ୟୁପିଏସ୍ସି ପରୀକ୍ଷାର୍ଥୀଙ୍କୁ ଥିଲା ଏମିତି ପ୍ରଶ୍ନ… ମା’ ଲକ୍ଷ୍ମୀଙ୍କୁ ମନାଇବାକୁ ଜଗନ୍ନାଥ କ’ଣ କରନ୍ତି?
ପଛୁଆ ଜିଲ୍ଲା ବଲାଙ୍ଗୀରର ଉନ୍ନତି କେମିତି ହେବ? ପୁରୀକୁ ବିଶ୍ବ ପର୍ଯ୍ୟଟକଙ୍କ ଗସ୍ତବ୍ୟସ୍ଥଳ କରାଯାଇପାରିବ କି?
ଭୁବନେଶ୍ବର: ସିଭିଲ୍ ସର୍ଭିସ୍ ପରୀକ୍ଷା ସତରେ କ’ଣ କଷ୍ଟକର? ମୌଖିକ ପରୀକ୍ଷା ସମୟରେ କିଭଳି ପ୍ରଶ୍ନ ଆସିଥାଏ? ଓଡ଼ିଆ ମାଧ୍ୟମରେ ପଢ଼ିଥିବା ଛାତ୍ରଛାତ୍ରୀ କ’ଣ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇପାରିବେ? ସାଧାରଣରେ ଧାରଣା ରହିଛି ଯେ ଏହି ପରୀକ୍ଷାରେ ଜାତୀୟ ଓ ଅନ୍ତର୍ଜାତୀୟ ବିଷୟର କଠିନ ପ୍ରଶ୍ନ ପଡ଼ୁଥିବାରୁ ଉତ୍ତର ଦେବା କଷ୍ଟକର। ତେବେ କଠିନ ନୁହେଁ, ବରଂ ସହଜ ପ୍ରଶ୍ନ ଆସିଥାଏ। ଆଉ ତାହାକୁ କିଭଳି ସରଳ ଭାବେ ପରୀକ୍ଷାର୍ଥୀ ବୁଝାଇପାରିବ, ତାହା ହିଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ସଦ୍ୟ ପ୍ରକାଶିତ ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ୪ପରୀକ୍ଷାର୍ଥୀଙ୍କୁ କିଭଳି ପ୍ରଶ୍ନ ପଚରା ଯାଇଥିଲା, ଆସନ୍ତୁ ତାହା ଜାଣିବା।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶା ଟପ୍ର ତଥା ସର୍ବଭାରତୀୟସ୍ତରରେ ୧୦ମ ସ୍ଥାନରେ ଥିବା ସଞ୍ଜିତା ମହାପାତ୍ରଙ୍କୁ ପଚରାଯାଇଥିଲା, ଏତେ ନିୟମ କାନୁନ୍ ଥିବା ସତ୍ତ୍ବେ ଶିଶୁ ଶ୍ରମିକଙ୍କ ଉପରେ ରେକ ଲାଗିପାରୁନି କାହିଁକି? ଆଇନକୁ ଅଧିକ କଡ଼ାକଡ଼ି କରାଯିବାର ଆବଶ୍ୟକତା ରହିଛି କି? ଏହାର ଉତ୍ତର ଦେଇ ସଞ୍ଜିତା କହିଥିଲେ ଶିଶୁ ଶ୍ରମିକର ମୂଳ ସମସ୍ୟା ହେଉଛି ଦାରିଦ୍ର୍ୟ। ତେଣୁ ପ୍ରଥମେ ଦାରିଦ୍ର୍ୟ ହଟାଇବାକୁ ପଡ଼ିବ। ରୋଜଗାର ବଢ଼ିଲେ ଶିଶୁ ଶ୍ରମିକର ମୂଳୋତ୍ପାଟନ କରିହେବ। ଓଡ଼ିଶାରେ ମହିଳାଙ୍କ ସ୍ଥିତି କ’ଣ? ବୋଲି ପଚରାଯିବାରୁ ସେ କହିଲେ, ଏଠାରେ ମହିଳାଙ୍କ ପାଇଁ ବହୁତ ସୁବିଧା ରହିଛି। ସଂସଦରେ ୩୩% ଓ ପଞ୍ଚାୟତିରାଜ ବ୍ୟବସ୍ଥାରେ ୫୦% ସିଟ୍ ସଂରକ୍ଷଣ ହୋଇଛି। ମହିଳାଙ୍କୁ ସଶକ୍ତ କରିବାରେ ମିସନ ଶକ୍ତି ବଡ଼ ପ୍ଲାଟଫର୍ମ ପାଲଟିଛି। ପୁରୀକୁ ବିଶ୍ବ ପର୍ଯ୍ୟଟକଙ୍କ ଗସ୍ତବ୍ୟସ୍ଥଳ କରାଯାଇପାରିବ କି? ଉତ୍ତରରେ ସେ କହିଥିଲେ, ପୁରୀ ବହୁତ ସୁନ୍ଦର ହୋଇସାରିଲାଣି। ଜବରଦଖଲ ଉଚ୍ଛେଦ କରାଯାଇ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଆଗେଇ ଚାଲିଛି। ପୁରୀକୁ ବିମାନ ଉଡ଼ାଣ କରାଗଲେ ବିଶ୍ବ ପର୍ଯ୍ୟଟକଙ୍କ ଗନ୍ତବ୍ୟସ୍ଥଳ ହୋଇପାରିବ। କୋଭିଡ୍ ସମୟରେ ସ୍ବାସ୍ଥ୍ୟ ବିଭାଗରେ ନିଯୁକ୍ତି ପାଇଲେ କ’ଣ କରିବେ? ଦାୟିତ୍ବ ନେଲେ ପ୍ରଥମେ ଭିତ୍ତିଭୂମିକୁ ଗୁରୁତ୍ବ ଦେବି। ସଙ୍ଗରୋଧ କେନ୍ଦ୍ରକୁ ଅଧିକ କ୍ରିୟାଶୀଳ କରିବି, କୋଭିଡ୍ ଯୋଦ୍ଧାଙ୍କ ପାଇଁ ଅଧିକ ସୁବିଧା କରିବି।
୧୨୦ତମ ରୢାଙ୍କରେ ଥିବା ଅନୁପ ଦାସଙ୍କୁ ପଚରା ଯାଇଥିଲା, ଆସାମରେ ବାରମ୍ବାର ବନ୍ୟା ହେଉଛି। ଜଣେ ବାଇଓଲୋଜିଷ୍ଟ ହିସାବରେ ଏହାକୁ ରୋକିବା ପାଇଁ କ’ଣ କରିପାରିବେ? ପ୍ରଶ୍ନର ଉତ୍ତର ଅତି ସରଳ ଭାବେ ଦେବାକୁ ଯାଇ ଅନୁପ କହିଥିଲେ, ଆସାମ ସରକାର ହାଇଲାଣ୍ଡ ତିଆରି କରିଥିଲେ। ଏବେ ଆହୁରି ତିଆରି କରୁଛନ୍ତି। ତେବେ ତାହା ସ୍ଥାୟୀ ସମାଧାନ ନୁହେଁ, ବରଂ ବ୍ରହ୍ମପୁତ୍ର ନଦୀର ଏକ ଚାନେଲ ବ୍ୟବସ୍ଥା କରନ୍ତୁ। ଯାହାଦ୍ୱାରା ପାଣି ତଳକୁ ଯାଇପାରିବ। ଲୋକଙ୍କ ଲାଗି ବ୍ରହ୍ମପୁତ୍ରରେ ହେଉଥିବା ବନ୍ୟାର ମାତ୍ରା ବଢ଼ିଛି କି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଲେ, ଜଳବାୟୁ ପରିବର୍ତ୍ତନ, ନଦୀଶଯ୍ୟାରେ ସହରୀକରଣ କାରଣରୁ ଏଭଳି ସ୍ଥିତି ଉପୁଜୁଛି। ସଂସ୍କୃତ ଭାଷା ଏକ ମୃତ ଭାଷା କି ବୋଲି ପ୍ରଶ୍ନର ଉତ୍ତରରେ ଅନୁପ କହିଲେ, ଯଦିଓ ଏକ ପ୍ରତିଶତରୁ କମ୍ ଲୋକଙ୍କ ମାତୃଭାଷା ଏହା, କିନ୍ତୁ ଭାରତର ୯୦ ପ୍ରତିଶତ ଲୋକଙ୍କ ଭାଷାର ଜନ୍ମ ସଂସ୍କୁତରୁ ହିଁ ହୋଇଛି। ଓଡ଼ିଆ, ବଙ୍ଗଳା, ମଲାୟଲମ୍, ତେଲୁଗୁ ଭାଷାରେ ସଂସ୍କୃତର ପ୍ରଭାବ ଦେଖାଯାଉଛି। ଏହା ଆମ ସଂସ୍କୃତିର ଅଭିନ୍ନ ଅଙ୍ଗ।
