ରବି ରାଓର ସହଯୋଗୀ ଚକରା ଗିରଫ

ଭୁବନେଶ୍ବର : ଦୁର୍ଦାନ୍ତ ଅପରାଧୀ ତଥା ଢେଙ୍କାନାଳର ବିଜେଡି ନେତା ଯଶୋବନ୍ତ ପରିଡ଼ା ହତ୍ୟା ମାମଲାର ମୋଷ୍ଟ ୱାଣ୍ଟେଡ୍ ରବି ରାଓର ମୁଖ୍ୟ ସହଯୋଗୀ ଚକ୍ରଧର ବାରିକ ଓରଫ ଚକରା(୨୬)କୁ ସୋମବାର ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି। ଖୋର୍ଧା ଜିଲ୍ଲା ବୋଲଗଡ଼ ଥାନା ସାନନୂଆପଲ୍ଲୀ ଗାଁର ଚକରା ଡୁମୁଡୁମା ପାଲାମଣ୍ଡପ ନିକଟରେ ରହୁଥିଲା। ଗତକାଲି ରାତିରେ ସେ ବୋଲଗଡ଼ରେ ଥିବା ଖବର ପାଇ ପୁଲିସ ଚଢ଼ଉ କରି ତାକୁ ଗିରଫ କରିଥିଲା। ତା’ ନିକଟରୁ ୪୦ ଗ୍ରାମ୍ ଓଜନର ସୁନାଗହଣା ଜବତ କରାଯାଇଛି। ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

ଗତ ଦୁଇ ମାସ ଭିତରେ ପ୍ରାୟ ଏକ ଡଜନ୍‌ ପ୍ରାଣାନ୍ତକ ଆକ୍ରମଣ ଓ ଲୁଟତରାଜ କରି ରାଜଧାନୀରେ ହଇଚଇ ସୃଷ୍ଟି କରିଥିବା ରବି ରାଓ ଗ୍ୟାଙ୍ଗକୁ କମିସନରେଟ୍ ପୁଲିସ ଠାବ କରିବା ପରେ ୫ଜଣଙ୍କୁ ଏନ୍‌କାଉଣ୍ଟର କରି ଗିରଫ କରିଥିଲା। ଗତ ୪ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ଭରତପୁର ଜିଏ କଲୋନି ନିକଟରେ ରବିକୁ ଏନ୍‌କାଉଣ୍ଟର କରଯାଇଥିବା ବେଳେ ଘଟଣାସ୍ଥଳରୁ ଚକରା ପୁଲିସକୁ ଚକ୍‌ମା ଦେଇ ଫେରାର୍ ହୋଇ ଯାଇଥିଲା। ନିକଟ ଅତୀତରେ ଜାଗମରା ଓ ବରମୁଣ୍ଡାରେ ଦୁଇଟି ଛିନ୍‌ତାଇ ଘଯଣା ଘଟିଥିଲା। ସମ୍ପୃକ୍ତ ଘଟଣାରେ ଚକରା ଜବତ ହୋଇଥିବା ୪୦ ଗ୍ରାମ୍‌ ଓଜନର ସୁନା ଗହଣା ଲୁଟି ନେଇଥିବା ପୁଲିସ ପାଖରେ ସ୍ବୀକାର କରିଛି।

ପୁଲିସ ସୂଚନାନୁସାରେ ଚକରା ରବି ରାଓର ଡାହାଣ ହାତ ଥିଲା। ଅନୁଗୁଳ ଜିଲ୍ଲାରେ ଚାଳକ ମୁଣ୍ଡରେ ବନ୍ଧୁକ ଲଗାଇ ଅପହରଣ କରିବା ସହ ଟ୍ରକ୍‌ ଲୁଟ୍‌ ଘଟଣାରେ ସେ ରବି ରାଓର ମୁଖ୍ୟ ଅଭିଯୁକ୍ତ ଥିବା ବେଳେ ନାଲ୍‌କୋ ଥାନାରେ ତା’ ନାମରେ ଆର୍ମସ୍‌ ଆକ୍ଟ ବଳରେ ଏକ ମାମଲା(୧୦୦/୮.୭.୨୦୧୯) ରହିଛି। ଗତ ଜୁନ୍‌ ମାସରେ ନିଆଳିର ଏକ ବ୍ୟାଙ୍କ୍‌ରୁ ଆସୁଥିବା ମୋଟା ଅଙ୍କର ନଗଦ ଟଙ୍କା ବାଲିଅନ୍ତାଠାରେ ଲୁଟ୍‌ ଘଟଣାରେ ରବିର ସେ ମୁଖ୍ୟ ସହଯୋଗୀ ବୋଲି ପୁଲିସ କହିଛି। ଏୟାରପୋର୍ଟ ଥାନା ଅଞ୍ଚଳରେ ଚାଳକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଏକ ଡଷ୍ଟର ଗାଡ଼ି ଲୁଟି ନେବା ମାମଲାରେ ଚକରା ମୁଖ୍ୟ ଅଭିଯୁକ୍ତ ଥିଲା। ଜୁଲାଇ ୩୦ ତାରିଖ ସକାଳେ ମଞ୍ଚେଶ୍ବର ଥାନା ଅଞ୍ଚଳରେ ଅଟୋରେ ଷ୍ଟେସନ ଯାଉଥିବା ଏକ ପରିବାରଠାରୁ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍‌ ମାମଲାରେ ସେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଥିଲା। ଜୁନ୍ ୧୦ ତାରିଖରେ ଆମ୍ରି ହସ୍ପିଟାଲ ନିକଟରୁ ଡ୍ରାଇଭର ଦିଲ୍ଲୀପ ଦେହୁରୀକୁ ଆକ୍ରମଣ ଓ ଅପହରଣ କରି ଇନୋଭା ଲୁଟ୍ କରିଥିବା ମାମଲାରେ ରବି ସହ ଚକରା ଥିଲା ବୋଲି ପୁଲିସ ସୂଚନା ଦେଇଛି। ଖୋର୍ଧା ଓ ନୟାଗଡ଼ରେ ମଧ୍ୟ ଚକରା ସହଯୋଗରେ ରବି ଗ୍ୟାଙ୍ଗ୍‌ ବହୁ ଲୁଟତରାଜ କରିଛନ୍ତି। ଏଭଳି ଭୁବନେଶ୍ବର ଓ ଭୁବନେଶ୍ବର ବାହାରେ ଚକରା ନାମରେ ୧୪ ମାମଲା ଥିବା ବେଳେ ୧୦ଟି ଥାନାରେ ସେ ମୋଷ୍ଟ ୱାଣ୍ଟେଡ୍‌ ଥିଲା ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର