ପରଲୋକରେ ରବି ସ୍ବାଇଁ

ଭୁବନେଶ୍ବର: ଓଡ଼ିଆ ସିନେମା, ସଂସ୍କୃତି ଓ ଗଣମାଧ୍ୟମ କ୍ଷେତ୍ରରେ ପରିଚିତ ରବି ସ୍ବାଇଁଙ୍କର ପରଲୋକ ହୋଇଯାଇଛି। କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ଶୁକ୍ରବାର ରାତି ପ୍ରାୟ ୧ଟା ବେଳେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ସଂଯୋଜକ ଭାବେ ବହୁ ଚଳଚ୍ଚିତ୍ର ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏଥି‌ସହ ଫଟୋଗ୍ରାଫି ମଧ୍ୟ କରୁଥିଲେ। ତାଙ୍କ ମୃତ୍ୟୁ ଖବର ପାଇବା ପରେ ସିନେମା, ସଂଗୀତ ଓ ଗଣମାଧ୍ୟମର କିଛି ବ୍ୟକ୍ତିବିଶେଷ ୟୁନିଟ୍‌ ୯ସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। କିଛିଦିନ ତଳେ ସେ ସ୍କୁଟିରେ ଘରକୁ ଫେରୁଥିବା ବେଳେ କଳିଙ୍ଗ ଷ୍ଟାଡିୟମ ନିକଟରେ ଏକ ମାରୁତି କାର୍‌ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଆହତ ହେବା ସହ ତାଙ୍କ ମସ୍ତିଷ୍କ ଓ ଛାତିରେ ସଂକ୍ରମଣ ଯୋଗୁ ସେ କୋମାକୁ ଚାଲିଯାଇଥିଲେ। ତାଙ୍କ ବିୟୋଗରେ ବିଶିଷ୍ଟ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ବାଣୀଚିତ୍ରର ସମ୍ପାଦକ ପରୀକ୍ଷିତ ଜେନା, ହୋମ୍‌ ଭିଡିଓ ପ୍ରଡକ୍ସନର ମୁଖ୍ୟ ବାପୁ ଲେଙ୍କା, ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ୍‌ର ସମ୍ପାଦକ ସୂର୍ଯ୍ୟ ଦେଓ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପତ୍ନୀ ଗାୟତ୍ରୀ, ଝିଅ ରଶ୍ମୀ, ରଙ୍ଗୋଲି, ଜୋନା, ଭାଇ ବାବୁଲି, କୁନା, ବୁଗା, କିଶୋର ପ୍ରମୁଖ ଉପସ୍ଥିତ ଥିଲେ। ପୁରୀ ସ୍ବର୍ଗଦ୍ବାରରେ ‌ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ସମ୍ବନ୍ଧିତ ଖବର