୧୨୫ତମ ସ୍ଥାନରେ ଥିବା ନବଲ୍ ଜୈନଙ୍କୁ ପଚରାଯାଇଥିଲା ଯେ ବଲାଙ୍ଗୀର ଏବେ ବି ପଛୁଆ ଜିଲ୍ଲା ରହିଛି? ଏହାକୁ କିଭଳି ଉନ୍ନତ କରାଯାଇପାରିବ? ଉତ୍ତରରେ ସେ କହିଥିଲେ, ଏହି ଜିଲ୍ଲା ମୁଖ୍ୟତଃ କୃଷିଭିତ୍ତିକ ଅର୍ଥନୀତି ଉପରେ ନିର୍ଭରଶୀଳ। ଜଳସେଚନ ବ୍ୟବସ୍ଥା କମ୍ ଥିବାରୁ ବାରମ୍ବାର ମରୁଡ଼ି ହୋଇଥାଏ। ବଡ଼ ଶିଳ୍ପାଞ୍ଚଳ ନ ଥିବାରୁ ପଛୁଆ ରହିଛି। ଏଥିରେ ସୁଧାର ଅଣିବାକୁ ହେଲେ ଏକ ବାଣିଜ୍ୟସ୍ଥଳ, ଛୋଟ ଛୋଟ ଖାଦ୍ୟ ପ୍ରକିୟାକରଣ ବ୍ୟବସ୍ଥା କରାଗଲେ ବହୁତ ରାଜସ୍ବ ଆସିପାରିବ। ଜିଲ୍ଲାର ବିକାଶ ହେବ ବୋଲି କହିଥିଲେ। ଜଗନ୍ନାଥଙ୍କ ଇତିହାସ କ’ଣ? ମା’ ଲକ୍ଷ୍ମୀଙ୍କୁ ମନାଇବାକୁ ଜଗନ୍ନାଥ କ’ଣ କରନ୍ତି? ଏହି ଦୁଇଟି ପ୍ରଶ୍ନର ସରଳ ଉତ୍ତର ଦେଇ ନବଲ୍ କହିଥିଲେ, ଦ୍ୱାରିକାରେ ଶ୍ରୀକୃଷ୍ଣଙ୍କୁ ଶରବଧ କରାଯାଇଥିଲା। କିନ୍ତୁ ତାଙ୍କ ହୃଦୟ ଜୀବିତ ଥିଲା ଏବଂ ଅଧା ଶରୀର ଆସି ପୁରୀ ବେଳାଭୂମିରେ ପହଞ୍ଚିଥିଲା। ତାର ପରବର୍ତୀ ଘଟଣା…। ଦ୍ବିତୀୟ ପ୍ରଶ୍ନର ଉତ୍ତରରେ କହିଲେ, ମା’ ଲକ୍ଷ୍ମୀଙ୍କୁ ସାଙ୍ଗରେ ନ ନେଇ ଜଗନ୍ନାଥ ରଥଯାତ୍ରାରେ ମାଉସୀ ଘରକୁ ଯାଇଥାନ୍ତି। ଫେରିବା ସମୟରେ ମା’ ଲକ୍ଷ୍ମୀ ରାଗିଥିବାରୁ ତାଙ୍କୁ ରସଗୋଲା ଖୁଆଇ ମନାଇଥାନ୍ତି ପ୍ରଭୁ ଜଗନ୍ନାଥ…।
୧୮୨ ତମ ସ୍ଥାନରେ ଥିବା କୁମାର ବିଶ୍ବରଞ୍ଜନକୁ ପଚରା ଯାଇଥିଲା, ବ୍ରହ୍ମପୁତ୍ର ନଦୀର ଭଲ ଓ ଖରାପ ଦିଗଟି କ’ଣ? ଉତ୍ତରରେ ସେ କହିଥିଲେ, ଏହା ଏକ ପ୍ରାକୃତିକ ସମ୍ପଦ। କାରଣ ଏହାର ପାଣିକୁ ବ୍ୟବହାର କରାଯାଇ ଜଳବିଦ୍ୟୁତ୍ ଉତ୍ପାଦନ କରାଯାଏ। ମତ୍ସ୍ୟଜୀବୀଙ୍କୁ ଜୀବିକା ମିଳେ। ଖରାପ ଦିଗଟି ହେଲା, ଏହା ଯୋଗୁଁ ବନ୍ୟା ଆସିବାରୁ ପରିବହନ ଓ ଯୋଗାଯୋଗରେ ସମସ୍ୟା ସୃଷ୍ଟି ହୁଏ। କେବିକେରେ ଶିଳ୍ପାୟନକୁ ବିରୋଧ ବେଳେ କ’ଣ କରାଯାଇପାରିବ ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ସ୍ଥାୟୀ ବିକାଶ କରିବାକୁ ହେବ। ପରିବେଶ ସମସ୍ୟାର ସମାଧାନ ଓ ଆଦିବାସୀଙ୍କ ଅଧିକାର ବୁଝିବାକୁ ପଡ଼ିବ। ଜବରଦସ୍ତ ସେମାନଙ୍କୁ ବିତାଡ଼ିତ ନ କରି ଅଂଶୀଦାର ଭାବେ ଗ୍ରହଣ କରାଯାଇପାରିବ।