ଭାରତରେ ଅସମାନତା କ୍ଷିପ୍ର ଗତିରେ ବୃଦ୍ଧି ପାଉଛି

ରବି ରାୟଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

ଭୁବନେଶ୍ୱର: ସାମ୍ପ୍ରତିକ ଭାରତ ହଟୁନଥିବା ଦାରିଦ୍ର୍ୟ, ବେକାରୀ, କୃଷକଙ୍କ ଉପରେ ଚାପ ଆଦି ଆହ୍ଵାନ ଦେଇ ଗତି କରୁଛି। ଭାରତରେ ବହୁ ଅରବପତି ଥିବା ବେଳେ ସବୁଠୁ କମ ମୁଣ୍ଡ ପିଛା ଆୟ କରୁଥିବା ଲୋକ ମଧ୍ୟ ଏଠାରେ ଦେଖିବାକୁ ମିଳନ୍ତି। ବିଶ୍ୱ ଅସମାନତା ରିପୋର୍ଟ ଅନୁଯାୟୀ ଭାରତରେ କ୍ଷିପ୍ର ଗତିରେ ଅସମାନତା ବୃଦ୍ଧି ପାଉଛି। ଏପରି ମତବ୍ୟକ୍ତ କରିଛନ୍ତି, ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଜେଏନ୍‌ୟୁ ପ୍ରଫେସର ଅରୁଣ କୁମାର। ଆଜି ଇଡକଲ ଅଡିଟୋରିୟମ ଠାରେ ବିଶିଷ୍ଟ ସମାଜବାଦୀ ନେତା ତଥା ପୂର୍ବତନ ଲୋକସଭା ବାଚସ୍ପତି ରବି ରାୟଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସଭାରେ ‘ଭାରତୀୟ ସମାଜ ପାଇଁ ଆହ୍ଵାନ: ବଜାର, ପ୍ରଯୁକ୍ତି ଏବଂ ନାମମାତ୍ର ହେଇଯାଉଥିବା ମଣିଷ’ ଶୀର୍ଷକ ପ୍ରସଙ୍ଗରେ ସ୍ମାରକୀ ବକ୍ତତା ଦେଇ ଶ୍ରୀ କୁମାର ଆହୁରି କହିଲେ, ଅବ୍ୟବସ୍ଥିତ ବିମୁଦ୍ରୀକରଣ, ଜିଏସ୍‌ଟି ଏବଂ ଡିଜିଟାଇଜେସନ ଭଳି ବ୍ୟବସ୍ଥା ଧନୀ ଓ ଅତିଧନୀ ଲୋକଙ୍କୁ ଆହୁରି ସୁବିଧା ଦେଇଥିବା ବେଳେ ଅସଙ୍ଗଠିତ କ୍ଷେତ୍ରର ଲୋକମାନଙ୍କୁ ପଛକୁ ନେଇଯାଇଛି। ଏଥିସହିତ ସ୍ୱର୍ଗତ ରାୟଙ୍କ ସ୍ମୃତିଚାରଣ କରି କହିଲେ, ତାଙ୍କ ସହିତ ମୋର ସମ୍ପର୍କ ୧୯୭୦ ମସିହାରେ ଆରମ୍ଭ ହୋଇଥିଲା। ସମାଜରେ ସମତା ପ୍ରତିଷ୍ଠା ପାଇଁ ସେ ସାରା ଜୀବନ ସଂଘର୍ଷ କରି ଚାଲିଥିଲେ। ଉଚ୍ଚ ପଦ ପଦବୀ ପାଇଥିଲେ ମଧ୍ୟ ସ୍ୱର୍ଗତ ରାୟ ସାଧାରଣ ଜୀବନ ଯାପନ କରୁଥିଲେ। ସେ ଆମକୁ ଛାଡ଼ି ଚାଲିଯାଇଥିଲେ ମଧ୍ୟ ତାଙ୍କର ଲିଗାସୀ ବହୁଦିନ ପର୍ଯ୍ୟନ୍ତ ବଞ୍ଚି ରହିବ।

ବିମୁଦ୍ରାକଣ, ଜିଏସ୍‌ଟି ଧନୀଙ୍କୁ ଅଧିକ ସୁବିଧା ଦେଇଛି

ରବି ରାୟ ସ୍ମୃତି କମିଟି ଅଧ୍ୟକ୍ଷ ମନୋରଞ୍ଜନ ମହାନ୍ତି ସଭାରେ ଅଧ୍ୟକ୍ଷତା କରିଥିଲେ। ସ୍ମରଣିକା ଅନନ୍ୟ ରବି ରାୟ ଲୋକାର୍ପିତ ହୋଇଥିଲା। ସମଦୃଷ୍ଟି ସମ୍ପାଦକ ସୁଧୀର ପଟ୍ଟନାୟକ, ଲୋହିଆ ଏକାଡେମି ସମ୍ପାଦକ ଦେବୀପ୍ରସାଦ ରାୟମହାପାତ୍ର ପ୍ରମୁଖ ସ୍ୱର୍ଗତ ରାୟଙ୍କ ସ୍ମୃତିଚାରଣ କରିଥିଲେ। ପ୍ରଫୁଲ୍ଲ ସାମନ୍ତରା ସ୍ୱାଗତ ଭାଷଣ ଦେଇଥିଲେ। ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ରବି ରାୟ ପ୍ରେମୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର