ସଂଗିନ୍ ଅଭିଯୋଗ : ମୃତ୍ୟୁ ମୁହଁକୁ ବାଟ କଢ଼ାଉଛି ସଙ୍ଗରୋଧ !

ବାଲିଅନ୍ତା: ମହାମାରୀ କରୋନାଠାରୁ ଭୟଙ୍କର ହେଉଛି ସଙ୍ଗରୋଧ। ସଙ୍ଗରୋଧ ହିଁ ମୃତ୍ୟୁ ମୁହଁକୁ ବାଟ କଢ଼ାଉଛି। ଏଭଳି ସଂଗିନ୍ ଅଭିଯୋଗ ଆସିଛି ସ୍ଥାନୀୟ କରୋନା ମୃତକମାନଙ୍କ ସମ୍ପର୍କୀୟମାନଙ୍କଠାରୁ। କରୋନା ଆକ୍ରାନ୍ତ ଅବସ୍ଥାରେ ଅନ୍ୟ ରୋଗର ଚିକିତ୍ସା ‌ହୋଇନପାରିବାରୁ ସେମାନଙ୍କ ମୃତ୍ୟୁ ଘଟିଛି ବୋଲି ମୃତକଙ୍କ ପରିବାର ଲୋକେ ଅଭିଯୋଗ କରୁଛନ୍ତି।

ସୂଚନାଯୋଗ୍ୟ, ବାଲିଅନ୍ତା ବ୍ଲକ ଅଞ୍ଚଳରେ ମହାମାରୀ କରୋନା ୧୦ ଜଣଙ୍କ ମୁଣ୍ଡ ନେଇଛି। ସେମାନଙ୍କ ମଧ୍ୟରୁ ଅନେକ କିଡ୍‌ନି, ମଧୁମେହ ଓ ହୃଦ୍‌ରୋଗରେ ପୀଡ଼ିତ ଥିଲେ। ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ମଧ୍ୟ ଏହି ସୂଚନା ମିଳିଛି। ତେବେ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ପ୍ରଥମେ ଆକ୍ରାନ୍ତମାନଙ୍କୁ ସଙ୍ଗରୋଧରେ ରଖାଯାଇଥିଲା। କାହାକୁ ଗୃହ ସଙ୍ଗରୋଧରେ ତ କାହାକୁ କୋଭିଡ୍‌ କେୟାର୍‌ ହୋମ୍‌ରେ ରଖାଯାଇଥିଲା। ମାତ୍ର ସଙ୍ଗରୋଧରେ ସେମାନଙ୍କ ଅନ୍ୟ ରୋଗର ଚିକିତ୍ସା କରାଗଲା ନାହିଁ। ଫଳରେ ସେମାନେ ଅଧିକ ଗୁରୁତର ହୋଇପଡ଼ିବା ପରେ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେତେବେଳକୁ ସେମାନଙ୍କ ଅବସ୍ଥା ସଂକଟାପନ୍ନ ହୋଇ ସାରିଥିଲା ଓ ସେମାନେ ମୃତ୍ୟୁବରଣ କଲେ। ସଙ୍ଗରୋଧ କେନ୍ଦ୍ରରେ ଅନ୍ୟ ରୋଗର ଉପଚାର ଥିଲେ, ହୁଏତ ସେମାନେ ଆରୋଗ୍ୟ ହୋଇପାରିଥା’ନ୍ତେ ବୋଲି ପରିବାର ଲୋକେ କ୍ଷୋଭର ସହ କହିଛନ୍ତି। ତେଣୁ ଏଣିକି ସଙ୍ଗରୋଧ କେନ୍ଦ୍ରରେ କରୋନା ଚିକିତ୍ସା ସହ ସମାନ୍ତରାଳଭାବେ ଅନ୍ୟ ରୋଗର ଚିକିତ୍ସା କରାଯିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର