଞ୍ଚ କରାଯାଇ ବ୍ୟୟ ଅଟକଳ ଅନୁଯାୟୀ ଅର୍ଥ ମଂଜୁର ହେବ। ଯେଉଁ ପଞ୍ଚାୟତରେ ଆସବାବପତ୍ର କିଣାରେ କାରସାଦି ହୋଇଥିବ, ତଦନ୍ତରେ ପ୍ରମାଣିତ ହେଲେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ଅପରପକ୍ଷେ ବଇଁଚୁଆ ସରପଞ୍ଚ ବିଜୟ କୁମାର ସାହୁଙ୍କ କହିବାନୁଯାୟୀ, ତାଙ୍କ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ୨୦ଟି ବେଡ୍ ପଡ଼ିଛି। ହେଲେ କେନ୍ଦ୍ରରେ କେହି ସନ୍ଦିଗ୍ଧ ଭର୍ତି ହୋଇନାହାନ୍ତି। ଏଯାଏ ବ୍ଲକ ପ୍ରଶାସନ ପକ୍ଷରୁ ଅର୍ଥ ମଂଜୁର ହୋଇ ନଥିବାରୁ ପରିଚାଳନାରେ ସମସ୍ୟା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/balianta-3.jpg)