ପ୍ରଶ୍ନ ୧-ରାଜ୍ୟରେ ବାରମ୍ବାର ବିଜୁଳି ଦରବୃଦ୍ଧି ହେଉଛି। ଏହାର କାରଣ କ’ଣ ବୋଲି ଆପଣ ଭାବୁଛନ୍ତି?
ବଡ଼ ବଡ଼ କମ୍ପାନିଙ୍କୁ ଅନୁକମ୍ପା ହିଁ ଏହାର ମୁଖ୍ୟ କାରଣ। କୋଟି କୋଟି ଟଙ୍କା ସେମାନେ ବେକୟା ରଖୁଛନ୍ତି, ଦେଉନାହାନ୍ତି। ତେଣୁ କମ୍ପାନି ସେ କ୍ଷତି ସାଧାରଣ ଗ୍ରାହକଙ୍କଠାରୁ ଭରଣା କରୁଛି। ବାହାର ରାଜ୍ୟ ଅପେକ୍ଷା ଓଡ଼ିଶାରେ ଗ୍ରାହକଙ୍କ ଉପରେ ଅଧିକ ଜୁଲୁମ୍‌ ହେଉଛି।

Advertisment

ପ୍ରଶ୍ନ ୨-ସାଇବର୍‌ ଠକଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ଏ ସଂପର୍କରେ କ’ଣ କହିବେ?
ଏଥିପାଇଁ ଲୋକମାନେ ହିଁ ବେଶି ଦାୟୀ। ବିଭିନ୍ନ ଗଣମାଧ୍ୟମ‌ରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ବି ଲୋକ ସେଥିରୁ କିଛି ଶିଖୁନାହାନ୍ତି। ଲୋଭର ବଶବର୍ତ୍ତୀ ହୋଇ ସେମାନେ ନିଜର ସମସ୍ତ ବ୍ୟକ୍ତିଗତ ତଥ୍ୟ ଦେଉଛନ୍ତି।

ପ୍ରଶ୍ନ ୩-ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ନିର୍ବାଚନୀ ପ୍ରଚାର କରିବାକୁ ନେଇ ଆପଣଙ୍କ ମତ କ’ଣ?
ଅସୁବିଧା କେଉଁଠି ରହିଲା। ନିର୍ବାଚନ ସମୟରେ ଅଭିନେତା/ ଅଭିନେତ୍ରୀ ପ୍ରଚାର କରିବା କିଛି ନୂଆ କଥା ନୁହେଁ। ଏବେ ତ ପଞ୍ଚାୟତ ନିର୍ବାଚନ ଚାଲିଛି, ଆଗକୁ ପୌର ନିର୍ବାଚନ। କେତେ କେତେ ଅଭିନେତା, ଅଭିନେତ୍ରୀ ପ୍ରଚାର ମଇଦାନକୁ ଓହ୍ଲାଇବେ। ହଁ, କିନ୍ତୁ ଭୋଟର୍‌ ସେମାନଙ୍କ ମୁହଁ ଦେଖି କୌଣସି ପାର୍ଟି ପ୍ରତି ଭଳିଯିବା ଉଚିତ ନୁହେଁ।

ପ୍ରଶ୍ନ ୪-ଷ୍ଟୁଡେଣ୍ଟ୍ ଟ୍ରାଫିକ୍‌ ଭଲ୍ୟୁଣ୍ଟର୍‌ ଭୁବନେଶ୍ୱର ଟ୍ରାଫିକ୍‌କୁ ନିୟନ୍ତ୍ରଣ କରିପାରିବେ ?
କାହିଁକି ନୁହେଁ, ନିଶ୍ଚିତ ପାରିବେ। ଆଗରୁ ବି ଏ ଯୋଜନା ଭୁବନେଶ୍ବରରେ ସଫଳ ରୂପାୟନ ହୋଇଥିଲା‌। ଟ୍ରାଫିକ୍‌ ଭଲ୍ୟୁଣ୍ଟର୍‌ମାନେ ଭଲ କାମ କରୁଥିଲେ। ତେଣୁ ସେମାନେ ପୁଣି ଯୋଗଦେଲେ, ନିହାତି ଭାବେ ଟ୍ରାଫିକ୍‌ ପୁଲିସ ପାଇଁ କାମ ସହଜ ହେବ। କିନ୍ତୁ ମୋ ମତ‌ରେ, ସେମାନଙ୍କୁ ଉଚିତ ତାଲିମ୍‌ ଓ ପାରିଶ୍ରମିକ ଓ ପାରଶ୍ରମିକ ମିଳିବା ଆବଶ୍ୟକ।

ପ୍ରଶ୍ନ ୫-ଜଗନ୍ନାଥ ଦର୍ଶନରେ ଆଉ କୋଭିଡ୍‌ ସାର୍ଟିଫିକେଟ୍‌ ବାଧକ ସାଜିବନି। ଏହାକୁ କେମିତି ଦେଖୁଛନ୍ତି?
ନିଶ୍ଚିତ ଭାବେ ସବୁ ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସିର କଥା। କିନ୍ତୁ ଜଣେ ସଚେତନ ନାଗରିକ ଭାବେ ସବୁ ଲୋକ ୨ଡୋଜ୍‌ ଟିକା ନେଇଯିବା ଆବଶ୍ୟକ। ସେହିପରି ମନ୍ଦିରରେ ବି ଲୋକେ ନିଜ ସୁରକ୍ଷା ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ।
ସୋମନାଥ ବେହେରା