ବିଶ୍ବକବି ରବୀନ୍ଦ୍ରନାଥଙ୍କ ୧୬୧ତମ ଜୟନ୍ତୀ: ସାହିତ୍ୟ ଅନୁରାଗୀ କରିଥିଲା ରବୀନ୍ଦ୍ର କବିତା

ଭୁବନେଶ୍ବର: ବିଶ୍ବକବି ରବୀନ୍ଦ୍ରନାଥ ଟାଗୋରଙ୍କ ୧୬୧ତମ ଜୟନ୍ତୀ ଆଜି ରାଜ୍ୟ ଅଭିଲେଖାଗାରରେ ଅନୁଷ୍ଠିତ ହୋଇଯାଇଛି। ଉତ୍କଳ ବିକାଶ ଯୁବ ପରିଷଦ ଓ ରାଜ୍ୟ ଅଭିଲେଖାଗାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଭାଷାବିଜ୍ଞାନୀ ଦେବୀପ୍ରସନ୍ନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ କହିଲେ, ପିଲା ଦିନୁ ବୋଉଠୁ ରବୀନ୍ଦ୍ର କବିତା ଶୁଣି ସାହିତ୍ୟ ପ୍ରତି ମୋର ଆଗ୍ରହ ବଢ଼ିଥିଲା। ପରବର୍ତ୍ତୀ କାଳରେ ଶାନ୍ତି ନିକେତନକୁ ଯିବା ଓ ସେଠାରୁ ଫେରି ଦେଶ ବିଦେଶକୁ ଯିବା ମୋ ପାଇଁ ଥିଲା ବିଶ୍ବକବିଙ୍କ ଏକ ଅଦେଖା ଆଶୀର୍ବାଦ।

ମୁଖ୍ୟବକ୍ତା ପ୍ରଫେସର୍‌ ବସନ୍ତ ପଣ୍ଡା ‌କହିଲେ, ରବୀନ୍ଦ୍ର ନାଥଙ୍କ ଅବଦାନ ଅଶେଷ ଓ ଅଫୁରନ୍ତ। ସେ ଆଧୁନିକ ଭାରତର ପ୍ରଜ୍ଞା ଓ ସୃଜନଶୀଳତାର ପ୍ରତୀକ। ତାଙ୍କୁ ବିଶ୍ବଗୁରୁ, କବିଗୁରୁ, ବିଶ୍ବକବି ଆଦି ଯେତେ‌ ସମ୍ମାନରେ ସମ୍ମାନିତ କରାଯାଇଥିଲେ ମଧ୍ୟ ବ୍ୟକ୍ତିତ୍ବ ଓ କୃତିତ୍ବ ଦୃଷ୍ଟିରୁ ସେଥିଲେ ବିଶ୍ବ ବିସ୍ମୟ ତଥା କାଳଜୟୀ ପୁରୁଷ। ସମ୍ମାନିତ ଅତିଥି ପ୍ରାକ୍ତନ କୁଳପତି ପ୍ରଫେସର୍‌ ଶିବ ପ୍ରସାଦ ଅଧିକାରୀ କହିଲେ, ଓଡ଼ିଶାରେ ଦୀର୍ଘ ଦିନ‌ର ଅଧ୍ୟାପନାରେ ମୋତେ ଯାହା ମିଳି ନଥିଲା, ଶାନ୍ତି ନିକେତନରେ ରହଣୀ କାଳରେ ମୋତେ ତା’ଠୁ ଯଥେଷ୍ଟ ଅଧିକ ସମ୍ମାନ ମିଳିଲା। ଏହାସହ ମୁଁ ଜୀବନର ଅନେକ ଅନାବିଷ୍କୃତ ଦିଗକୁ ସେଠାରେ ଆବିଷ୍କାର କରିପାରିଥିଲି। ଅନ୍ୟତମ ଅତିଥି ଭାବେ ଏମ୍‌ସର କର୍କଟ ବିଭାଗ ଡାକ୍ତର ଦିଲ୍ଲୀପ ପଟ୍ଟନାୟକ ରବୀନ୍ଦ୍ରନାଥଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ସାହିତ୍ୟିକ ଦେବାଶିଷ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କିଶୋର ସ୍ବାଇଁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ରବୀନ୍ଦ୍ର ସଂଗୀତ ପରିବେଷଣ କରାଯିବା ସହ ‘ଓଡ଼ିଶାରେ ରବୀନ୍ଦ୍ରନାଥ’ ନାମକ ଏକ ବୃତ୍ତଚିତ୍ର ପ୍ରଦର୍ଶିତ କରାଯାଇଥିଲା। ଏଥିସହ ଦିବଂଗତ ବାଗ୍ମୀ ରଜତ କରଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମରେ ଦେବୀପ୍ରସାଦ ପୃଷ୍ଟି ସ୍ବାଗତ ଭାଷଣ ଦେଇଥିବା ବେଳେ ଅଭିଲେଖାଗାରର ଅଧ୍ୟକ୍ଷ ସେକ୍‌ ସୁଲେମାନ୍‌ ଅଲ୍ଲୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର