ଏତେ ଲୋକ ସଙ୍ଗରୋଧ ହେବେ କେମିତି? ଦ୍ବନ୍ଦ୍ବରେ ବିଏମ୍‌ସି

ହୋଟେଲ ଖୋଲିନି, ରହିବେ କେଉଁଠି

ଭୁବନେଶ୍ବର : ସୋମବାରଠାରୁ ସାରା ଦେଶରେ ବିମାନ ଚାଲିବ। ଜୁନ୍‌ ୧ରୁ ଟ୍ରେନ୍‌ ବି ଚାଲିବ। ରାଜ୍ୟ ସରକାରଙ୍କ ନୂଆ ନିୟମ ଅନୁଯାୟୀ, ବାହାର ରାଜ୍ୟରୁ ଆସିଥିଲେ ତିନି ଦିନ ଭିତରେ ଯଦି ଫେରିବାର ଥିବ, ତେବେ ସଙ୍ଗରୋଧରେ ରହିବାର ଆବଶ୍ୟକତା ନାହିଁ। ଯଦି ଏହାଠାରୁ ଅଧିକ ଦିନ ରହିବାର ଥିବ, ତେବେ ୧୪ ଦିନ ସଙ୍ଗରୋଧରେ ରହିବ। ହେଲେ ବିମାନ ଓ ଟ୍ରେନ୍‌ରେ ଯେଉଁ ହଜାର ହଜାର ଲୋକ ଆସିବେ, ସେମାନଙ୍କୁ କିପରି ଓ କେଉଁଠି ସଙ୍ଗରୋଧ‌ରେ ରଖାଯିବ, ସେନେଇ ଦ୍ବନ୍ଦ୍ବରେ ପଡ଼ିଯାଇଛି ବିଏମ୍‌ସି।

ଏବେ ରାଜଧାନୀକୁ ଯେଉଁମାନେ ‌ବିମାନ କି ଟ୍ରେନ୍‌ରେ ଆସୁଛନ୍ତି, ସେମାନଙ୍କୁ ବିମାନବନ୍ଦରରେ ଓ ରେଳ ଷ୍ଟେସନ୍‌ରେ ବିଏମ୍‌ସି ଦ୍ବାରା ଗଠନ ହୋଇଥିବା ଟିମ୍‌ ଥର୍ମାଲ୍ ସ୍କ୍ରିନିଂ କରିବା ସହ ହାତରେ ସଙ୍ଗରୋଧ ଷ୍ଟାମ୍ପ୍‌ ମାରି ଛାଡ଼ୁଛି। ସମସ୍ତଙ୍କ ନାମ ପଞ୍ଜୀକରଣ କରି ଛାଡ଼ୁଛି। ଏପରିକି ଯେଉଁମାନେ ଭୁବନେଶ୍ବର ବାସିନ୍ଦା, ସେମାନଙ୍କୁ ଘରେ ୨୮ ଦିନ ସଙ୍ଗରୋଧ ହୋଇ ରହିବାକୁ ପରାମର୍ଶ ଦେଉଛି। ନଚେତ୍‌ ସଙ୍ଗରୋଧ ସୁବିଧା ଥିବା ‌େହାଟେଲରେ ବା ବିଏମ୍‌ସିର ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ପରାମର୍ଶ ଦେଉଛି।

ଆଜିଠୁ ବିମାନ, ଜୁନ୍‌ ୧ରୁ ଟ୍ରେନ୍‌ ଚାଲିବ
କ’ଣ ନିୟମ କରି‌ବେ, ଦ୍ବନ୍ଦ୍ବରେ ବିଏମ୍‌ସି
ବିମାନବନ୍ଦର ଓ ରେଳ ଷ୍ଟେସନରେ ସୁବିଧା ଦେବନି

କିନ୍ତୁ ସୋମବାରଠାରୁ ବିମାନରେ ରାଜଧାନୀକୁ ଶହଶହ ଲୋକ ଆସିବେ। ଏଥିରୁ କେତେ ଲୋକଙ୍କ ନାମ ପଞ୍ଜୀକରଣ କରିବେ, କିପରି ଟର୍ମିନାଲ ବାହାରେ ସାମାଜିକ ଦୂରତାରେ ଛିଡ଼ା କରି ପଞ୍ଜୀକରଣ କରିବେ, କିପରି ସଙ୍ଗରୋଧରେ ରଖିବେ, ସେ ଚିନ୍ତାରେ ପଡ଼ି ଯାଇଛନ୍ତି। ତେଣୁ ଏବେ ଯାତ୍ରୀଙ୍କ ଥର୍ମାଲ୍‌ ସ୍କ୍ରିନିଂ କାମ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ କରିବାକୁ କହିଛନ୍ତି। କିନ୍ତୁ ଯାତ୍ରୀଙ୍କ ନାମ ପଞ୍ଜୀକରଣ କରିବା, ହାତରେ ସଙ୍ଗରୋଧ ଷ୍ଟାମ୍ପ୍‌ ଲଗାଇବା, ସଙ୍ଗରୋଧ ରଖିବା ଚିନ୍ତା ଏବେ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଘାରିଛି। କେବଳ ଏତିକି ନୁହେଁ, ଜୁନ୍‌ ୧ରୁ ଟ୍ରେନ୍‌ ଚଳାଚଳ କଲେ, ଭୁବନେଶ୍ବର ହୋଇ ରାଜ୍ୟର ବିଭିନ୍ନ ସ୍ଥାନକୁ ହଜାର ‌ହଜାର ଲୋକ ଯିବେ। ତେଣୁ ଷ୍ଟେସନ୍‌‌ରେ ବି ୨୪ଘଣ୍ଟା ବିଏମ୍‌ସି ଟିମ୍‌କୁ ସଜାଗ ରହିବାକୁ ହେବ। ଓହ୍ଲାଉଥିବା ସମସ୍ତ ଯାତ୍ରୀଙ୍କ ନାମ ପଞ୍ଜୀକରଣ କରିବା ସହ ଥର୍ମାଲ୍ ସ୍କ୍ରିନିଂ କରି ହାତରେ ସଙ୍ଗରୋଧ ଷ୍ଟାମ୍ପ ଲଗା‌ଇ‌େବ। ଏହାପରେ ସେମାନଙ୍କ ଘରକୁ ଯାଇ ସଙ୍ଗରୋଧ ଷ୍ଟିକର ଲଗାଇବେ। ଯାହା ଏବେ ବିଏମ୍‌ସି ପାଇଁ ଚିନ୍ତାର କାରଣ ପାଲଟିଛି।

ଭୁବନେଶ୍ବର ଷ୍ଟେସନ୍‌ରେ ଏକସଙ୍ଗେ ଶହ ଶହ ଯାତ୍ରୀ ଏକାଧିକ ପ୍ଲାଟ୍‌ଫର୍ମରେ ଓହ୍ଲାଇବେ। ସେମାନଙ୍କୁ ଗୋଟି ଗୋଟି କରି ସ୍କ୍ରିନିଂ କରିବା, ହାତରେ ସଙ୍ଗରୋଧ ଷ୍ଟାମ୍ପ ମାରିବା ସମ୍ଭବପର ନୁହେଁ। ଯେଉଁମାନେ ଘରେ ସଙ୍ଗରୋଧରେ ରହିବେନି କି ହୋଟେଲରେ ରହିପାରିବେନି ବୋଲି କହିବେ, ସେମାନଙ୍କୁ ସଙ୍ଗରୋଧ ରଖିବାକୁ ବିଏମ୍‌ସି ସେତିକି ବି ଭିତ୍ତିଭୂମି ପ୍ରସ୍ତୁତ କରିନି। ସେହିପରି ଯେଉଁମାନେ ଦରକାରୀ କାର୍ଯ୍ୟରେ ଦିନେ ଦୁଇ ଦିନ ପାଇଁ ଭୁବନେଶ୍ବର ଆସିବେ ସେମା‌ନେ କେଉଁଠି ରହି‌େବ, ତାହା ଏବେ ବଡ଼ ସମସ୍ୟା ପାଲଟିଲାଣି।

