ଭୁବନେଶ୍ବର: ନୀଳାଚଳ ପଲିଟେକ୍ନିକ୍ ପକ୍ଷରୁ ୧୦ମ ରାଜ୍ୟସ୍ତରୀୟ ଅନ୍ତଃବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଶେଷ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ୧୦ଜଣ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି। ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ୩୦୦ ବିଦ୍ୟାଳୟର ୧୨୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରି ଅନଲାଇନ୍ରେ ହୋଇଥିବା କୁଇଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସର୍ବଶ୍ରେଷ୍ଠ ୧୦୦ ପ୍ରତିଯୋଗୀ ଅନ୍ତିମ ପର୍ଯ୍ୟାୟ ପ୍ରତିଯୋଗିତାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ଉଭୟ ଲିଖିତ ଓ ମୌଖିକ ପଦ୍ଧତିରେ ପ୍ରତିଯୋଗୀମାନଙ୍କୁ ବିଜ୍ଞାନ, ଗଣିତ, ଓଡ଼ିଶାର କଳା ଓ ଭାସ୍କର୍ଯ୍ୟ ତଥା ଖେଳ ଓ ମନୋରଞ୍ଜନ ପ୍ରଭୃତି ପ୍ରଶ୍ନ ପଚରା ଯାଇଥିଲା। ଶେଷ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ୧୦ଜଣ ପ୍ରତିଯୋଗୀଙ୍କୁ ପୁରସ୍କାର ରାଶି, ଫଳକ ଓ ମାନପତ୍ର ପ୍ରଦାନ କରାଯାଇଛି।
କ୍ୟାପିଟାଲ୍ ହାଇସ୍କୁଲ ଛାତ୍ର ବିଷ୍ଣୁପ୍ରସାଦ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ତାଙ୍କୁ ୧୨ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି। ସେହିପରି ଦ୍ବିତୀୟ ସ୍ଥାନରେ ପଟିଆସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଶୁଭମ୍ ଶେଖର ତ୍ରିପାଠୀଙ୍କୁ ୮ହଜାର ଟଙ୍କା ଓ ତୃତୀୟ ସ୍ଥାନ ଅଧିକାର କରିଥିବା ସ୍କୁଲ୍ ଅଫ୍ ଇଣ୍ଟିଗ୍ରାଲ୍ ଏଜୁକେସନ୍ର ଛାତ୍ର ଆଶିଷ ତ୍ରିପାଠୀଙ୍କୁ ୫ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ପ୍ରତିଯୋଗିତାକୁ କୁଇଜ୍ ମାଷ୍ଟର ଜ୍ୟୋତିଷମାନ ଦାସ ମହାପାତ୍ର ଓ ଜ୍ୟୋତିକାନ୍ତ ଭୋଇ ପରିଚାଳନା କରିଥିଲେ।