ରାଜଧାନୀରେ କ୍ବାର୍ଟର କେଳେଙ୍କାରୀ, ଅବସରପ୍ରାପ୍ତ କର୍ମଚାରୀଙ୍କ ଜବରଦଖଲରେ ୩୦୮ ସରକାରୀ କ୍ବାର୍ଟର

ଭଡ଼ା ବାବଦ ବାକି ପଡ଼ିଛି ୪‌ କୋଟିରୁ ଅଧିକ ଟଙ୍କା, ମେଡିକାଲ ଅଧିକାରୀଙ୍କ ବକେୟା ଭଡ଼ା ୧୧ ଲକ୍ଷରୁ ଅଧିକ

ଭୁବନେଶ୍ବର: ରାଜଧାନୀରେ ସରକାରୀ କ୍ବାର୍ଟର୍‌ କେଳେଙ୍କାରୀ। ଅବସରପ୍ରାପ୍ତ କର୍ମଚାରୀଙ୍କ କବ୍‌ଜାରେ ୩୦୮ କ୍ବାର୍ଟର। ଅବସର ପରେ ମଧ୍ୟ ବର୍ଷ ବର୍ଷ ଧରି ସରକାରୀ କ୍ବାର୍ଟର ଛାଡ଼ୁ ନାହାନ୍ତି। ଏଥିରେ ସରକାରୀ ପିଅନ, ଡାଏରିଷ୍ଟଙ୍କଠାରୁ ଆରମ୍ଭ କରି ନିର୍ଦେଶକ ପର୍ଯ୍ୟନ୍ତ ଅଧିକାରୀ ରହିଛନ୍ତି। ଏପରିକି ଘର ଭଡ଼ା ବାବଦ ଟଙ୍କା ମଧ୍ୟ ଦେଉ ନାହାନ୍ତି। ଏ ବାବଦ ଟଙ୍କା ୪ କୋଟି ଟପି ଗଲାଣି। ହେଲେ ଜବରଦଖଲ ହଟାଇବାରେ ସାଧାରଣ ପ୍ରଶାସନ ବିଭାଗ ବିଫଳ। ସରକାରୀ କର୍ମଚାରୀ ଅବସର ଗ୍ରହଣ କରିବାର ୩ ମାସ ପରେ କ୍ବାର୍ଟର୍‌ ଛାଡ଼ିବାର ନିୟମ ରହିଛି। ପରବର୍ତୀ ସମୟରେ ଯଦି ସରକାରୀ କର୍ମଚାରୀ ଯଥେଷ୍ଟ ପରିମାଣର କାରଣ ଦର୍ଶାଇବାରେ ସକ୍ଷମ ହୁଅନ୍ତି, ତାହାଲେ ଆହୁରି ୩ମାସ ପର୍ଯ୍ୟନ୍ତ ସରକାରୀ ଭଡ଼ା ଅନୁଯାୟୀ କ୍ବାର୍ଟର ଦିଆଯାଇପାରିବ। ପରବର୍ତୀ ସମୟରେ ଅବସରପ୍ରାପ୍ତ କର୍ମଚାରୀ ସରକାରୀ କ୍ବାର୍ଟର ଛାଡ଼ିଦେବା କଥା। ହେଲେ କାହାର ୨୦୦୯ ମସିହାରୁ କ୍ବାର୍ଟର ବାତିଲ ହୋଇଛି ତ ଆଉ କାହାର ୨୦୧୧ ମସିହାରେ; ଏବେ ବି ଶତାଧିକ ଅବସର କର୍ମଚାରୀ ସରକାରୀ କ୍ବାର୍ଟର୍‌ର ମଜା ନେବାରେ ବ୍ୟସ୍ତ। ଏଥିରେ ଟାଇପ୍-୨ କ୍ବାର୍ଟରଠାରୁ ଆରମ୍ଭ କରି ଆଇଭିଆର, ଏ, ଆଇଆର, ଆଇଭି, ଡି, ଇ, ଏଫ୍‌ ଓ ଅନ୍ୟ କ୍ବାର୍ଟର ରହିଛି।

କୃଷି, ଜନସ୍ବାସ୍ଥ୍ୟ, ଆଇନ, ମୃତ୍ତିକା ସଂରକ୍ଷଣ, ଶିକ୍ଷା, ସ୍ବାସ୍ଥ୍ୟ, ସଂସ୍କୃତି, ଜଳସଂପଦ, ଲୋକସେବା ଶାଖା ପ୍ରେସ୍, ଜିଇଡି, ପୂର୍ତ, ଦେବୋତ୍ତର, ସୂଚନା ଓ ଲୋକସଂପର୍କ ବିଭାଗ, ପର୍ଯ୍ୟଟନ, ଗୃହ ଓ ଅନ୍ୟ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଚାକିରି ସମୟରେ ମିଳିଥିବା ସରକାରୀ କ୍ବାର୍ଟର ଏଯାଏ ଛାଡ଼ି ନାହାନ୍ତି। କାହା ଉପରେ ୮ହଜାର ତ ଆଉ କାହା ଉପରେ ୧୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବକେୟା କ୍ବାର୍ଟର୍‌ ଭଡ଼ା ରହିଛି।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ଜଣେ ଅବସରପ୍ରାପ୍ତ ସରକାରୀ ଆୟୁର୍ବେଦିକ ଅଧିକାରୀଙ୍କ ଉପରେ ସର୍ବାଧିକ ୧୧ଲକ୍ଷରୁ ଅଧିକ ଟଙ୍କା ବକେୟା ରହିଛି। ତାଙ୍କର ୨୦୦୯ ମସିହାରୁ କ୍ବାର୍ଟର ବାତିଲ ହୋଇ ସାରିଛି। ସେହିପରି ଭୂତଳ ଜଳ ସର୍ବେକ୍ଷଣ ନିର୍ଦ୍ଦେଶାଳୟର ଅବସରପ୍ରାପ୍ତ କର୍ମଚାରୀଙ୍କ ଘର ଭଡ଼ା ବାବଦ ଟଙ୍କା ୯ଲକ୍ଷ ଟପି ଗଲାଣି। ୨୦୧୧ ମସିହାରେ ତାଙ୍କର କ୍ବାର୍ଟର ବାତିଲ ହୋଇ ସାରିଛି। ଓଏଚ୍‌ପିସିର ଅବସରପ୍ରାପ୍ତ କର୍ମଚାରୀଙ୍କ ୨୦୧୩ ମସିହାରେ କ୍ବାର୍ଟର ବାତିଲ ହୋଇଥିବା ବେଳେ ମାଧ୍ୟମିକ ଶିକ୍ଷା ବିଭାଗର କର୍ମଚାରୀଙ୍କ ୨୦୧୧ ମସିହାରେ ବାତିଲ ହୋଇଥିବା କ୍ବାର୍ଟରର ବକେୟା ଭଡ଼ା ୬ଲକ୍ଷ ଟପି ଯାଇଛି। ସେହିପରି ସହକାରୀ ଶିକ୍ଷକଙ୍କ ଉପରେ ୫ ଲକ୍ଷ ବକେୟା, ଉଚ୍ଚଶିକ୍ଷା ବିଭାଗର ଡାଏରିଷ୍ଟଙ୍କ ଉପରେ ୪ ଲକ୍ଷରୁ ଅଧିକ ଟଙ୍କା ବକେୟା ରହିଛି। ୨୪ରୁ ଅଧିକ କର୍ମଚାରୀଙ୍କ ଉପରେ ଜଣେ ପିଛା ୩ଲକ୍ଷରୁ ଅଧିକ ଟଙ୍କା ବକେୟା ପଡ଼ି ରହିଛି। ସବୁଠାରୁ ଅଧିକ କ୍ବାର୍ଟର କବ୍‌ଜାରେ ରଖିଛନ୍ତି ତଳିଆ କର୍ମଚାରୀ। ପିଅନ, ଡାଏରିଷ୍ଟ, ଟାଇପିଷ୍ଟ, ବାଇଣ୍ଡର, ଲାଇବ୍ରେରି ୱାଚମ୍ୟାନ୍, ଡ୍ରାଇଭର, ହେଲ୍‌ପର ଭଳି କର୍ମଚାରୀ। ଏମାନେ ମଧ୍ୟ ଲକ୍ଷାଧିକ ଟଙ୍କା କ୍ବାର୍ଟର ବାବଦ ଭଡ଼ା ଦେଇ ନାହାନ୍ତି। କେବଳ ତଳିଆ କର୍ମଚାରୀ ଯେ କ୍ବାର୍ଟର କବ୍‌ଜା କରିଛନ୍ତି ତା ନୁହେଁ, ବିଭିନ୍ନ ବିଭାଗର ଅନୁ ସଚିବ, ନିର୍ଦେଶକ ଭଳି ଉପରିସ୍ଥ ଅଧିକାରୀ ମଧ୍ୟ କ୍ବାର୍ଟର ଛାଡ଼ି ନାହାନ୍ତି। ଏହିପରି ଭାବେ ସମୁଦାୟ ଭାବେ ୪ କୋଟି ୨୮ଲକ୍ଷ ୭୧ହଜାର ୭୭୧ ଟଙ୍କା ବକେୟା ଅବସରପ୍ରାପ୍ତ କର୍ମଚାରୀଙ୍କ ଉପରେ ରହିଛି।

ସମ୍ବନ୍ଧିତ ଖବର