ଅପରପକ୍ଷେ ମେ’ ୨୫ ତାରିଖରୁ ବିମାନବନ୍ଦରରେ ଓ ଜୁନ୍‌ ୧ରୁ ରେଳ ଷ୍ଟେସନରେ ବିଏମ୍‌ସି ଟିମ୍‌ ମୁତୟନ ନ କରିବାକୁ ବିଏମ୍‌ସି କର୍ତ୍ତୃପକ୍ଷ ଚିନ୍ତା କରୁଛନ୍ତି। ବିମାନବନ୍ଦର ଓ ରେଳ ମନ୍ତ୍ରଣାଳୟର ରିପୋର୍ଟକୁ ଭିତ୍ତି କରି ଯାହା ପଦକ୍ଷେପ ନେବେ। ଏହାଦ୍ବାରା ଯାତ୍ରୀଙ୍କ ଉପରେ ନଜର ରଖିବା ସମ୍ଭବ ନଥିବାରୁ ବିଏମ୍‌ସି କର୍ତ୍ତୃପକ୍ଷ କ’ଣ କରିବେ ଜାଣି ପାରୁନାହାନ୍ତି। ଏନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆଜି ରାଜ୍ୟ ସରକାର ଏସ୍‌ଓପି ଜାରି କରିଛନ୍ତି। ଏହାକୁ ତର୍ଜମା କରି ଭୁବନେଶ୍ବର ପାଇଁ ନୂଆ ଏସ୍‌ଓପି ପ୍ରସ୍ତୁତ ହେବ। ବିଏମ୍‌ସି କମିସନର୍‌ଙ୍କ ଅଧ୍ୟକ୍ଷତାରେ ସୋମବାର ଏକ ବୈଠକ ବସିବ। ଏଥିରେ ବିଭିନ୍ନ ଦିଗ ଓ ଆମେ ପ୍ରସ୍ତୁତ କରିଥିବା ଭିତ୍ତିଭୂମି ଉପରେ ଆଲୋଚନା କରି ଏସ୍‌ଓପି ଜାରି ହେବ।

ହୋଟେଲ ଖୋଲିନି, ରହିବେ କେଉଁଠି
ବିମାନ ଓ ରେଳ ସେବା ସ୍ବାଭାବିକ ହେବାକୁ ଯାଉଥିଲେ ହେଁ ଏପର୍ଯ୍ୟନ୍ତ ସାଧାରଣ ଲୋକ ରହିବା ପାଇଁ ‌ହୋଟେଲ ଖୋଲିନି। ତେଣୁ ଏବେ ବିଭିନ୍ନ କାର୍ଯ୍ୟରେ ଭୁବନେଶ୍ବର ଆସିବାକୁ ଥିବା ଲୋକ କେଉଁଠି ରହିବେ, ସେନେଇ ପ୍ରଶ୍ନ ଉଠିଲାଣି। ଏବେ ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନ ଓ ରେଳରେ ଯିବା ପାଇଁ ବାହାର ଜିଲ୍ଲାରୁ ଆସୁଥିବା ଲୋକ ହୋଟେଲ ନପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଆଗକୁ ଏହି ସମସ୍ୟା ବଢ଼ିବ। ତେଣୁ ହୋଟେଲ ନ ଖୋଲିଲେ ସ୍ଥିତି ଅଣାୟତ୍ତ ହେବା ପରିସ୍ଥିତି ଉପୁଜିବ। କେବଳ ଏତିକି ନୁହେଁ, ଏବେ ଯେତିକି ହୋଟେଲ ଖୋଲିଛି, ସେମାନେ ଲୋକଙ୍କୁ ଶୋଷଣ କରୁଛନ୍ତି। ଧାର୍ଯ୍ୟ ଭଡ଼ାଠାରୁ ଅଧିକ ଭଡ଼ା ଦାବି କରୁଛନ୍ତି।

ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି ଯେ କିପରି ହୋଟେଲ ଖୋଲିବ ଏବଂ ହୋଟେଲ ଖୋଲିଲେ କ’ଣ ପଦକ୍ଷେପ ନେବେ, ସେନେଇ ବି ଏସ୍‌ଓପି ଜାରି ହୋଇପାରେ।

ସମ୍ବନ୍ଧିତ ଖବର