ଓଡ଼ିଶାରେ ଆରମ୍ଭ ହେବ ‘ନଫରତ୍ ଛାଡ଼ ସମ୍ବିଧାନ ବଞ୍ଚାଅ’ ଅଭିଯାନ

ଭୁବନେଶ୍ୱର : ରାଷ୍ଟ୍ରୀୟସ୍ତରରେ ବିଭିନ୍ନ ଗଣ ସଙ୍ଗଠନ ମିଳିତ ହୋଇ ‘ନଫରତ୍‌ ଛାଡ଼ ସମ୍ବିଧାନ ବଞ୍ଚାଅ ଅଭିଯାନ’ ଆରମ୍ଭ କରିଛନ୍ତି। ମୁମ୍ବାଇ ସ୍ଥିତ କ୍ରାନ୍ତି ମୈଦାନ ଓ ଦିଲ୍ଲୀର ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପରିସରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଜିଜି ପାରିଖ, ଜନ ଆନ୍ଦୋଳନ ନେତ୍ରୀ ମେଧା ପାଟକର, ସାମାଜିକ କର୍ମୀ ଅରୁଣା ରାୟ, କୃଷକ ନେତା ଯୋଗେନ୍ଦ୍ର ଯାଦବ, ଗାନ୍ଧୀଜୀଙ୍କ ଅଣନାତି ତୁଷାର ଗାନ୍ଧୀ ପ୍ରମୁଖଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ବ୍ୟାପକ କରିବା ପାଇଁ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମି ପରିସରରେ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସର‌ରେ ଶ୍ରୀ ସାମନ୍ତରା କହିଛନ୍ତି ଯେ, ଦେଶରେ ବଢୁଥିବା ବେରୋଜଗାରୀ, ଦରଦାମ ବୃଦ୍ଧି, ସାମ୍ପ୍ରଦାୟିକ ଅସ୍ଥିରତା ତୀବ୍ର ଭାବରେ ବୃଦ୍ଧି ପାଇବା ସତ୍ତ୍ୱେ କେନ୍ଦ୍ର ସରକାର କର୍ପୋରେଟମାନଙ୍କ ସପକ୍ଷରେ ଦେଶର ନୀତିକୁ ବଦଳାଇବାରେ ଲାଗିଛନ୍ତି। ପଣ୍ଡିତ ଜବାହରଲାଲ ନେହରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ରାଜେନ୍ଦ୍ର ପ୍ରସାଦ ତଥା ବାବାସାହେବ ଆମ୍ବେଦକରଙ୍କ ନେତୃତ୍ୱରେ ତିଆରି ହୋଇଥିବା ଭାରତର ସମ୍ବିଧାନକୁ ବଦଳାଇବା ପାଇଁ ଏବେ ଅପଚେଷ୍ଟା ଚାଲିଛି। ଦେଶ‌ରେ ସାଧାରଣ ଜନତାଙ୍କୁ ବେରୋଜଗାରୀ, ଦରଦାମ ବୃଦ୍ଧି, ସାମ୍ପ୍ରଦାୟିକ ଅସ୍ଥିରତା କବଳରୁ ବଞ୍ଚାଇବା ପାଇଁ ଓଡ଼ିଶାରେ ‘ନଫରତ ଛାଡ଼ ସମ୍ବିଧାନ ବଞ୍ଚାଅ ଅଭିଯାନ’କୁ ବ୍ୟାପକ କରିବା ପାଇଁ ନିଷ୍ପତ୍ତି ହୋଇଛି।

ସେ ଆହୁରି ମଧ୍ୟ କହିଲେ ସେପ୍ଟେମ୍ବର ୩୦ ସୁଦ୍ଧା ପ୍ରତି ଜିଲ୍ଲାରେ ଜିଲ୍ଲା କମିଟି ଗଠନ କରାଯାଇ ଗାନ୍ଧୀ ଜୟନ୍ତୀରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ। ୨୬ ନଭେମ୍ବର ସୁଦ୍ଧା ପ୍ରତି ଜିଲ୍ଲାରେ ୭୫ କିମି ପଦଯାତ୍ରା ଓ ସାଇକେଲ ଯାତ୍ରା ଆୟୋଜିତ ହେବ। ରାଜ୍ୟବ୍ୟାପୀ ବାହନ ଯାତ୍ରା ମାଧ୍ୟମରେ ଓଡ଼ିଶାର ପୂରପଲ୍ଲୀରେ ଅଭିଯାନର ବାର୍ତ୍ତା ପହଞ୍ଚାଯିବ। ଆଗାମୀ ଜାନୁଆରୀ ୩୦ରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାର ୭୫ ବର୍ଷ ପୂର୍ତ୍ତି ଅବସରରରେ ରାଜ୍ୟସ୍ତରରେ ସାମ୍ପ୍ରଦାୟିକ ସଦ୍‌ଭାବ ସମ୍ମିଳନୀ ଆୟୋଜନ କରାଯିବ।

ଏହି ବୈଠକରେ ଅଭିଯାନର ଆବାହକଭାବେ ଭାବରେ ଡ. ବିଶ୍ବଜିତ୍, କଲ୍ୟାଣ ଆନନ୍ଦ ଓ ମାନସ ପଟ୍ଟନାୟକଙ୍କୁ ମନୋନୀତ କରାଯାଇଥିବାବେଳେ ଉପଦେଷ୍ଟା ମଣ୍ଡଳୀରେ ପ୍ରଫୁଲ୍ଲ ସାମନ୍ତରା, ଜଷ୍ଟିସ ମନୋରଞ୍ଜନ ମହାନ୍ତି, ବରିଷ୍ଠ ସାମ୍ବାଦିକ ରବି ଦାସ, ଦେବ ପ୍ରସାଦ ରାୟ, ଚାଷୀ ନେତା ଲିଙ୍ଗରାଜ, ଜନ ଆନ୍ଦୋଳନ ନେତା ଲିଙ୍ଗରାଜ ଆଜାଦ, ସମାଜବାଦୀ ନେତା ଚିତ୍ତ ରଞ୍ଜନ ମହାନ୍ତି, ସ୍ତମ୍ଭକାର ଜୟନ୍ତ କୁମାର ଦାସ ପ୍ରମୁଖଙ୍କୁ ମନୋନୀତ କରାଯାଇଛି। ଉପସ୍ଥିତ ସଭ୍ୟମାନଙ୍କୁ ନେଇ ରାଜ୍ୟ କମିଟି ଗଠନ କରାଯାଇଥିଲା। ଏହି ରାଜ୍ୟ କମିଟିରେ ରାମଶଙ୍କର ରାମ, ଜୟନ୍ତ ଦାସ, ଅରୁଣ ଜେନା, ପ୍ରଫୁଲ୍ଲ କୁମାର ମିଶ୍ର, ଗୌରାଙ୍ଗ ମହାପାତ୍ର, ସତ୍ୟ ମାହାର, ଲଳିତ ମୋହନ ବେହେରା, ସୀମାଞ୍ଚଳ ନାହକ, ସାଗର ଦାସ, ସଂଗ୍ରାମ କେଶରୀ ଷଡ଼ଙ୍ଗୀ, ଦାସନନ୍ଦୀ ବାଲି, ରାଜେଶ ଜାନି, ମଧୁସ୍ମିତା ବେହେରା ପ୍ରମୁଖଙ୍କୁ ସାମିଲ କରାଯାଇଥିଲା।

ସମ୍ବନ୍ଧିତ ଖବର