ଭୁବନେଶ୍ବର : ‘ରୋଗକୁ କ’ଣ ଡରିବି ଆଜ୍ଞା! ରୋଗରୁ ବଞ୍ଚିବାକୁ ଯାଇ ଭୋକରେ ତ ମରିପାରିବିନି। ତେଣୁ ରାସ୍ତା କଡ଼କୁ ଅନେଇ ବସିଛି। ଗରାଖ ଅପେକ୍ଷା‌ରେ ଆଖିକୁ ତର ନାହିଁ। କିନ୍ତୁ ଗରାଖଙ୍କୁ ଅନେଇ ଅନେଇ ଆଖି ଜଳକା ହୋଇଯାଉଛି ସିନା ରୋଜଗାର ହେଉନାହିଁ। ଦିନକୁ ୫୦ ଟଙ୍କାର କାରବାର ହେଲେ, ସେଥିରୁ କି ଲାଭ ବାହାରିବ ଯେ ପରିବାର ଚଳାଇବି? ତେଣୁ ଏବେଠାରୁ ଅନ୍ଧାର ଦିଶିଲାଣି। ଆଗକୁ ଭଗବାନ ଭରସା। ରଖିଲେ ରଖିବେ, ମାରିବାର ଥିଲେ ମାରିବେ। ସବୁ ତାଙ୍କ ଉପରେ ଛାଡ଼ି ଦେଇଛି।’ ଏମିତି କୋହଭରା କଣ୍ଠରେ କହିଛନ୍ତି ରାଜଧାନୀର ରାଜପଥରେ ବସି ଝାଲ୍‌ମୁଢ଼ି ବେପାର କରୁଥିବା ରବୀନ୍ଦ୍ର ମହାରଣା।

Advertisment

ରବୀନ୍ଦ୍ରଙ୍କ ଘର ଜଗତସଂହପୁର ଜିଲ୍ଲା ବାଲିଆଶ୍ବର। ଏକାମ୍ର ହାଟ ପାଖରେ ରବୀନ୍ଦ୍ରଙ୍କ ଝାଲ୍‌ମୁଢ଼ି ଦୋକନ। ଭଲ ସୁଆଦିଆ ଝାଲ୍‌ମୁଢ଼ି ପାଇଁ ସେ ବେଶ୍ ଜଣାଶୁଣା। ଏହା ପୂର୍ବରୁ ଦୀର୍ଘ ୧୦ ବର୍ଷ ଧରି ସେ ଚା’ଦୋକାନ କରୁଥିଲେ। ଭଲ ବେପାର ହେଉଥିଲା। ସେହି ଦୋକାନରୁ ପାଞ୍ଚ ପ୍ରାଣୀ ପରିବାର ଭଲରେ ଚଳୁଥିଲେ। ସବୁ କିଛି ଠିକଠାକ୍‌ ଚାଲିଥିଲା। କିନ୍ତୁ ଗତ ବର୍ଷ କରୋନା ମହାମାରୀ ତାଙ୍କ ଉପରେ ଚଡ଼କ ଭଳି ପଡ଼ିଲା। ଲକ୍‌ଡାଉନ୍‌ ଓ ସଟ୍‌ଟାଉନ୍‌ ପାଇଁ ଚା ଦୋକାନ ବନ୍ଦ ହୋଇଗଲା। ରାଜଧାନୀରେ ଚଳିବା କଷ୍ଟକର ହୋଇପଡ଼ିଲା। ତେଣୁ ପିଲାଛୁଆଙ୍କୁ ଧରି ଗାଁକୁ ପଳାଇଲେ। ଗାଁରେ ବି କାମ ଧନ୍ଦା ମିଳିଲାନାହିଁ। ତଥାପି ଗାଁରେ କମ୍ ଖର୍ଚ୍ଚ ପାଇଁ କଷ୍ଟେମଷ୍ଟେ ଚଳିଗଲେ କିଛି ଦିନ। ଏତିକିରେ ଦୁଃଖ ସରିଲା ନାହିଁ। ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ସମୟରେ ସାନମା’ଙ୍କ ଦେହାନ୍ତ ହେଲା। ହାତରେ ଥିବା କିଛି ସଞ୍ଚିତ ଅର୍ଥକୁ ଖର୍ଚ୍ଚ କରି ଶ୍ରାଦ୍ଧକର୍ମ ସାରିଲେ। କରୋନା କଟକଣା କେବେ ହଟିବ ବୋଲି ଅପେକ୍ଷା କରି କରି ଦିନ ବିତିଲା। ଶେଷକୁ ଭଗବାନ ଡାକ ଶୁଣିଲେ। କରୋନା କଟକଣା ହଟିଲା ଓ ‌ବଜାର ହାଟ ଧୀରେଧୀରେ ସ୍ବାଭାବିକ ହେଲା। ତେଣୁ ବଡ଼ ଖୁସିରେ ଗାଁରୁ ସେ ପୁଣି ଚାଲି ଆସିଲେ ଭୁବନେଶ୍ବର। ପିଲାଛୁଆଙ୍କୁ ଗାଁରେ ଛାଡ଼ି ଆସିଛନ୍ତି। ବେପାର ବଢ଼ିଲେ ସେମାନଙ୍କୁ ପାଖକୁ ଆଣିବା ଲକ୍ଷ୍ୟ ରଖିଥିଲେ। ପୂର୍ବ ଭଳି ଚା’ଦୋକାନ କରିବାକୁ ସମ୍ବଳ ନଥିଲା। ତେଣୁ ଝାଲ୍ ମୁଢ଼ି ଏବଂ ଲେମ୍ବୁ ପାଣି ବ୍ୟବସାୟ ଆରମ୍ଭ କଲେ।

ମାତ୍ର ଦୁଇଟା ମାସ ବିତିଛି କି ନାହିଁ, କରୋନାର ଦ୍ବିତୀୟ ଲହର ଆରମ୍ଭ ହୋଇଯାଇଛି। ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ପୁଣି କଟକଣା ଲେଉଟିଛି। ଫଳରେ ବେପାର ମାନ୍ଦା ହେଲାଣି। ରବୀନ୍ଦ୍ରଙ୍କ କହିବା କଥା; ଏବେଠାରୁ କରୋନା କଟକଣାର ପ୍ରଭାବ ପଡ଼ିଲାଣି। ଏବେ ଦିନକୁ ୫୦/୬୦ ଟଙ୍କାର ବେପାର ହେଉଛି। କରୋନା ଭୟ‌ରେ ଗରାଖଙ୍କ ଦେଖାନା‌ହିଁ। ତେଣୁ ଲାଭ କଥା କ’ଣ ଭାବିବି, ମୂଳଧନ ବି ଉଠୁନି। ଘରକୁ ଟଙ୍କା ପଠାଇ ପାରୁନି। ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ କଥା ଶୁଣିଲା ବେଳକୁ ମନରେ ଭୟ ଆସିଯାଉଛି। ଭାବୁଛି, ଗାଁକୁ ପଳେଇବି। ଗାଁରେ କିଛି ବେପାର କରିବି। ରାଜଧାନୀରୁ ଜୀବିକା ହରାଉଥିବାରୁ ବଡ଼ କଷ୍ଟ ଲାଗୁଛି ବୋଲି ସେ କହିଛନ୍ତି।