ଭୁବନେଶ୍ୱର : ବାପୁଜୀନଗରସ୍ଥିତ ରବୀନ୍ଦ୍ର ମେଡିକାଲ୍‌ ହଲ୍‌ ସିଲ୍‌, ଗ୍ରାହକ ଆତଙ୍କିତ

ଭୁବନେଶ୍ୱର : ବାପୁଜୀନଗରସ୍ଥିତ ରବୀନ୍ଦ୍ର ମେଡିକାଲ୍‌ ହଲ୍‌କୁ ଆଜି ବିଏମ୍‌ସି ବନ୍ଦ କରିଦେଇଛି। ଏହି ଔଷଧ ଦୋକାନର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ବିଏମ୍‌ସି ପକ୍ଷରୁ ଦୋକାନର ୧୩ଜଣ କର୍ମଚାରୀ ଏବଂ ମାଲିକଙ୍କୁ ୧୪ଦିନ ଗୃହ ସଙ୍ଗରୋଧରେ ପଠାଯିବା ସହ ଦୋକାନକୁ ଅନିର୍ଦ୍ଦିଷ୍ଟ ସମୟ ଯାଏ ସିଲ୍‌ କରିଦିଆଯାଇଛି ବୋଲି ବିଏମ୍‌ସିର ଡେପୁଟି କମିସନର ‌ଅଂଶୁମାନ ରଥ କହିଛନ୍ତି।

ବିଏମ୍‌ସି ପକ୍ଷରୁ କୁହାଯାଇଛି ସମସ୍ତ କର୍ମଚାରୀଙ୍କୁ ସଙ୍ଗରୋଧରେ ପଠାଯିବା ପରେ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ଖୁବ୍‌ ଶୀଘ୍ର ସମସ୍ତଙ୍କର ସ୍ବାବ୍ ସଂଗ୍ରହ କରି ପରୀକ୍ଷା କରାଯିବ। ‌କର୍ମଚାରୀଙ୍କର କରୋନା ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେମାନେ ଘରେ ସଙ୍ଗରୋଧ ରହିବେ।

ଏହାବାଦ୍ ଦୋକାନକୁ ନିକଟରେ କିଏ କିଏ ଔଷଧ ନେବାକୁ ଆସିଥିଲେ ସେମାନଙ୍କର ସବିଶେଷ ତଥ୍ୟ ବିଲିଂ ଡାଟାବେସ୍‌ରୁ ବାହାର କରି ବିଏମ୍‌ସିକୁ ଦେବାକୁ କୁହାଯାଇଛି। ଏହାସହ ଦୋକାନୀଙ୍କୁ କୁହାଯାଇଛି ଯେ, ଦୋକାନରୁ ଔଷଧ କିଣିଥିବା ପ୍ରତ୍ୟେକ ଲୋକଙ୍କ ମୋବାଇଲ୍‌କୁ ମେସେଜ୍‌ କରି ଜଣାଇବେ ଯେ, ସେମାନଙ୍କ ନିକଟରେ କୌଣସି କରୋନା ଲକ୍ଷଣ ଦେଖାଗଲେ ସେମାନେ ବିଏମ୍‌ସିକୁ ଯୋଗାଯୋଗ କରିବେ।

ବିଏମ୍‌ସି କର୍ତ୍ତୃପକ୍ଷ ଏତିକି ପଦକ୍ଷେପ ନେଇଥିଲେ ହେଁ ବହୁ ଲୋକ ଔଷଧ କିଣିବାକୁ ଏହି ମେଡିକାଲ୍‌ ହଲ୍‌କୁ ଆସିଛନ୍ତି, କିନ୍ତୁ ଔଷଧ ନପା‌ଇ ଫେରିଯାଇଛନ୍ତି। ସେମାନେ ଦୋକାନର କର୍ମଚାରୀଙ୍କ ହାତକୁ ପ୍ରେସକ୍ରିପସନ୍ ଦେଇଥିଲେ, ସେମାନେ ପଢ଼ିକି ଫେରାଇଥିଲେ। ଏହା ଭିତରେ ସେମାନଙ୍କ ସଂସ୍ପର୍ଶରେ ଆସିଛନ୍ତି। ସେମାନଙ୍କର କୌଣସି ସୂଚନା ଦୋକାନୀ ପାଖରେ ନାହିଁ। ତେଣୁ ସେମାନେ କ’ଣ କରିବେ ସେନେଇ ଦ୍ବନ୍ଦ୍ବ ଉପୁଜିଛି।

ସମ୍ବନ୍ଧିତ ଖବର